୮୦୦ ମେଣ୍ଢାଙ୍କୁ ଧରି ଚୀନ୍‌ ଦୂତାବାସରେ ପ୍ରବେଶ କରିଥିଲେ ବାଜପେୟୀ, ପାଟିରେ କିଛି ନ କହି ଚାଇନାକୁ କରିଥିଲେ ବେଜିତ

ଦେଶ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୪ର୍ଥ ଶ୍ରାଦ୍ଧ ଦିବସ ପାଳନ କରୁଛି। ଏ ଅବସରରେ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଭାରତରତ୍ନ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। କେବଳ ଦେଶ ଭିତରେ ନୁହେଁ, ବିଦେଶରେ ମଧ୍ୟ ବାଜପେୟୀଙ୍କୁ ବେଶ୍‌ ସମ୍ମାନ ଦିଆଯାଏ। ବାଜପେୟୀ ପୂର୍ବ ପାକ୍‌ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ୍‌ଙ୍କ ସହ ଜନ୍ମଦିନ ପାଳୁଥିବା ବେଳେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ସହ ତାଙ୍କ ସମ୍ପର୍କକୁ ଆଜି ବି ସମସ୍ତେ ମନେ ରଖିଛନ୍ତି। ପ୍ରଧାନମନ୍ତ୍ରୀ ଭାବେ ବାଜପେୟୀ ୨୦୦୩ ମସିହାରେ ଚୀନ୍‌ ଗସ୍ତରେ ଯାଇଥିବା ବେଳେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ଅଧିକ ସୁଦୃଢ଼ ହୋଇଥିଲା। କିନ୍ତୁ ୧୯୬୫ ମସିହାରେ ଯେତେବେଳେ ପାକିସ୍ତାନ ଓ ଭାରତର ଯୁଦ୍ଧ ଚାଲିଥିଲା, ସେତେବେଳେ କିଛି ଏମିତି ଘଟଣା ଘଟିଥିଲା, ଯାହା ଫଳରେ ଚୀନ୍‌କୁ ବେଜିତ ହେବାକୁ ପଡ଼ିଥିଲା। ଆସନ୍ତୁ ଜାଣିବା ସେ ଘଟଣା ବିଷୟରେ…

ମେଣ୍ଢା ଚୋରି ନେଇ ଆସିଥିଲା ଅଭିଯୋଗ:

୧୯୬୨ ମସିହାରେ ଭାରତ ଓ ଚୀନ୍‌ ମଧ୍ୟରେ ଯୁଦ୍ଧ ହୋଇଥିଲା। ଏହା ପରେ ୧୯୬୫ରେ ପୁଣିଥରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଥିଲା ଚୀନ୍‌। ଅଗଷ୍ଟ-ସେପ୍ଟେମ୍ବର ମାସ ମଧ୍ୟରେ ଚୀନ୍‌ ଭାରତ ବିରୋଧରେ ଏକାଧିକ ଅଭିଯୋଗ ଆଣିଥିଲା। ଏହି ଅଭିଯୋଗ ଭିତରେ ଭାରତୀୟ ସୈନ୍ୟ ଚୀନ୍‌ର ୮୦୦ ମେଣ୍ଡା ଓ ୫୯ଟି ଚମରୀ ଗାଈ ଚୋରି କରିଛନ୍ତି ବୋଲି ମଧ୍ୟ ଏକ ଆରୋପ ଲାଗିଥିଲା। ଏ ନେଇ ଚୀନ୍‌ ପକ୍ଷରୁ ଭାରତ ସରକାରଙ୍କୁ ଚିଠି ମଧ୍ୟ ଲେଖାଯାଇଥିଲା। ଏହି ଚିଠିରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ଓ ଅଟଳ ବିହାରୀ ବାଜପେୟୀଙ୍କ ନାଁ ଉଲ୍ଲେଖ ଥିଲା।

vajpayee

ତେବେ ଏହା ପରେ ୨୬ ସେପ୍ଟେମ୍ବର ୧୯୬୫ରେ ବାଜପେୟୀ ୮୦୦ ମେଣ୍ଢାଙ୍କୁ ଧରି ଚୀନ୍‌ ଦୂତାବାସରେ ପଶିଥିଲେ। ମେଣ୍ଢା ଚୋରି ନେଇ ଲାଗିଥିବା ଅଭିଯୋଗକୁ କଡ଼ା ଜବାବ ଦେବାକୁ ସେ ଏମିତି ପଦକ୍ଷେପ ନେଇଥିଲେ। ମେଣ୍ଢାଙ୍କ ବେକରେ ଏକ ପ୍ଲାକାର୍ଡ ଝୁଲୁଥିଲା। ସେଥିରେ ଲେଖାଥିଲା- ମୋତେ ଖାଇଦିଅ, କିନ୍ତୁ ଦୁନିଆକୁ ବଞ୍ଚାଇ ଦିଅନ୍ତୁ।

ଏହା ପରେ ଚୀନ୍‌ ପକ୍ଷରୁ ଶାସ୍ତ୍ରୀଜୀଙ୍କୁ ଆଉ ଏକ ଚିଠି ଲେଖାଯାଇଥିଲା। ସେଥିରେ ବାଜପେୟୀଙ୍କର ଏହି ପଦକ୍ଷେପ ଅପମାନ ସୂଚକ ବୋଲି ଲେଖାଥିଲା। ତେବେ କେବଳ ଏହି ଗୋଟିଏ ନୁହେଁ, ନିଜ ରାଜନୀତି କ୍ୟାରିୟରରେ ଅଟଳ ବିହାରୀ ବାଜପେୟୀ ଏମିତି ଅନେକ କାମ କରିଛନ୍ତି ଯେଉଁଥିପାଇଁ ତାଙ୍କୁ ଅନ୍ୟ ଦେଶ ଭୟ କରନ୍ତି।

Also Read: ପୁଣି ବଢ଼ିଲା କ୍ଷୀର ଦର, କାଲିଠୁ ଅମୁଲ ଓ ମଦର ଡାଏରୀର ପ୍ରଡକ୍ଟ କିଣିଲେ ଦେବେ ଆଉ ଅଧିକ ୨ ଟଙ୍କା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.