ମଧ୍ୟ ପ୍ରଦେଶରେ ଏକ ଆଶ୍ଚର୍ଯ୍ୟ ଘଟଣା ଘଟିଛି । ଏଠାରେ ଜଣେ ମହିଳା ସବ୍-ଇଞ୍ଜିନିୟର୍ ପୋଲିସ୍ ପାଖରେ ଏକ ଅଜବ ଅଭିଯୋଗ ନେଇ ପହଞ୍ଚିଛନ୍ତି ଯାହାକୁ ଶୁଣି ପୋଲିସ ବି ଆଶ୍ଚର୍ଯ୍ୟ ହୋଇଯାଇଛି । ମହିଳ ଜଣକ କହିଛନ୍ତି କି ଅଦୃଶ୍ୟ ଶକ୍ତି ତାଙ୍କୁ ଅସୁବିଧାରେ ପକାଉଛି ଏଥିସହିତ ତାଙ୍କ ଘରୁ ପୋଷାକ, ଟଙ୍କା ଓ ଖାଦ୍ୟ ଚୋରାଇ ନେଉଥିବା ଏବଂ ତାଙ୍କର ଜୁଏଲାରୀର ଓଜନ ହ୍ରାସ କରିଦେଉଛି ବୋଲି ସେ ପୋଲିସ ଆଗରେ ଜଣାଇଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ବୈତୁଲ ଠାରେ ।
ସୂଚନା ମୁତାବକ, ବୈତୁଲ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ କାର୍ଯ୍ୟରତ ମହିଳା ସବ୍-ଇଞ୍ଜିନିୟର୍ ଶ୍ରୁତି ଝାଡ଼େ ଡିସେମ୍ବର ଦୁଇ ତାରିଖରେ କୋତୱାଲି ପୋଲିସ ପାଖରେ ଅଭିଯୋଗ କରିଥିଲେ । ଅଭିଯୋଗରେ ସେ କହିଛନ୍ତି ଯେ କି କୌଣସି ଏକ ଅଦୃଶ୍ୟ ଶକ୍ତି ଯାହାର ପାଦ ନଜର ଆସୁଛି, କେତେବେଳେ ଧଳା ତ କେତେବେଳେ କଳା ପୋଷାକରେ ତାଙ୍କର ଘରକୁ ଆସୁଛି । ଆଉ ସେ ତିଆରି କରିଥିବା ଖାଦ୍ୟ ଖାଇ ଦେଉଛି । ଖାଲି ଏତିକି ନୁହେଁ ଏହି ଅଦୃଶ୍ୟ ଶକ୍ତି ତାଙ୍କର ସୁନାର ଅଳଙ୍କାରର ଓଜନକୁ ବି ହ୍ରାସ କରୁଛି । ଘରେ ରଖିଥିବା କପଡ଼ା ଓ ଟଙ୍କାକୁ ବି ନେଇଯାଉଛି ଓ ପରିବା ବି ଖାଇଯାଉଛି ।
ମହିଳାଙ୍କ ଏପରି ଅଦ୍ଭୁତ କଥା ଶୁଣି ରତ୍ନାକର ହିଙ୍ଗୱେ କହିଛନ୍ତି ସହରର ଟିକାରୀ ଅଞ୍ଚଳରେ ରହୁଥିବା ଏହି ମହିଳାଙ୍କ ମୁତାବିକ ସେ ଗତ ୪ରୁ୫ ଦିନ ହେଲା ପୂରା ଭୟଭୀତ ହୋଇ ଯାଇଛନ୍ତି । ସେ ପୋଲିସକୁ ଅନୁରୋଧ କରିଛନ୍ତି କିଛି ଉପାୟ କରି ଏଥିରୁ ମୁକ୍ତି କରାନ୍ତୁ । ସଂପୃକ୍ତ ମହିଳାଙ୍କ ଅଭିଯୋଗ ନେଇ ପୋଲିସ କହିଛି ଏମିତି ବାସ୍ତବରେ କିଛି ନୁହେଁ ତାଙ୍କୁ ବୋଧେ କିଛି ଭୁଲ୍ ଧାରଣ ହୋଇଯାଇଛି । ବର୍ତ୍ତମାନ ମହିଳାଙ୍କ ଏହି ଅଜବ ଅଭିଯୋଗକୁ ନେଇ ସବୁଆଡେ ଆଲୋଚନା ହେଉଛି।