ଅତିଥି ଦେବୋ ଭବଃ! ଏୟାରପୋର୍ଟରେ ନିଜ ଆପଲ ଓ୍ଵାଚ୍‌ ହଜାଇ ଦେଇଥିଲେ ଯାତ୍ରୀ, ଘଣ୍ଟାକୁ ଖୋଜି ଘରେ ପହଞ୍ଚାଇଲା Emirates Airlines

ଯାତ୍ରୀଙ୍କର ସମସ୍ତ ସୁବିଧା ଅସୁବିଧାକୁ ବୁଝିବା ତଥା ସମାଧାନ କରିବା ଏୟାରଲାଇନ୍ସର ପ୍ରମୁଖ କର୍ତ୍ତବ୍ୟ। କିନ୍ତୁ ଯାତ୍ରୀଙ୍କ ହଜିଥିବା ଜିନିଷକୁ ବୋଧେ କୌଣସି ଏୟାରଲାଇନ୍ସ ଖୋଜି ଘରେ ନେଇ ଦେଇ ନଥିବ। କିନ୍ତୁ ଏବେ ଏଭଳି କାମ କରି ଦେଖାଇଛି ଦୁବାଇ ଏମିରଟ୍ସ ଏୟାରଲାଇନ୍ସ। ଯାହା ପ୍ରମାଣ କରିଛି ଯେ ଏୟାରଲାଇନ୍ସ ପାଇଁ ଯାତ୍ରୀଙ୍କ ସୁବିଧା ପ୍ରଥମ।

ରିପୋର୍ଟ ମୁତାବକ, ଆମେରିକାର ଜଣେ ବ୍ୟକ୍ତି ଦୁବାଇର ଏମିରଟ୍ସ ଏୟାରଲାଇନ୍ସର ଏୟାରପୋର୍ଟରେ ନିଜର ଦାମୀ ଆପଲ ଓ୍ଵାଚ୍‌ ଛାଡ଼ି ଦେଇ ଆସିଥିଲେ। ଏ ନେଇ ସେ ଏୟାରପୋର୍ଟକୁ ଟ୍ଵିଟ୍‌ କରି ଜଣାଇବାର ୩ ଦିନ ପରେ ଏୟାରପୋର୍ଟ ପକ୍ଷରୁ ତାଙ୍କ ଘଣ୍ଟାକୁ ସୁରକ୍ଷିତ ଭାବେ ଘରେ ପହଞ୍ଚାଯାଇଛି।

ଆମେରିକାର ଲୋକପ୍ରିୟ ୟୁଟ୍ୟୁବର କାସେ ନେଇସ୍‌ଟାଟ୍‌ ସୋମବାର ଦିନ ଏକ ଟ୍ଵିଟ୍‌ କରି ଲେଖିଥିଲେ ଯେ ଦୁବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ସିକ୍ୟୁରିଟି ଡେସ୍କରେ ନିଜର ଆପଲ୍‌ ଓ୍ଵାଚ୍‌ ଛାଡ଼ି ଦେଇ ଆସିଛନ୍ତି। ଯଦି କେହି ଏହି ଘଣ୍ଟାକୁ ପାଆନ୍ତି ତେବେ ତାଙ୍କୁ କଲ୍‌ କରନ୍ତୁ। ଏହି ଘଣ୍ଟାର ବ୍ୟାଣ୍ଡ୍‌ରେ ତାଙ୍କ ନମ୍ବର ଏମ୍ରୋଡରି ହୋଇ ଲେଖାଯାଇଛି। ଏଥିସହ ଘଣ୍ଟାରେ ‘ରିଓ୍ଵାର୍ଡ’ ଲେଖାଯାଇଛି ବୋଲି ମଧ୍ୟ ସେ କହିଥିଲେ।

୩ ଘଣ୍ଟା ପରେ ଏୟାର ଲାଇନ୍ସ ପକ୍ଷରୁ ତାଙ୍କ ଟ୍ଵିଟ୍‌ରେ ରିପ୍ଲାଏ କରାଯାଇଥିଲା ଯେ ଆମେ ଏୟାରପୋର୍ଟ ଟିମ୍‌ ଆପଣଙ୍କ ଘଣ୍ଟା ଖୋଜିବା ଆରମ୍ଭ କରିଛୁ। ଆଉ କିଛି ଦରକାର ଥିଲେ ଆପଣ ଆମକୁ ସିଧାସଳଖ ମେସେଜ୍‌ କରିପାରିବେ।

ଏହି ମେସେଜ୍‌ କରିବାର ୩ ଘଣ୍ଟା ପରେ ପୁଣିଥରେ ଏମିରଟ୍ସ ଏୟାରଲାଇନ୍‌ ପକ୍ଷରୁ ଆଉ ଏକ ଟ୍ଵି୍‌ଟ୍‌ କରାଯାଇଥିଲା। ଏଥିରେ ଲେଖାଯାଇଥିଲା- ଆମେ ଆପଣଙ୍କ ଘଣ୍ଟା ପାଇଗଲୁ। ଆପଣଙ୍କ ପାଖରେ ଘଣ୍ଟାକୁ ସୁରକ୍ଷିତ ପହଞ୍ଚାଇବା ପ୍ରକ୍ରିୟା ଆରମ୍ଭ କରୁଛୁ।

ଏହା ପରେ ଏୟାରଲାଇନ୍‌ସ ପକ୍ଷରୁ ଏହି ଘଣ୍ଟାକୁ ସୁରକ୍ଷିତ ଭାବେ କାର୍ଲିଫର୍ଣ୍ଣିଆରେ କାସେଙ୍କ ଘରେ ନେଇ ଡେଲିଭରି କରାଯାଇଛି। ଏ ନେଇ କାସେ ଟ୍ଵିଟ୍‌ କରି ଏୟାରଲାଇନ୍ସକୁ କୃତଜ୍ଞତା ଜଣାଇବା ସହ ଘଣ୍ଟାଟି ତାଙ୍କ ନିକଟକୁ ଏମିରଟ୍ସର ଏକ ଖାମ୍‌ରେ ଆସି ଡେଲିଭରି ହୋଇଛି ବୋଲି କହିଛନ୍ତି। ଏଥିସହ ସେ ଏୟାରଲାଇନ୍ସର ସର୍ଭିସକୁ ସବୁଠୁ ଭଲ ନମ୍ବର ୧ ବୋଲି କହିଛନ୍ତି।


ଘଣ୍ଟାଟି ସୋମବାର ହଜିଥିବା ବେଳେ ଗୁରୁବାର ସକାଳେ ତାଙ୍କ ଘରେ ଆସି ପହଞ୍ଚିଥିଲା। କେବଳ ଏୟାରଲାଇନ୍ସ ଯୋଗୁ ଏହା ସମ୍ଭବ ହୋଇପାରିଛି ବୋଲି କହିଛନ୍ତି କେସି।

Leave A Reply

Your email address will not be published.