ବିନା ପଇସାରେ ୬୦ ବର୍ଷରୁ ଉର୍ଦ୍ଧ୍ବ କାଳ ଧରି ଛାତ୍ରଛାତ୍ରୀଙ୍କୁ ଚାଟଶାଳୀରେ ପାଠ ପଢ଼ାଇ ଚର୍ଚ୍ଚାରେ ବିନୋଦ ମାଷ୍ଟ୍ରେ

ଯାଜପୁର: ନା ଅଛି ସ୍ମାର୍ଟ କ୍ଲାସ ରୁମ୍ ନା ଅଛି ସ୍ମାର୍ଟ ବୋର୍ଡ । ନା ଅଛି ଶୀତ ତାପ ନିୟନ୍ତ୍ରିତ ଘର ନା କୌଣସି ଅତ୍ୟାଧୁନିକ ବ୍ୟବସ୍ଥା । ତଥାପି ପ୍ରତିଦିନ ଏଠି ତିଆରି ହୁଅନ୍ତି ମଣିଷ । ମଣିଷ ତିଆରି କାରଖାନା ଚଳାଉଛନ୍ତି ବିଂଝାରପୁର ବ୍ଲକ ମାଁସଡା ପଞ୍ଚାୟତ ଅନ୍ତର୍ଗତ ଦଧିବାମନପୁର ଗାଁର ବିନୋଦ ବିହାରୀ ଲେଙ୍କା । ଚାକିରି ପଛରେ ନ ଗୋଡେଇ ଦୀର୍ଘ ୬୦ ବର୍ଷ ହେଲା ଶିକ୍ଷାଦାନ କରିଚାଲିଛନ୍ତି  ଏହି ଝାଟି ମାଟିର ଚାଟ ଶାଳୀରେ । ଏଠି ବିନୋଦ ମାଷ୍ଟ୍ରେ ଏବଂ ଛାତ୍ରଛାତ୍ରୀଙ୍କ ସହିତ କୌଣସି ବ୍ୟବସାୟିକ ସମ୍ପର୍କ ନାହିଁ କେବଳ ଶିକ୍ଷା ସଂପର୍କ ।

ପ୍ରତିଯୋଗିତା ମୂଳକ ବଜାରରେ ଶିକ୍ଷା ଏକ ସଫଳ ବ୍ୟବସାୟରେ ପରିଣତ ହୋଇଛି । ସବୁ ଆଡ଼େ ଚକାଚକ୍ ଶୀତ ତାପ ନିୟନ୍ତ୍ରିତ କ୍ଲାସ ରୁମରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ । କିନ୍ତୁ ଆଜି ବି ଏମିତି ଗୁରୁ ଅଛନ୍ତି ଯିଏ ବିନା ପଇସାରେ ନିୟମିତ ପାଠ ପଢାନ୍ତି । ସେ ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୬୦ ବର୍ଷରୁ ଉର୍ଦ୍ଧ୍ବ କାଳ ଧରି ଛାତ୍ରଛାତ୍ରୀଙ୍କୁ ନିଜ ଚାଟଶାଳୀରେ ପାଠ ପଢ଼ାଇ ଚର୍ଚ୍ଚାରେ ଅଛନ୍ତି । ଏଭଳି ନିଶୁଳ୍କ ଚାଟଶାଳୀ ଖୋଲି ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇ ସୁକିନ୍ଦାର ନନ୍ଦ ମାଷ୍ଟ୍ରେଙ୍କୁ ମିଳିଥିଲା ପଦ୍ମଶ୍ରୀ ସମ୍ମାନ । ଆଜି ଆଉ ଜଣେ ନନ୍ଦ ମାଷ୍ଟ୍ରେଙ୍କ କାହାଣୀ ଦେଖିବା । ଯିଏ କୁନି କୁନି ପିଲାଙ୍କୁ ହିଁ ନିଜ ଜୀବନର ସାଥୀ କରିନେଇଛନ୍ତି । ବିନୋଦ ମାଷ୍ଟ୍ରେ ପ୍ରତ୍ୟେହ ପିଲାଙ୍କୁ ପାଠ ପଢ଼ାଇ ଗାଁରେ ସ୍ରୁଷ୍ଟି କରିଛନ୍ତି ଭିନ୍ନ ପରିଚୟ । ସକାଳୁ ଉଠି ନିତ୍ୟ କର୍ମ ସାରିବା ପରେ ବିଲ ବାଡ଼ି କାମରେ ବାହାରି ଯାଆନ୍ତି । କାମରୁ ଫେରି ନିଜେ ରୋଷେଇ କରନ୍ତି । କାହିଁକି ନା କେଉଁ କାଳରୁ ପରପାରିକୁ ଚାଲିଯାଇଛନ୍ତି ତାଙ୍କ ସ୍ତ୍ରୀ । ସବୁ କାମ ସରିବା ପରେ ଦିନ ୩ଟାକୁ ଅପେକ୍ଷା କରନ୍ତି । କାହିଁକି ନା ଦିନ ୩ଟା ହେଲେ ଚାଟଶାଳୀରେ କୁନି କୁନି ପିଲାଙ୍କ ଭିଡ଼ ଜମେ । ଆଉ ଆରମ୍ଭ ହୋଇଯାଏ ପିଲାଙ୍କ ପାଠ ପଢ଼ା । ପିଲାଙ୍କୁ ପାଠ ପଢ଼ାଇ ସାରିବା ପରେ ସମୟ ମିଳିଲେ ଗୀତ ବୋଲନ୍ତି ବିନୋଦ ମାଷ୍ଟ୍ରେ । ଆଉ ଗାଁ ଲୋକଙ୍କ ସହ ସମୟ ବିତାଇ ନିଜର ଏକାପଣକୁ ଦୂର କରନ୍ତି ।

ପିଲାଙ୍କୁ ମଣିଷ କରିବାକୁ ଯାଇ ନିଜର ଯୌବନ ସାରି ଦେଇ ଏବେ ସେ ପରିଣତ ବୟସରେ ପହଞ୍ଚିଛନ୍ତି ବିନୋଦ ମାଷ୍ଟ୍ରେ । ୭୮ ବର୍ଷୀୟ ବିନୋଦ ସାର ସ୍ଥାନୀୟ ଅଞ୍ଚଳର ଅଭାବୀ ପିଲା, ବସ୍ତି ପିଲାଙ୍କୁ ନିଶୁଳ୍କ ଶିକ୍ଷା ଜାରି ରଖି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ନିଜର ସମସ୍ତ ଝିଅଙ୍କ ବିବାହ ଏବଂ ପୁଅର ଅକାଳ ବିୟୋଗ ପରେ ଏହି ଚାଟଶାଳୀ ଏବଂ ଏଠାକାର ପିଲା ତାଙ୍କ ପାଇଁ ସବୁ କିଛି । ଶିକ୍ଷା ଜଗତରେ ଏଭଳି ଜଣେ ନିଆରା ନନ୍ଦ ମାଷ୍ଟ୍ରେଙ୍କ କାହାଣୀ ଅନ୍ୟ ଶିକ୍ଷକମାନଙ୍କୁ ପ୍ରେରଣା ଯୋଗାଇବ ।

ବିନୋଦ ମାଷ୍ଟ୍ରେଙ୍କ ନିଆରା ପାଠ ପଢା ସତେ ଯେମିତି ଗୁରୁକୁଳ ପରମ୍ପରାକୁ ମନେ ପକେଇ ଦେଇଛି । ତେଣୁ ଏଭଳି ଜଣେ ଆଦର୍ଶ ଶିକ୍ଷକଙ୍କୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ସମ୍ମାନ ଦେବାକୁ ଦାବି ହେଉଛି ।

Also Read:ବର୍ଷ ସରିଲା ଚାକିରି ବି ସରିଲା: ବ୍ଯାସନଗରର ଆଦର୍ଶ ଶିକ୍ଷକଙ୍କୁ ଦିଆଗଲା ଅବସର କାଳୀନ ସମ୍ବର୍ଦ୍ଧନା