ଖରା ବଢିବା ସାଙ୍ଗକୁ ବଢୁଛି ତରଭୁଜର ଚାହିଦା, ମେଣ୍ଟାଉଛି ଲୋକଙ୍କ ତୃଷ୍ଣା

ଲାଲ ଟହ ଟହ ତରଭୁଜ । ଖାଇଦେଲେ ମନ ଶାନ୍ତି । ଟିକେ ଛାଇରେ ରହି ଦୁଇ ଚାରି ଖଣ୍ଡ ଖାଇଦେଲେ ମନ ଖୁସି ହୋଇଯାଏ । ଗରମରେ ତରଭୁଜ ଖାଇଦେଲେ ଭୋକ ଓ ଶୋଷ ସବୁ ମେଣ୍ଟିଯାଏ । ଦୂରେଇ ଯାଇଥାଏ ଥକାପଣ । ଏଥିପାଇଁ ଯାଜପୁର ଦେଇ ଯାଇଥିବା ୧୬ନଂ ଜାତୀୟ ରାଜପଥ ପାର୍ଶ୍ବରେ ଥିବା ତରଭୁଜ ଦୋକାନ ଗୁଡିକରେ ଗ୍ରାହକଙ୍କ ଭିଡ ଜମିଲାଣି । ତରଭୁଜକୁ ଫାଳ ଫାଳ କରି ଟିକେ ଲୁଣ ଛିଞ୍ଚି ଦେଇ ବାଟୋଇକୁ ଅତି ଆନନ୍ଦରେ ପରଷି ଦେଉଛନ୍ତି ଦୋକାନୀ । ଗନ୍ତବ୍ୟସ୍ଥଳକୁ ଯିବା ପୂର୍ବରୁ ଯାତ୍ରୀମାନେ ଟିକେ ଅଟକି ଯାଇ ଖାଉଛନ୍ତି ଏହି ତରଭୁଜକୁ । ନିଜେ ଖାଇବା ସହ ପରିବାର ଲାଗି ମଧ୍ୟ ବାଛି ବାଛି ତରଭୁଜ କିଣି ନେଉଥିବା ଦେଖିବାକୁ ମିଳିଛି ।
ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢିବାରେ ଲାଗିଛି । ଏଥିରୁ ଟିକେ ମୁକ୍ତି ପାଇବା ପାଇଁ ବାଟୋଇଙ୍କ ପ୍ରଥମ ପସନ୍ଦ କୋଲଡ୍ରିଂକ୍ସ ଥାଏ । ସେଥିମଧ୍ୟରୁ ତରଭୁଜ ଖାଇବାର ମଜା ନିଆରା । ତେଣୁ ଏବେ ଖରା ବଢିବା ସାଙ୍ଗକୁ ବଢୁଛି ତରଭୁଜର ଚାହିଦା।
ଆଜିକାଲିର କେମିକାଲ କୋଲଡ୍ରିଂକ୍ସ ଠାରୁ ଦେଶୀ ତରଭୁଜ ବେଶ ଭଲ । ଖରାଦିନିଆ ହେଲଦି ଫୁଡ୍ ସହ ପାନୀୟ ଭାବେ ସମସ୍ତଙ୍କର ପ୍ରଥମ ପସନ୍ଦ ଥାଏ ତରଭୁଜ । ଦାମ ବି ଅଧିକ ନୁହେଁ । ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ମୁଳାପାଳ ଅଂଚଳରେ ନିତିଦିନିଆ ମିଳେ ବିଭିନ୍ନ କିସମର ତରଭୁଜ ।
ଏହାକୁ ବିକ୍ରି କରି ବ୍ୟବସାୟୀ ବେଶ ଭଲ ଦୁଇ ପଇସା ରୋଜଗାର କରୁଛନ୍ତି । ବର୍ଷ ତମାମ ଏଠାରେ ତରଭୁଜ ମିଳିଥାଏ । ଅନ୍ୟ ସ୍ଥାନରୁ ମଧ୍ୟ ଏଠାକୁ ତରଭୁଜ ଆସିଥାଏ । ଏବେ ଖରା ବଢିବା ଯୋଗୁ ଏହାର ଚାହିଦା ମଧ୍ୟ ବଢି ଯାଇଛି । ଏଥିପାଇଁ ତ ଧିରେ ଧିରେ ଏହି ଅଞ୍ଚଳ ଏବେ ତରଭୁଜ ବ୍ୟବସାୟର ପେଣ୍ଠସ୍ଥଳୀ ପାଲଟି ଗଲାଣି ।
Also Read : ସ୍ୱାବଲମ୍ବୀ କରିଛି ତରଭୁଜ ଚାଷ, ବିଦେଶୀ ତରଭୁଜ ଚାଷ କରି ବେଶ ଚର୍ଚ୍ଚାରେ ସ୍ୱରୂପ