ବାସୁକୀ ସାପର ପ୍ରଜାତି କେବଳ ଭାରତରେ ଥିଲେ, ତିମିକୁ ବି ଗିଳି ଦେଉଥିଲା

ହିନ୍ଦୁ ପୁରାଣରେ ବାସୁକୀ ସାପର ବର୍ଣ୍ଣନା ରହିଛି । ଯାହାକୁ ଆମେ ପୂଜା କରିଥାଉ । ପ୍ରଭୁ ଶିବଙ୍କ ଗଳାର ମାଳା ଏବଂ ପ୍ରଭୁ ନାରାୟଣଙ୍କ ଶେଯ ଭାବେ ରହିଥିବା କୁହାଯାଏ । ଆହୁରି ମଧ୍ୟ ଆମ ପୃଥିବୀକୁ ବାସୁକୀ ନାଗ ନିଜ ମସ୍ତକରେ ଧାରଣ କରିଛନ୍ତି ଏବଂ ସମୁଦ୍ର ମନ୍ଥନ ବେଳେ ବାସୁକୀ ନାଗକୁ ଦଉଡ଼ି କରି ମନ୍ଦର ପର୍ବତରେ ଗୁଡ଼ାଇ ମନ୍ଥନ କରାଯାଥିବାର ମଧ୍ୟ ଲୋକକଥା ରହିଛି । ତେବେ ଏହି ବାସୁକୀ ସାପର ବଂଶଜଙ୍କ ଜୀବାଶ୍ମ ମିଳିଛି ଗୁଜରାଟରେ । ଏହା ଉପରେ ଜୋରସୋର ଗବେଷଣା ଚାଲିଛି । ଗୁଜରାଟ କଚ୍ଛ ଅଞ୍ଚଳରେ ଥିବା ଏକ ଲିଗନାଇଟ୍ ଖଣିରୁ ବାସୁକୀ ଇଣ୍ଡିକସ୍ ପ୍ରଜାତିର ଜୀବାଶ୍ମ ମିଳିଛି । ଯାହାର ଲମ୍ବ  ଆନାକୋଣ୍ଡ ଓ ଅଜଗର ଠାରୁ ବହୁତ ଅଧିକ ଥିଲା । ଏଭଳି ଭୟଙ୍କର ବିଶାଳ ସାପ କେବଳ ଭାରତରେ ହିଁ ଦେଖିବାକୁ ମିଳୁଥିଲେ ବୋଲି ଗବେଷକମାନେ ମତ ପ୍ରକାଶ କରିଛନ୍ତି ।

ଏହି ସାପର କଙ୍କାଳକୁ ପରୀକ୍ଷା କରି ବୈଜ୍ଞାନିକମାନେ କହିଛନ୍ତି କି ଏଭଳି ବାସୁକୀ ସାପ ସବୁର ଲମ୍ବ ୩୬ରୁ ୪୯ ଫୁଟ ପର୍ଯ୍ୟନ୍ତ ହୋଇପାରେ । ଆଉ ଏହାର ଓଜନ ପାଖାପାଖି ହଜାରେ କିଲୋ । ରୁରକି ଆଇଆଇଟିର ଗବେଷକମାନେ ଏହାକୁ ଯାଞ୍ଚ କରି କହିଛନ୍ତି କି ବର୍ତ୍ତମାନର ଆନାକୋଣ୍ଡା ପ୍ରାୟ ୨୦ ଫୁଟ ଏବଂ ଅଜଗର ୧୧ରୁ ୧୫ ଫୁଟ ଭିତରେ ଅଛନ୍ତି । ହେଲେ ଏହି ବାସୁକୀ ସାପ ଆଗରେ ଅତି ଛୋଟ ଲାଗିବେ । ଯଦିଓ ଏହା ପ୍ରମାଣିତ ହୋଇନାହିଁ ତଥାପି ଏହି ବାସୁକୀ ସାପ ତିମିରୁ ଆରମ୍ଭ କରି କୁମ୍ଭୀର ଆଦିକୁ ବି ଗିଳି ଦେଉଥିବ ବୋଲି ଅନୁମାନ କରାଯାଉଛି । ଏହାର ଆକାର ଡାଇନୋସର ଠୁ ବଡ଼ ଥିଲା । ଏହି ଜୀବାଶ୍ମ ଉପରେ ଅଧିକ ପରୀକ୍ଷା ନିରୀକ୍ଷା ଚାଲିଛି ।