ସାପର ଏମିତି ବି କଣ ଶତୃତା, ଯୁବକଙ୍କୁ ଖୋଜି ଖୋଜି କାମୁଡିଲାଣି ୪୦ ଦିନରେ ୭ ଥର

ଖୋଜି ଖୋଜି କାମୁଡୁଛି ସାପ…
ଯେଉଁଠି ବି ଲୁଚିଲେ ଯାଇ କାମୁଡୁଛି ସମାନ ସାପ…
୪୦ ଦିନରେ କାମୁଡିଲାଣି ୭ ଥର…
କିନ୍ତୁ ୯ ଥର ହେଲେ ଚାଲିଯିବ ଯୁବକଙ୍କ ଜୀବନ…
ହଁ ଆଜ୍ଞା ଆଠ ଥର ବେଳକୁ ସ୍ଥିତି ଗୁରୁତର ହୋଇଯିବ ଏବଂ ୯ ଥରରେ ଜୀବନ ଚାଲିଯିବ ଯୁବକଙ୍କର । ଏକଥା ସାପ ନିଜେ ସ୍ୱପ୍ନରେ ଆସି କହିଛି, ୯ ଥର ବେଳକୁ ତୋତେ କେହି ବି ବଞ୍ଚାଇ ପାରିବେନି, ନା ଡାକ୍ତର ନା କୌଣସି ତାନ୍ତ୍ରିକ । ଆପଣଙ୍କୁ ଏହା କୌଣସି ଟିଭି ସିନେମାର ସ୍କ୍ରିପ୍ଟ ଭଳି ଲାଗୁଥିବ ହେଲେ ଘଟଣା ଏକଦମ୍ ସତ । ଅନେକ ଫିଲ୍ମ ଓ ଟିଭି ସିରିଏଲ, ଯାହା ସାପ କାହାଣୀ ଉପରେ ଆଧାରିତ, ସେଥିରେ ଆମେ ସାପ ପ୍ରତିଷୋଧ ନେଉଥିବାର ଦେଖିଥାଉ । କୁହାଯାଏ ଥରେ ଯଦି ସାପ ଆଖିରେ କାହାର ଚେହେରା କଏଦ୍ ହୋଇଗଲା, ସେ ପାତାଳରେ ଲୁଚିଲେବି ତାକୁ ଖୋଜି ଦଂଶନ କରିଥାଏ ସାପ । ଏମିତି ଘଟଣା ଟିଭି ପରଦାରେ ଆମେ ଅନେକ ଦେଖିଛେ, ହେଲେ ଏମିତି କିଛି ସମାନ ଘଟଣା ଘଟିଛି ବାସ୍ତବ ଜୀବନରେ । ଉତ୍ତରପ୍ରଦେଶର ଜଣେ ଯୁବକଙ୍କୁ ଖୋଜି ଖୋଜି ମାଉସୀ ଘରେ ଯାଇ କାମୁଡିଛି ପୁଣି ତାପରେ ନିଜ ଚାଚା ଘରକୁ ଯାଇ କାମୁଡିଛି ସାପ । ସବୁଠୁ ଆଶ୍ବର୍ଯ୍ୟ କଥା ହେଉଛି ବ୍ୟକ୍ତିଟି ସେହି ସାପ ଠାରୁ ୬ ଥର କାମୁଡା ଖାଇସାରିଲାଣି, ପ୍ରତିଥର ସେ ଅସୁସ୍ଥ ହୋଇ ଡାକ୍ତରଖାନାରେ ବି ଭର୍ତ୍ତି ହୁଅନ୍ତି, ହେଲେ ପରବର୍ତ୍ତୀ ସମୟରେ ସେ ସୁସ୍ଥ ହୋଇ ପୁଣି ଘରକୁ ଫେରିଆସନ୍ତି, ଆଉ ପୁଣି ତାଙ୍କୁ ସାପ କାମୁଡେ ।
ଏ ଘଟଣା ଯେତିକି ଅବାସ୍ତବ ଲାଗୁଛି, ସେତିକି ଆଶ୍ଚର୍ଯ୍ୟକର ମଧ୍ୟ । ତେବେ ଉତ୍ତରପ୍ରଦେଶ ଫତେପୁର ଜିଲ୍ଲା ସ୍ଥିତ ସୌରା ଗାଁର ଜଣେ ୨୪ ବର୍ଷୀୟ ଯୁବକଙ୍କ ସହ କିଛି ଏପରି ଘଟଣା ଘଟିଛି । ଗତ ପାଖାପାଖି ୪୦ ଦିନ ମଧ୍ୟରେ ତାଙ୍କୁ ୭ ଥର ସାପ କାମୁଡି ସାରିଲାଣି । ପ୍ରତ୍ୟେକ ଥର ସାପ ତାଙ୍କୁ କାମୁଡିବ, ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯିବ ଓ ପରେ ସେ ସୁସ୍ଥ ହୋଇ ଫେରିଆସନ୍ତି । ହେଲେ ଏଥର ଯୁବକଙ୍କୁ ଡାକ୍ତରଖାନାରେ ଆଡମିଟ୍ କରିବାକୁ ପଡିଲା । ସାତ ଥର ଯେତେବେଳେ ସାପ ତାଙ୍କୁ କାମୁଡିଲା ତ ଯୁବକଙ୍କ ଅବସ୍ଥା ବହୁତ ଗୁରୁତର ହୋଇପଡିଲା । ବର୍ତ୍ତମାନ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଯୁବକଙ୍କୁ ଚିକତ୍ସା କରୁଥିବା ଡାକ୍ତରଙ୍କ କହିବାକଥା ଯେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଚିନ୍ତାଜନକ ଅଛି । ୧୨ ରୁ ୨୪ ଘଣ୍ଟା ମଧ୍ୟରେ କିଛି ବି କହିବା ମୁସକିଲ । ପରିବାର ଲୋକ ତ ଏକଦମ୍ ଡରିକି ରହିଛନ୍ତି, କୌଣସି ବିପଦର ଆଶଂକା କରି ଚିନ୍ତାରେ ଅଛନ୍ତି । ବାରମ୍ବାର ଏ ଅକଳ୍ପନୀୟ ଘଟଣା ଘଟିବା ଦ୍ୱାରା ପରିବାର ଲୋକ ପୂରା ଭୟରେ ଅଛନ୍ତି ।
କହିବାକୁ ଚାହିଁବୁ ଯେ ଏହି ଘଟଣା ପ୍ରଥମେ ଜୁନ୍ ୨ରେ ଘଟିଥିଲା । ୨୪ ବର୍ଷୀୟ ଯୁବକ ବିକାଶ ଦୁବେ ତାଙ୍କ ଘରର ଖଟ ଉପରେ ଶୋଇଥିବା ବେଳେ ପ୍ରଥମେ ତାଙ୍କୁ ସାପ କାମୁଡିଥିଲା । ଏହାପରେ ସେ ଚିକିତ୍ସା ପରେ ସୁସ୍ଥ ହୋଇଥିଲେ । ପରେ ଜୁନ୍ ୨ ରୁ ଜୁଲାଇ ୬ ଭିତରେ ସାପ ତାଙ୍କୁ ୬ ଥର କାମୁଡି ସାରିଲାଣି । ତେବେ ଯେବେ ୪ର୍ଥ ଥର ପାଇଁ ସାପ ତାଙ୍କୁ କାମୁଡିଲା, ପରିବାର ଲୋକେ ତାଙ୍କୁ ଘରଠୁ ଅନ୍ୟତ୍ର ପଠାଇଦେବାକୁ ନିଷ୍ପତ୍ତି ନେଲେ । ଏହା ପରେ ରାଧାନଗର ସ୍ଥିତ ତାଙ୍କ ମାଉସୀ ଘରକୁ ସେ ଚାଲିଯାଇଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ସେଠି ବି ଖୋଜି ଖୋଜି ପହଞ୍ଚିଯାଇଥିଲା ସାପ । ଆଉ ତାଙ୍କୁ ପଞ୍ଚମ ଥର ପାଇଁ ପୁଣି କାମୁଡିଥିଲା । ଏହାପରେ ବିକାଶକୁ ତାଙ୍କ ଚାଚା ଘରକୁ ନେଇଆସିଲେ । ଏଇ ଗତ ୬ ତାରିଖରେ ତାଙ୍କୁ ପୁଣି ସାପ କାମୁଡିଛି । ଏହାପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ପୂରା ବିଗିଡିଯାଇଥିଲା ।
ତେବେ କେଉଁ କାରଣରୁ ସାପଟି ତାଙ୍କ ଜୀବନ ପଛରେ ପଡିଛି ସେନେଇ କିଛି ସୂଚନା ମିଳିପାରିନାହିଁ । ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ ବିକାଶ କହିଛନ୍ତି, ଯେ ସିଏ ଲକ୍ଷ୍ୟ କରିଛନ୍ତି ସାପଟି ତାଙ୍କୁ ପ୍ରତି ଶନିବାର କିମ୍ବା ରବିବାର କାମୁଡୁଛି । ଆଉ କାମୁଡିବା ପୂର୍ବରୁ ତାଙ୍କୁ କିଛି ନା କିଛି ସଙ୍କେତ ମିଳିଥାଏ । ତେବେ ବିକାଶ କହିଛନ୍ତି ଯେ ଯେତେବେଳେ ୬ ଥରର ବେଳକୁ ତାଙ୍କୁ ସାପ କାମୁଡିଲା ସେତେବେଳେ ସେ ଦାବି କରିଥିଲେ ଯେ ରାତିରେ ଯେତେବେଳେ ସେ ଶୋଇଥିଲେ ସେ ଏକ ସ୍ୱପ୍ନ ଦେଖିଥିଲେ ଏବଂ କହିଲେ ଯେ ମୁଁ ତୋତେ ନଆ ଥର କାମୁଡିବି, କିନ୍ତୁ ଆଠ ଥର ପର୍ଯ୍ୟନ୍ତ ତୋ ଜୀବନ ବଞ୍ଚିଯିବ । ହେଲେ ୯ ଥର ବେଳକୁ ତୋତେ କୌଣସି ବି ଶକ୍ତି, ତାନ୍ତ୍ରିକ ଏବଂ ଡାକ୍ତର ବଞ୍ଚାଇ ପାରିବେନି ଏବଂ ମୁଁ ତୋତେ ମୋ ସାଥିରେ ନେଇଯିବି ।
ତେବେ ଏହି ମାମଲାକୁ ନେଇ ବିକାଶଙ୍କ ପରିବାର ସରକାରଙ୍କୁ ସାହାଯ୍ୟ ପାଇଁ ଗୁହାରୀ କରିଛନ୍ତି । ତେବେ ଏବେ ଆହୁରି ଆଶ୍ଚର୍ଯ୍ୟର କଥା ଯେ ଏହା ପୂର୍ବରୁ ସାପ ଶନିବାର ଏବଂ ରବିବାରରେ କାମୁଡୁଥିଲା କିନ୍ତୁ ଏଥର ଗୁରୁବାର ଦିନ ତାଙ୍କୁ ସାପଟି କାମୁଡିଛି ।