ଧୁମଧାମ୍ ରେ ହାତୀ ଛୁଆର ଏକୋଇସିୟା ପାଳନ କଲେ ଗ୍ରାମବାସୀ

ଅନୁଗୁଳ : ବଡ ବଡ ଡିସ୍ ରେ ଚାଲିଛି ରୋଷେଇ । ବିଭିନ୍ନ ପ୍ରକାରର ସୁସ୍ୱାଦୁ ଖାଦ୍ୟର ବାସ୍ନାରେ ମହକି ଉଠୁଛି ସାରା ପରିବେଶ । ଏପଟେ ପୂଜା ପାଠର ଆସର ଭିତରେ ଜମିଛି ମାହୋଲ । ସେପଟେ ଗାଁ ଦାଣ୍ଡରେ ଧାଡି ହୋଇ ବସି ଭୋଜି ଖାସିବାରେ ବ୍ୟସ୍ତ ଗ୍ରାମବାସୀ । ହେଲେ କାହିଁକି ଏସବୁର ଆୟୋଜନ?
ପରିବାରରେ ପିଲାଟିଏ ଜନ୍ମ ହେଲେ ଲୋକମାନେ ତାହାର ନାମକରଣ କରିବା ସହିତ ଏକୋଇସିୟା ପାଳନ କରିଥାନ୍ତି । ଏ ତ ଘର ଘର ର କଥା । କିନ୍ତୁ ଗୁରଙ୍ଗ ଗାଁରେ ମଣିଷ ଛୁଆ ନୁହେଁ ବରଂ ଏକ ହାତୀ ଛୁଆର ଏକୋଇସିୟା ପାଳନ ହେଉଥିବାର ଦେଖିବାକୁ ମିଳିଛି । ହଁ ଆଜ୍ଞା, ଜଙ୍ଗଲ ସୁରକ୍ଷା ଦିଗରେ ଜିଲ୍ଲାରେ ଏହି ଗାଁର ରହିଛି ସ୍ଵତନ୍ତ୍ର ପରିଚୟ । ଏହି ପରିପେକ୍ଷୀରେ ପୁଣି ଗ୍ରାମବାସୀଙ୍କ ବନ୍ୟପ୍ରାଣୀଙ୍କ ପ୍ରତି ଭଲପାଇବାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି ।
ସୂଚନା ମୁତାବକ, ଅନୁଗୁଳ ବନାଞ୍ଚଳ ଗୁରଙ୍ଗ ଗାଁର ଲୋକମାନେ ଠେଙ୍ଗା ପାଳି କରି ପ୍ରାୟ ୪୦ ବର୍ଷ ହେଲା ଜଙ୍ଗଲ ସୁରକ୍ଷା କରି ଆସୁଛନ୍ତି । ଫଳରେ ଗାଁକୁ ଲାଗିଥିବା ଜଙ୍ଗଲରେ ଏବେ ଆକାଶକୁ ଛୁଇଁଲା ଭଳି ବଡ଼ ବଡ଼ ଶାଳ ଗଛ ଛିଡ଼ା ହୋଇଛି । ଆଉ ଏହି ଜଙ୍ଗଲ ମଧ୍ୟ ବନ୍ୟଜନ୍ତୁଙ୍କ ନିର୍ଭୟ ବାସସ୍ଥଳୀ ପାଲଟିଛି । ଗାଁର ଲୋକମାନେ ମିଳିମିଶି ଜଙ୍ଗଲକୁ ସୁରକ୍ଷା ଦେବା ସହିତ ବନ୍ୟଜନ୍ତୁଙ୍କୁ ମଧ୍ୟ ସୁରକ୍ଷା ଦେଇ ଆସୁଛନ୍ତି । ଫଳରେ ଏହି ଜଙ୍ଗଲରେ ଏବେ ହରିଣ ଠାରୁ ଆରମ୍ଭ କରି ବିଭିନ୍ନ ବନ୍ୟଜନ୍ତୁ ଓ ସରୀସୃପ ରହୁଛନ୍ତି । ବନ୍ୟଜନ୍ତୁଙ୍କ ପାଇଁ ଏହି ଜଙ୍ଗଲ ଏକ ସୁରକ୍ଷିତ ସ୍ଥାନ ହୋଇ ରହିଛି ।
ତେବେ ଯାହା ସୂଚନା ମିଳିଛି କି, ଏହି ଜଙ୍ଗଲରେ ଆଜିକୁ ୨୧ ଦିନ ହେବ ଏକ ହାତୀ ଛୁଆ ଜନ୍ମ କରିଥିବା ବେଳେ ଏହି ଖବର ଶୁଣି ଗୁରଙ୍ଗ ଗାଁର ଲୋକମାନଙ୍କ ଖୁସି କହିଲେ ନସରେ । ଆଉ ଏହି ଖବର ପ୍ରଚାର ହେବା ପରେ ହାତୀ ଛୁଆର ଏକୋଇସିୟା ପାଳନ କରିବେ ବୋଲି ନିଷ୍ପତ୍ତି ନେଇଥିଲେ । ତେବେ ଗତକାଲି ଗାଁ ଲୋକମାନେ ମିଶି ହାତୀ ଛୁଆର ଏକୋଇସିୟା ମହାଆଡ଼ମ୍ବରରେ ପାଳନ କରିଥିବା ଦେଖିବାକୁ ମିଳିଛି ।
ଏଥିପାଇଁ ଗାଁ ଚଳଚଞ୍ଚଳ ହୋଇଉଠିଥିଲା ସମଗ୍ର ଗାଁ । ଗାଁରେ ଭୋଜିଭାତର ଆସର ମଧ୍ୟ ଜମିଥିଲା । ଗ୍ରାମବାସୀ ଏକାଠି ବସି ଭୋଜି ଖାଇ ଖୁସିରେ ମସ୍ଗୁଲ ହୋଇଥିଲେ । ତେବେ ଖାଲି ଏତିକି ନୁହେଁ ଏହି ଅବସରରେ ସଭିଏଁ ହାତୀ ଛୁଆର ଦୀର୍ଘ ଜୀବନ କାମନା କରିବା ସହିତ ତ୍ରିନାଥ ମେଳା ଆୟୋଜନ କରିଥିଲେ । ହୋମ ଯଜ୍ଞ ମଧ୍ୟ କରାଯାଇଥିଲା ।
ଗୋଟେପଟେ ହାତୀ ମଣିଷ ଲଢ଼େଇ ପାଇଁ ଉଭୟଙ୍କ ଜୀବନ ବିପଦରେ ପଢୁଥିବା ବେଳେ, ଅପରପଟେ ଏହି ଗୁରଙ୍ଗ ଗାଁର ଲୋକମାନେ ହାତୀ ସୁରକ୍ଷା ପାଇଁ ଏପରି କାର୍ଯ୍ୟକ୍ରମ କରି ନିଆରା ଉଦାହରଣ ସୃଷ୍ଟି କରିଛନ୍ତି । ଯାହା ଏହି ସମାଜ ପାଇଁ ଏକ ପ୍ରେରଣା ନିଶ୍ଚୟ ।
ଆହୁରି ପଢନ୍ତୁ: ଚାଲିଥିଲା ଦଣ୍ଡଯାତ୍ରା, ମୟୁରପୁଚ୍ଛରେ ଦର୍ଶନ ଦେଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥ