ହିମାଚଳ ପ୍ରଦେଶ ଓ କେରଳରେ ବଦଳୁଛି ପାଣିପାଗ, ଆତଙ୍କରେ ଲୋକେ
ହିମାଚଳ ପ୍ରଦେଶରେ ବର୍ଷା ଏବଂ ତୁଷାରପାତ ଆରମ୍ଭ ହୋଇଥିବାବେଳେ ଫେବୃଆରୀରୁ ହିଁ କେରଳ ଗରମ ହେବାରେ ଲାଗିଲାଣି । ମାର୍ଚ୍ଚ ମାସ ଆରମ୍ଭ ନହେଉଣୁ କେରଳରେ ଅସହ୍ୟ ତାତି ଦେଖାଗଲାଣି । କେରଳର ତିନୋଟି ଜିଲ୍ଲାରେ ସର୍ବାଧିକ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରେକର୍ଡ କରାଯାଇଛି ।

ହିମାଚଳ ପ୍ରଦେଶ ଏବଂ କେରଳ ହେଉଛି ଦୁଇଟି ଭିନ୍ନ ରାଜ୍ୟ, ଯାହା ଦେଶର ବିପରୀତ ଅଞ୍ଚଳରେ ଅବସ୍ଥିତ । ଦୁଇ ରାଜ୍ୟର ଭୌଗୋଳିକ ସ୍ଥିତି ମଧ୍ୟ ବହୁତ ଭିନ୍ନ, ଯାହା ସେମାନଙ୍କର ଜଳବାୟୁ ସ୍ଥିତିକୁ ପ୍ରଭାବିତ କରିଥାଏ । ବର୍ତ୍ତମାନ ହିମାଚଳ ପ୍ରଦେଶ ଏବଂ କେରଳରେ ପାଣିପାଗ ସମ୍ପୂର୍ଣ୍ଣ ଭିନ୍ନ ରହିଛି । ହିମାଚଳ ପ୍ରଦେଶରେ ବର୍ଷା ଏବଂ ତୁଷାରପାତ ଆରମ୍ଭ ହୋଇଥିବାବେଳେ ଫେବୃଆରୀରୁ ହିଁ କେରଳ ଗରମ ହେବାରେ ଲାଗିଲାଣି । ମାର୍ଚ୍ଚ ମାସ ଆରମ୍ଭ ନହେଉଣୁ କେରଳରେ ଅସହ୍ୟ ତାତି ଦେଖାଗଲାଣି । କେରଳର ତିନୋଟି ଜିଲ୍ଲାରେ ସର୍ବାଧିକ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରେକର୍ଡ କରାଯାଇଛି । କିନ୍ତୁ ଗୋଟିଏ ଦେଶରେ ଦୁଇଟି ସ୍ଥାନରେ ଏଭଳି ଜଳବାୟୁରେ ପରିବର୍ତ୍ତନ କାହିଁକି ହେଉଛି । ଏହା ପଛରେ କାରଣ କଣ ? ଏମିତି ପ୍ରଶ୍ନ ଆପଣଙ୍କ ମନରେ ନିଶ୍ଚିତ ଆସୁଥିବ । ତେବେ ଆସନ୍ତୁ ଜାଣିବା ଏହା ପଛରେ କଣ କାରଣ ରହିଛି ।
ଅନ୍ୟପଟେ ହିମାଚଳ ପ୍ରଦେଶର ଲାହୋଲ୍ ସ୍ପିତି, ମନାଲି, କିନ୍ନୌର, କାଜା ସମେତ ଅନେକ ଅଞ୍ଚଳରେ ଗତ ସପ୍ତାହରୁ ହାଲୁକା ବର୍ଷା ସହ ତୁଷାରପାତ ହେଉଛି । ଏଭଳି ଅବସ୍ଥା ଦେଖିବା ପରେ ପାଣିପାଗ ବିଭାଗ ମଧ୍ୟ ରେଡ ଆଲର୍ଟ ଜାରି କରିଛି । ପାଣିପାଗ ବିଭାଗ ପ୍ରଶାସନକୁ ସତର୍କ ରହିବାକୁ ପରାମର୍ଶ ଦେଇଛି । ହିମାଚଳ ପ୍ରଦେଶର ଉଚ୍ଚ ସ୍ଥାନ ମାନଙ୍କରେ ଶୀତଲହରୀ ପ୍ରକୋପ ବଢ଼ିଚାଲିଛି । ଅତ୍ୟଧିକ ଥଣ୍ଡା ହେଉଥିବାରୁ ୩୫୬ଟି ରାସ୍ତା ବନ୍ଦ କରାଯାଇଛି ଏବଂ ୧୬୨ଟି ଟ୍ରାନ୍ସଫର୍ମର ଖରାପ ହୋଇଯାଇଛି । ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ତେବେ କେରଳରେ ଯେଉଁ ଜିଲ୍ଲାଗୁଡ଼ିକରେ ସର୍ବାଧିକ ତାପମାତ୍ରା ବଢ଼ିଛି ସେଠାରେ ୟେଲୋ ଆଲର୍ଟ ଜାରି କରାଯାଇଛି । ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ କୋଜିକୋଡ଼ରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ରହିଛି । କନ୍ନୁର ଏବଂ ଥିରୁଅନନ୍ତପୁରମରେ ସର୍ବାଧିକ ତାପମାତ୍ରା ୩୬ ଡିଗ୍ରୀରେ ପହଞ୍ଚିପାରେ । ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି କେରଳ ପ୍ରଶାସନ ତରଫରୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
ଦିନ ୧୧ ଟାରୁ ୩ ଟା ମଧ୍ୟରେ ଘରୁ ନ ବାହାରିବାକୁ ଲୋକଙ୍କୁ କୁହାଯାଇଛି । କାରଣ ଗରମ ଯୋଗୁଁ ସନଷ୍ଟ୍ରୋକ୍ ଏବଂ ଡିହାଇଡ୍ରେସନ୍ ଭଳି ସମସ୍ୟା ହୋଇପାରେ । ଲୋକମାନଙ୍କୁ ଶୋଷ ଲାଗିଲେ ପ୍ରଚୁର ପାଣି ପିଇବା ସହିତ ଦିନରେ ମଦ୍ୟପାନ, କଫି, ଚା ଏବଂ ଅନ୍ୟାନ୍ୟ ମୃଦୁ ପାନୀୟ ଭଳି ଡିହାଇଡ୍ରେଟିଂ ପାନୀୟ ଠାରୁ ଦୂରେଇ ରହିବାକୁ କୁହାଯାଇଛି । ଗରମ ଦିନରେ ହାଲୁକା ରଙ୍ଗର ସୂତା ପୋଷାକ ପିନ୍ଧିବା ଉଚିତ୍ , ବାହାରକୁ ଯିବା ସମୟରେ ଜୋତା ପିନ୍ଧିବା ଏବଂ ଛତା କିମ୍ବା ଟୋପି ବ୍ୟବହାର କରିବା ନିହାତି ଜରୁରୀ । ଏହି ସମୟ ମଧ୍ୟରେ ପ୍ରଚୁର ଫଳ ଏବଂ ପନିପରିବା ଖାଇବା ଦ୍ୱାରା ଶରୀରକୁ ପୋଷକ ତତ୍ୱ ମିଳେ । ଓଆରଏସ୍, ଘୋଳ ଦହି ଏବଂ ଥଣ୍ଡା ପାନୀୟ ଦ୍ୱାରା ଗରମରୁ ମୁକ୍ତି ମିଳିବ ।
ତେବେ ଏହି ଗରମ ଓ ଅତ୍ୟଧିକ ତୁଷାରପାତର କାରଣ କଣ ଆପଣ ନିଶ୍ଚିତ ଭାବୁଥିବେ । କେରଳର ଅସ୍ୱାଭାବିକ ତାପମାତ୍ରା ବୃଦ୍ଧି ପାଇଁ ପାଣିପାଗ ବିଶେଷଜ୍ଞମାନେ ଏଲନିନୋକୁ ଦାୟୀ କରିଛନ୍ତି । ତେବେ ଏଲନିନୋ ହେଉଛି ଜଳବାୟୁ ପରିବର୍ତ୍ତନର ଏକ ଢାଞ୍ଚା ଯାହା ସମୁଦ୍ର ଜଳରେ ଅସ୍ୱାଭାବିକ ଭାବେ ବୃଦ୍ଧି ପାଏ । ଏହା ବାୟୁମଣ୍ଡଳର ତାପମାତ୍ରାକୁ ମଧ୍ୟ ପ୍ରଭାବିତ କରିଥାଏ । ଯେତେବେଳେ ମହାସାଗର ଉତ୍ତପ୍ତ ବାଷ୍ପ ବାୟୁମଣ୍ଡଳରେ ମିଶିଥାଏ ସେତେବେଳେ ତାପମାତ୍ରା ବଢ଼େ । ଫଳରେ ପାଣିପାଗରେ ଏଭଳି ପରିବର୍ତ୍ତନ ନୁହେଁ ଏବଂ କେଉଁଠାରେ ତୁଷାରପାତ ହୋଇଥାଏ ତ କେଉଁଠାରେ ଅତ୍ୟଧିକ ଗରମ ହୋଇଥାଏ ।