ଗାଁ ଲୋକଙ୍କ ଅଭିଯୋଗ ପ୍ରାଇଭେଟ୍ ଋଣ ପ୍ରଦାନ କାରି ସଂସ୍ଥା ପାଇଁ ଯାଉଛି ମହିଳାଙ୍କ ଜୀବନ

ଗାଁ ଲୋକଙ୍କ ଅଭିଯୋଗ ପ୍ରାଇଭେଟ୍ ଋଣ ପ୍ରଦାନ କାରି ସଂସ୍ଥା ଏବେ ପାଲଟିଛି ମୃତ୍ୟୁର ସୌଦାଗର। ଋଣ ସୁଝି ନପାରି ମହିଳାଙ୍କ ଜୀବନ ଯାଉଛି । କିଛି ଦିନ ଭିତରେ ଜଣକର ଜୀବନ ଯାଇଥିବା ବେଳେ ଅନ୍ୟ କେତେଜଣ ଏବେ ମେଡିକାଲ ରେ ଜୀବନ ମରଣ ସହିତ ସଂଗ୍ରାମ କରୁଛନ୍ତି । ତେବେ କାହିଁକି ଏଭଳି ପରିସ୍ଥିତି ଉପୁଜୁଛି ଆସନ୍ତୁ ଦେଖିବା ଏହି ରିପୋର୍ଟ ରେ ….

କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକର ଶିବନାରାୟଣପୁର ଗାଁ । ଗାଁରେ ୯୦ଭାଗ ଲୋକ ପନିପରିବା ଚାଷ ଉପରେ ନିର୍ଭରଶୀଳ। ଏହି ଚାଷ ପାଇଁ ବ୍ୟାଙ୍କ ଓ ବିଭିନ୍ନ ଗ୍ରୁପରୁ ଋଣ ଆଣିଥାନ୍ତି ଏଠାକାର ବାସିନ୍ଦା । ଗାଁର ଗିରିଧାରୀ ଦାସ ଜଣେ କ୍ଷୁଦ୍ର ଚାଷୀ ଥିବା ବେଳେ ପନିପରିବା ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି । ଚାଷ ପାଇଁ ତାଙ୍କ ପତ୍ନୀ କୁନ୍ତଳା ଦାସ ଗ୍ରୁପ୍ ଋଣ ଆଣି ସ୍ବାମୀଙ୍କୁ ଦେଇଥାନ୍ତି । ଚାଷରୁ ଯାହା ଆୟ ହୁଏ ସେଥିରୁ ଋଣ ଟଙ୍କା ପରିଶୋଧ କରିଥାନ୍ତି । ମହିଳା ଜଣଙ୍କ ଦୁଇଟି ଗ୍ରୁପରୁ ୧ଲକ୍ଷ ୪୦ହଜାର ଟଙ୍କା ଋଣ ଆଣି ଚାଷବାସ କରିଥିଲେ । କିନ୍ତୁ ଚଳିତ ବର୍ଷ ପନିପରିବା ଦର ନରହିବାରୁ ଚାଷରେ ବହୁତ କ୍ଷତିର ସମ୍ମୁଖୀନ ହେଲେ।

ଫଳରେ ଋଣ ଟଙ୍କା ପରିଶୋଧ କରିବାରେ ନାନା ସମସ୍ୟା ଦେଖା ଦେବାରୁ ସାହି ପଡିଶା ଲୋକଙ୍କ ଠାରୁ ଧାର କରଜ କରି ଋଣ ଶୁଝୁଥିଲେ । କିନ୍ତୁ ଗୋଟିଏ ପଟେ ସାହି ପଡିଶାଙ୍କ ପଇସା ଶୁଝି ନଥିବା ବେଳେ ଗ୍ରୁପ ଋଣ ବାଲା ବାରମ୍ଵାର ଘରକୁ ଆସି ତାଗିଦ କରିବାରୁ ସେ ମାନସିକ ଭାରସାମ୍ୟ ହରାଇ ଘରେ ଚାଷ ପାଇଁ ଥିବା କୀଟନାଶକ ଔଷଧ ପିଇ ଦେଇଥିଲେ । ପରିବାର ଲୋକେ ଜାଣିବା ପରେ ତାଙ୍କୁ ପ୍ରଥମେ ଆନନ୍ଦପୁର ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ । ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ଏପରିକି ମୃତ୍ୟ ବରଣ କରିବା ଦିନ ମଧ୍ୟ ଘରୋଇ ଫାଇନାନ୍ସ ସଂସ୍ଥାର କର୍ମଚାରୀ ମାନେ ଆସି ତାଙ୍କ ଘର ବାରଣ୍ଡାରେ ବସିବାରୁ ପଡ଼ୋଶୀ ମାନେ ନିଜ ନିଜ ଭିତରେ ଅର୍ଥ ସଂଗ୍ରହ କରି କିସ୍ତି ପୈଠ କରିଥିବା କହିଛନ୍ତି ।

ସେହିପରି ଅନ୍ୟ ଜଣେ ମହିଳା ଗ୍ରୁପ ଋଣ ଟଙ୍କା ପରିଶୋଧ କରି ନପାରି ଗତକାଲି ଘରେ ଥିବା କୀଟନାଶକ ଔଷଧ ପିଇ ଦେଇଛନ୍ତି । ତାଙ୍କୁ ମଧ୍ଯ ପ୍ରଥମେ ଆନନ୍ଦପୁର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ଘରୋଇ ଫାଇନାନ୍ସ ସଂସ୍ଥାର ଋଣ ଆଦାୟ ଜୁଲମ ମହିଳା ମାନଙ୍କୁ ମାନସିକ ଆଘାତ ଦେଉଥିବା ବେଳେ ଅନେକ ପରିବାରରେ ଅଶାନ୍ତି ସୃଷ୍ଟି କରୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେବେ ଋଣ ଲଗାଣ କରି ସଂସ୍ଥା ଗୁଡ଼ିକ ଗ୍ରାହକଙ୍କୁ ଟଙ୍କା ଦେବା ସମୟରେ ସେମାନଙ୍କ ଆର୍ଥିକ ସ୍ଥିତି ଦେଖୁନାହାଁନ୍ତି । ଏବଂ ଟଙ୍କା ଆଦାୟ କରିବା ସମୟରେ ସେମାନଙ୍କ ସୁବିଧା ଅସୁବିଧା ଦେଖୁ ନଥିବାରୁ ଏପରି ଘଟଣା ଘଟୁଛି ବୋଲି ଅଭିଯୋଗ ହୋଇଛି । ଏନେଇ ସରକାର ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

Also Read:ପାରାୟଣ ବେଳେ ମହାପ୍ରୟାଣ: ଭଗବାନଙ୍କ କଥା କହିବା ବେଳେ ଟଳି ପଡ଼ିଲେ ପ୍ରବଚକ