ଦାମୀ କାର ନୁହେଁ ବରଂ ବଳଦଗାଡ଼ିରେ ବସି ଦେଶୀ ଷ୍ଟାଇଲରେ ବିବାହ କରିବାକୁ ଗଲା ବର, ଦେଖନ୍ତୁ ନିଆରା ଭିଡିଓ

ବର୍ତ୍ତମାନର ଆଧୁନିକ ଦୁନିଆରେ ସମସ୍ତେ ନିଜ ବିବାହକୁ ଭବ୍ୟ କରିବାକୁ ଚାହୁଁଛନ୍ତି। ଏଣୁ କିଏ ଉଡ଼ାଜାହାଜରେ ବର ହୋଇଯାଉଛି ତ ଆଉ କିଏ ଚାଟାର୍ଡ ପ୍ଲେନ୍‌ ବୁକ୍‌ କରି ମଝି ଆକାଶରେ ହିଁ ବିବାହ କରୁଛି। କିନ୍ତୁ ଏବେ ବି ସମାଜରେ ଏମିତି କିଛି ବ୍ୟକ୍ତି ଅଛନ୍ତି, ଯେଉଁମାନେ ନିଜ ବିବାହକୁ ଅତି ସାଧାରଣ ଭାବେ ତଥା ପୁରୁଣା କାଳିଆ ଅନ୍ଦାଜରେ କରିବାକୁ ପସନ୍ଦ କରୁଛନ୍ତି।

ସେଭଳି ଜଣେ ବ୍ୟକ୍ତି ହେଉଛନ୍ତି ଉତ୍ତର ପ୍ରଦେଶର ଛୋଟେ ଲାଲ। ଛୋଟେ ଲାଲ ଆଧୁନିକ ଭାବରେ ବିବାହ ନ କରି ବରଂ ବଳଦ ଗାଡ଼ିରେ ବର ହୋଇ ବିବାହ କରିବାକୁ ଯାଇଛନ୍ତି। କେବଳ ସେ ଏକୁଟିଆ ନୁହେଁ ତାଙ୍କ ବିବାହରେ ସାମିଲ ହୋଇଥିବା ବରଯାତ୍ରୀ ମଧ୍ୟ ବଳଦ ଗାଡ଼ିରେ ହିଁ ଆସିଛନ୍ତି। ଏହି ବଳଦ ଗାଡ଼ି ବରଯାତ୍ରୀର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଯାହାକୁ ଲୋକେ ଏକ ନିଆରା ବରଯାତ୍ରୀ ବୋଲି କହିଛନ୍ତି।

ରିପୋର୍ଟ ମୁତାବକ, ଏହି ବଳଦ ଗାଡ଼ି ବରଯାତ୍ରୀର ଭିଡିଓ ଉତ୍ତର ପ୍ରଦେଶର ଦେଓରିଆ ଜିଲ୍ଲାର। ଏଠାରେ ରବିବାର କୁଶାରୀ ଗାଁରୁ ବାହାରି ବଳଦ ଗାଡ଼ି ବରଯାତ୍ରୀ ୩୫ କିଲୋମିଟର ଯାତ୍ରା କରି ପକରୀ ବଜାରସ୍ଥିତ ବିବାହସ୍ଥଳରେ ପହଞ୍ଚିଥିଲା। ବର ମଧ୍ୟ ଏହି ଯାତ୍ରାରେ ବେଶ୍‌ ଖୁସି ଥିବା ଦେଖିବାକୁ ମିଳିଛି। ବର କହିଛନ୍ତି, ପୂର୍ବ କାଳରେ ଲୋକମାନେ ବଳଦଗାଡ଼ିରେ ବସି ବିବାହ ସ୍ଥଳକୁ ଯାଉଥିଲେ। ସେ ମଧ୍ୟ ସେହି ଅନୁଭୂତି ନେବାକୁ ଏଭଳି ନିଆରା ଉପାୟରେ ବିବାହ କରିବାକୁ ସ୍ଥିର କରିଥିଲେ। ତେବେ ବରଙ୍କ ଏହି ଉପାୟ ଲୋକଙ୍କୁ ବେଶ୍‌ ପସନ୍ଦ ଆସିଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.