କେଉଁ କାଳରୁ ଗଢି ଉଠିଛି ଏହି ଗାଁ ଜଣା ନାହିଁ, କିନ୍ତୁ ରହିଛି ବେଶ ଭାଇଚାରା
ସଂସ୍କୃତି, ଐତିହ୍ୟ , ପରମ୍ପରା ସହ ଯୋଡି ହୋଇଛି ଗାଁର ପରିଚୟ । ଏପରି ଏକ ଗାଁ ହେଉଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ଟିଟିଲାଗଡ଼ ବ୍ଲକ ର ମାନିଗାଁ ପଞ୍ଚାୟତ ର ନାନାଝର ଗାଁ । ୩ ୱାର୍ଡ ବିଶିଷ୍ଟ ଏହି ଗାଁରେ ରୁହନ୍ତି ପ୍ରାୟ ୨୨୦୦ ରୁ ଉର୍ଦ୍ଧ୍ବ ଲୋକ । ଗାଁ ରେ ୨ ଟି ଅଙ୍ଗନବାଡି କେନ୍ଦ୍ର ଅଛି । ଏଠାରେ ବିଭିନ୍ନ ସମ୍ପ୍ରଦାୟର ଲୋକ ବସବାସ କରୁଥିବା ବେଳେ ରୋଜଗାରର ମୁଖ୍ୟ ମାଧ୍ୟମ ଚାଷ ଓ ବ୍ୟବସାୟ । ଘଞ୍ଚ ଜଙ୍ଗଲ ମଧ୍ୟରେ ଘେରି ରହିଛି ଏହି ଗାଁ । ଏହି ଗାଁ କେଉଁ କାଳରୁ ଗଢି ଉଠିଛି ତାହା ଜଣା ନାହିଁ । ଛୋଟ ଗାଁ ହେଲେ ବି ଏହି ଗାଁରେ ଲୋକଙ୍କ ମଧ୍ୟରେ ବେଶ ଭାଇଚାରା ରହିଛି । ଏହି ଗାଁ ରେ ରହିଛି ଅନେକ ଦେବାଦେବୀ ମନ୍ଦିର । ଶିବ ମନ୍ଦିର, ଗାଁ ର ଇଷ୍ଟ ଦେବି ଦ୍ୱାରସେନି ମନ୍ଦିର, ଜଗନ୍ନାଥ ମନ୍ଦିର ସହ ଛୋଟ ମୋଟ ଦେବୀ ମନ୍ଦିର ରହିଛି । ଗାଁରେ ସରକାରଙ୍କ ସମସ୍ତ ଯୋଜନା ପହଞ୍ଚି ପାରିଛି । ଗାଁରେ ରହିଛି ଏକ ମାତ୍ର ପ୍ରାଥମିକ ବିଦ୍ୟାଳୟ । ଏହି ସ୍କୁଲରେ ୪୬ ଛାତ୍ରଛାତ୍ରୀ ଓ ୨ ଜଣ ଶିକ୍ଷୟତ୍ରୀ ଅଛନ୍ତି । ଗାଁର ୭୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ୫ କିଲୋମିଟର ଦୂରରେ ଥିବା ଟିଟିଲାଗଡ଼କୁ ଉଚ୍ଚ ଶିକ୍ଷା ପାଇଁ ଯାଇଥାନ୍ତି ।
ନାନାଝର ଗାଁ ଲୋକେ ମୁଖ୍ୟତଃ କୃଷି ଉପରେ ନିର୍ଭର କରନ୍ତି । ଧାନ ଚାଷ ହିଁ ମୁଖ୍ୟ ଚାଷ ଥିବା ବେଳେ ମୁଗ, ବିରି, କୋଳଥ ଇତ୍ୟାଦି ଡାଲି ଜାତୀୟ ଚାଷ ଓ ଶୀତ ଦିନେ ବିଭିନ୍ନ ପନିପରିବା ଚାଷ କରିଥାନ୍ତି ଗାଁ ଲୋକେ । ଫସଲ ଅମଳ ହେବା ପରେ ବଜାରରେ ବିକ୍ରି କରି ନିଜର ପରିବାର ପୋଷଣ କରିଥାନ୍ତି । ଗାଁ ରେ ଅଛି ୨୨ ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ । ଯେଉଁମାନେ ବିଭିନ୍ନ ଚାଷ କରି ସ୍ଵାବଲମ୍ବୀ ହେବା ସହ ପରିବାର ପ୍ରତିପୋଷଣ କରୁଛନ୍ତି । ଗାଁରେ ଶିକ୍ଷା ସୁବିଧା ଥିଲେ ମଧ୍ୟ ଗାଁରେ ପିଇବା ପାଣି ଓ ସ୍ୱାସ୍ଥ୍ୟ ଜନିତ ସମସ୍ୟାର ଅସୁବିଧା ଦେଖିବାକୁ ମିଳୁଛି । ରାସ୍ତାର ମଧ୍ୟ ସମସ୍ୟା ଥିବା କହିଛନ୍ତି ଗାଁ ଲୋକେ । ପାଣି ପାଇଁ ମୁଖ୍ୟତଃ ଏ ଅଞ୍ଚଳର ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନାନାଝର ଗ୍ରାମବାସୀ ଏସବୁ ସମସ୍ୟା ବିଷୟରେ ବିଭିନ୍ନ ସମୟରେ ବିଡିଓ ତଥା ପ୍ରଶାସନ ପାଖରେ ଜଣାଇଥିବା କହିଛନ୍ତି । ପାନୀୟ ଜଳର ସମସ୍ୟା ପାଇଁ ଓଭରହେଡ ଟାଙ୍କି ଥାଇ ମଧ୍ୟ ଗାଁରେ ପାନୀୟ ଜଳର ସମସ୍ୟା ଦେଖାଦେଉଛି ।
ଗାଁର ସମସ୍ୟା କେଉଁ କାଳରୁ ରହିଛି ତାର ହିସାବ ନାହିଁ । ରାଜ୍ୟ ଉନ୍ନତି ଆଡ଼କୁ ଗତି କରୁଛି କିନ୍ତୁ ଏଠାକାର ସମସ୍ୟା ପ୍ରତି କାହାର ବି ନଜର ନାହିଁ । ଯଦି ଏ ଗାଁ ପ୍ରତି ପ୍ରଶାସନର ଦ୍ରୁଷ୍ଟି ପଡ଼ନ୍ତା ତେବେ ହୁଏତ ଏମାନଙ୍କ ଅବସ୍ଥା ସୁଧୁରି ପାରିବ ।