ପେଟ ପୋଷୁଛି ତରଭୁଜ ଚାଷ, ପ୍ରୋତ୍ସାହନ ମିଳିଲେ ରୋଜଗାର କ୍ଷେତ୍ରରେ ହେବ ଏକ ବଡ଼ ମାଧ୍ୟମ

ସୁନ୍ଦରଗଡ: ତରଭୁଜ କାହାର ବା ପସନ୍ଦ ନୁହେଁ । ପ୍ରାୟ ସମସ୍ତଙ୍କ ପ୍ରିୟ ହୋଇଥାଏ ତରଭୁଜ । ବିଶେଷକରି ଖରାଦିନେ ଲୋକେ ତରଭୁଜ ଖାଇବାକୁ ପସନ୍ଦ କରିଥାନ୍ତି । ଖରା ଦାଉରୁ ରକ୍ଷା କରିବା ସହ ଶରୀରର ଜଳୀୟ ଅଂଶକୁ ସ୍ଥିର ରଖିବାରେ ତରଭୁଜର ଭୂମିକା ଗୁରୁତ୍ୱପୂର୍ଣ୍ଣ । ତେଣୁ ଆଜିକାଲିର ଯୁବପିଢ଼ି ତରଭୁଜ ଚାଷ ଆପଣାଉଛନ୍ତି । ଜଳର ସୁଲଭତା, ଅନୁକୂଳ ଜଳବାୟୁ ଚାଷୀଙ୍କ ଜୀବନ ଧାରଣରେ ବେଶ ସହାୟକ ହୋଇଛି । ଯାହା କୃଷି ଓ କୃଷକଙ୍କ ଉନ୍ନତି କ୍ଷେତ୍ରରେ ନୂଆ ସମ୍ଭାବନା ଆଣିଛି ।
ତେବେ ନିଜସ୍ୱ ଉଦ୍ୟମରେ ଅସାଧ୍ୟ କାର୍ଯ୍ୟକୁ ସାଧ୍ୟ କରି ଦେଖାଇଛନ୍ତି ଚାଷୀ ଭାଇ । ସୁନ୍ଦରଗଡ ଜିଲ୍ଲା ବଣାଇ ବ୍ଲକର ଫଳସାଘାଟ ଗ୍ରାମରେ ଖରାଟିଆ ତରଭୁଜ ଚାଷ ରୋଜଗାରର ଏକ ବଡ଼ ମାଧ୍ୟମ ପାଲଟିଛି । ବ୍ରାହ୍ମଣୀ ନଦୀ ବାମ ପାର୍ଶ୍ଵରେ ଥିବା ଯୋଗୁଁ ଏଠାରେ ରହିଛି ଜଳର ସୁଲଭତା । ଯାହା ତରଭୁଜ ଚାଷ ପାଇଁ ବେଶ ଅନୁକୂଳ ହୋଇଛି । ଶହ ଶହ ଏକର ଚାଷ ଜମିରେ ତରଭୁଜ ଚାଷର ଭଣ୍ଡାର ଦେଖିବାକୁ ମିଳିଛି । ଉଚିତ ମାର୍କେଟ ନଥିଲେ ମଧ୍ୟ ପଶ୍ଚିମବଙ୍ଗ, ବିହାର, ଛତିଶଗଡ ଆଦି ରାଜ୍ୟ ଗୁଡିକୁ ଏହି ଅଞ୍ଚଳର ମିଠା ତରଭୁଜ ରପ୍ତାନି ହେଉଛି ।
ଯାହା ଚାଷୀ ଭାଇର ଭାତ ହାଣ୍ଡି । ଏହି ତରଭୁଜ ଚାଷ ଚାଷୀ ଭାଇଙ୍କର ପେଟ ପୋଷୁଛି । ସେମାନଙ୍କ ପାଇଁ ରୋଜଗାରର ଏକ ବଡ଼ ମାଧ୍ୟମ ପାଲଟିଛି । ଚଳିତ ବର୍ଷ ସେତେ ଅଧିକ ଭଲ ଚାଷ ହୋଇ ନଥିଲେ ମଧ୍ୟ ଚାଷୀ ଭାଇ ଅକ୍ଲାନ୍ତ ପରିଶ୍ରମ କରି ନଦୀ ମାଟିରେ ଫସଲ ଫଳାଇବାରେ ସଫଳ ହୋଇଛି । ଶୀତଳ ଭଣ୍ଡାର ଏବଂ ଉଚିତ ମାର୍କେଟ ନଥିବା ଯୋଗୁଁ ତରଭୁଜ କିଲୋ ପିଛା ୮ ରୁ ୧୦ ଟଙ୍କାରେ ବିକ୍ରୟ କରାଯାଉଛି । ଯାହା ଚାଷୀ ନିଜର ଉପଯୋଗୀ ଅର୍ଥ ଠାରୁ ଢେର କମ୍ ।
ତରଭୁଜ ଚାଷ ପାଇଁ ସରକାରୀ ସ୍ତରରେ ଉଚିତ ପ୍ରୋତ୍ସାହନ ଏବଂ ଚାଷୀ ଭାଇ ମାନଙ୍କୁ ଉଚିତ ପ୍ରାପ୍ୟ ସହ ବିହନ ଏବଂ ଋଣ ଯୋଗାଇ ଦିଆଗଲେ ସେମାନେ ତରଭୁଜ ଚାଷ କରି ସ୍ୱାବଲମ୍ବୀ ହୋଇପାରିବେ । ରାଉରକେଲା, ଅନୁଗୁଳ, କେଉଁଝର, କଟକ, ସମ୍ବଲପୁର, ସୁନ୍ଦରଗଡ଼ ଆଦି ଅଂଚଳକୁ ଏହି ତରଭୁଜ ପଠାଇ ଏବେ ରୋଜଗାର କରୁଛନ୍ତି ଚାଷୀ । ଚାଷ ଓ ଚାଷୀଙ୍କ ସୁବିଧା ସହ ତରଭୁଜ ଚାଷୀଙ୍କ ପାଇଁ ସରକାରୀ ସହାୟତା, ବିହନ, ଋଣ ଏବଂ କୃଷି ଉପକରଣ ଯୋଗାଇ ଦିଆଗଲେ ତାହା ଚାଷୀଙ୍କ ଆର୍ଥିକ ମାନଦଣ୍ଡ ସୁଦୃଢ କରିବା ସହ ବିକଶିତ ଓଡିଶା ଏବଂ କୃଷି କ୍ଷେତ୍ରରେ ଅଭିବୃଦ୍ଧି ସୃଷ୍ଟି କରି ପାରିବ ।
Also read: ଆଜି ମିଳିବ ‘ସୁଭଦ୍ରା’ର ଷଷ୍ଠ ପର୍ଯ୍ୟାୟ ଟଙ୍କା, ଏକାସାଙ୍ଗରେ ଆସିବ ଦୁଇଟି କିସ୍ତି