ଘୁଷୁରୀ ମସ୍ତିଷ୍କ ଫ୍ରାଏଠାରୁ ଆରମ୍ଭ କରି ସାପ ସୁପ୍ ପର୍ଯ୍ୟନ୍ତ, ଜାଣନ୍ତୁ କେଉଁ ଖାଦ୍ୟ ଯୋଗୁ ଯାଉଛି ଚୀନ୍ବାସୀଙ୍କ ଜୀବନ
ବିଚିତ୍ର ଖାଦ୍ୟ ପାନୀୟ ପାଇଁ ସାରା ଦୁନିଆରେ ଚୀନ୍ ପରିଚିତ। ଦେଶର ଖାଦ୍ୟକୁ ନେଇ ଅନେକ ଥର ପ୍ରଶ୍ନ ଉଠିଛି। ଏବେ କରୋନା ଭାଇରସ୍ ବ୍ୟାପିବା ପରେ ପୁଣିଥରେ ଚୀନ୍ ଗଣମାଧ୍ୟମରେ ଅଦ୍ଭୁତ ଖାଦ୍ୟ ବିକ୍ରି ଉପରେ ରୋକ୍ ଲଗାଇବାକୁ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି। ଚୀନ୍ର ଅଧିକାଂଶ ଲୋକ ମାଂସାହାରୀ।
ଦେଶର ଅଦ୍ଭୁତ ଖାଦ୍ୟ ମଧ୍ୟରେ ଘୁଷୁରୀ ମସ୍ତିଷ୍କଠାରୁ ଆରମ୍ଭ କରି ସାପ ସୁପ୍ ପର୍ଯ୍ୟନ୍ତ ସବୁ ପ୍ରକାର ଅଜବ ଖାଦ୍ୟ ରହିଛି। ଏଥିସହ ମାଛ ଓ ମାଂସ ବିକ୍ରି ହେଉଥିବା ସ୍ଥାନରେ ପରିଷ୍କାର ପରିଚ୍ଛନ୍ନତାକୁ ନେଇ ମଧ୍ୟ ଅନେକ ଥର ପ୍ରଶ୍ନ ଉଠିଛି। ତେବେ କରୋନା ଭାଇରସ୍ ବ୍ୟାପିବା ପଛରେ ଏହି ଅଜବ ଖାଦ୍ୟକୁ ହିଁ କାରଣ ବୋଲି କୁହାଯାଉଛି।
ଚୀନ୍ର ଖାଦ୍ୟକୁ ନେଇ ଜଣେ ଲୋକପ୍ରିୟ ବ୍ଲଗର କହିଛନ୍ତି ଚୀନ୍ର ମାଂସ ମଣ୍ଡି ଭିତରକୁ ପ୍ରବେଶ କଲେ ଆପଣଙ୍କୁ ଲାଗିବ ଯେମିତି କୌଣସି ଚିଡ଼ିଆଘରକୁ ଆସିଛନ୍ତି। ମଣ୍ଡିରେ ପିଞ୍ଜରାରେ ବନ୍ଦ ଥିବା ସବୁ ପ୍ରକାରର ଜୀବ ଦେଖିବାକୁ ମିଳିବେ।
ଚୀନ୍ରେ ଏମିତି ବି ରେସ୍ତୋରାଁ ଅଛି ଯେଉଁଠାରେ ଜୀଅନ୍ତା ସାପ ଜାର୍ରେ ରଖାଯାଇଥାଏ। ଗ୍ରାହକ ନିଜ ପସନ୍ଦର ସାପ ଅର୍ଡର କରିବା ପରେ ତାହାକୁ ରନ୍ଧାଯାଇ ପରଷାଯାଏ। ତେବେ କରୋନା ଏହି ସାପ ଖାଇବା ଯୋଗୁ ବ୍ୟାପୁଥିବା ଜଣାଯାଇଛି। ବିଚିତ୍ର ଖାଦ୍ୟ ଯୋଗୁ ଏବେ ମରଣ ସହ ସଂଗ୍ରାମ କରୁଛନ୍ତି ଚୀନ୍ବାସୀ।
କେବଳ ଏତିକି ନୁହେଁ ଚୀନ୍ର ଅଦ୍ଭୁତ ଖାଦ୍ୟ ମଧ୍ୟରେ କଙ୍କଡ଼ାବିଛା ରୋଷ୍ଟେଡ୍ କବାବ, ଝିଟିପିଟି କବାବ, ଅସରପା ସୁପ୍, ପୋକ ଭଜା, ଷ୍ଟାର ଫିସ୍ ତନ୍ଦୁର, ଘୁଷୁରୀ ମୁଣ୍ଡ ଫ୍ରାଏ, ଜିଆ ପକୋଡା, ଘୁଷୁରୀଙ୍କ ଅନ୍ତବୁଜୁଳା, କଇଁଛ ଜେଲି, ସାପ ସୁପ୍, ଘୋଡ଼ା ମାଂସ, କୁକୁଡ଼ା ଟେଷ୍ଟିସ୍, ସମୁଦ୍ର କାକୁଡ଼ି, ସ୍ନେକ ଓ୍ଵାଇନ୍, ଜିଓଡକ୍, ଜେଲି ଫିସ୍ ସାଲାଡ୍, ବାଦୁଡ଼ି ସୁପ୍ ଆଦି ରହିଛି।
ଏହି ଜୀବଜନ୍ତୁଙ୍କୁ କଞ୍ଚା ବା ଦର ସିଝା ଖାଇବା ଯୋଗୁ ସେମାନେ ଅଚିହ୍ନା ରୋଗର ଶିକାର ହେଉଥିବା ଡାକ୍ତରମାନେ ମତ ଦେଇଛନ୍ତି।