ନୂଆଁଖାଇ ପର୍ବ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ପଶ୍ଚିମ ଓଡ଼ିଶା, ଏହି ଅବସରରେ ମାଆଙ୍କ ପାଖରେ ପହଞ୍ଚିଛି ବର୍ଷର ପ୍ରଥମ ସରିଆ ଧାନ
ଓଡିଶାର ଚାଲିଚଳଣି , ସଂସ୍କୃତି ଓ ପରମ୍ପରା ନିଅରା ଏବଂ ଦେଶର ଅନ୍ୟାନ ଅଂଚଳ ଠାରୁ ଭିନ୍ନ ଓ ସ୍ଵତନ୍ତ୍ର ମଧ୍ୟ। ଓଡିଶାରେ ପାଳିତ ହେଉଥିବା ବିଭିନ୍ନ ପର୍ବ ପର୍ବାଣି ମଧ୍ୟରେ ନୂଆଁଖାଇ ପର୍ବ ହେଉଛି ସ୍ଵତନ୍ତ୍ର। ବିଶେଷ କରି ପଶ୍ଚିମ ଓଡିଶାରେ ଏହି ପର୍ବକୁ ଆନନ୍ଦ ଓ ଉଦ୍ଦୀପନାର ସହ ପାଳନ କରାଯାଇଥାଏ।
ଗଣେଶ ଚତୁର୍ଥୀ ପୂଜା ପର ଦିନ ଅର୍ଥାତ ଭାଦ୍ରବ ମାସ ପଞ୍ଚମୀ ତିଥିରେ ନୂଆଁଖାଇ ପର୍ବ କୁ ପାଳନ କରାଯାଏ | ଏହି ଦିନ ବର୍ଷର ପ୍ରଥମ ଅନ୍ନ ଇଷ୍ଟ ଦେବୀ ମା ସମଲେଇଙ୍କୁଙ୍କୁ ଅର୍ପଣ କରିବାର ବିଧି ରହିଛି। ନୂଆଁଖାଇ ପୂର୍ବରୁ ଲୋକ ମାନଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଭରି ରହିଥାଏ। ଧନୀ ଗରିବ ନିର୍ବିଶେଷରେ ସମସ୍ତେ ଏ ପର୍ବରେ ନିଜ ଘର ଦ୍ଵାର ଲିପା ପୋଛା କରି ଘରର ସମସ୍ତ ବ୍ୟବହୃତ ଜିନିଷ ସଫା କରି ସଜାଇ ରଖନ୍ତି । ମିଠା ଓ ପିଠା ତିଆରି ଠୁ ଆରମ୍ଭ କରି ଅନ୍ୟାନ୍ୟ ସ୍ୱାଦିଷ୍ଟ ଖାଦ୍ୟ ରନ୍ଧାଯାଏ। ଗାଁ ଠାରୁ ସହର ପର୍ଯ୍ୟନ୍ତ ସମସ୍ତେ ନୂଆ ଜିନିଷ କିଣା ବିକାରେ ବ୍ୟସ୍ତ ରୁହନ୍ତି।
ଚଳିତ ବର୍ଷ ନୂଆଁଖାଇ ପର୍ବ ପାଳନ ପାଇଁ ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଇଙ୍କ ପାୀଠରେ ନୂଆ ଧାନ ବା ସରିଆ ଧାନ ପହଞ୍ଚିଛି। ମାଙ୍କଠାରେ ଲାଗି ହେବାକୁ ଥିବା ନବାନ୍ନ ପାଇଁ ଏହି ନୂଆ ସରିଆ ଧାନ ବଲବସପୁର ଅଂଚଳର ସୁବାଷ ବେହେରା ଆଣି ମୁଖ୍ଯ ପୂଜକଙ୍କୁ ପ୍ରଦାନ କରିଛନ୍ତି । ଏହି ନୂଆଁଧାନକୁ ଗଣେଷ ପୂଜା ଦିନ ପୂଜକଙ୍କ ପରିବାର ଯତ୍ନ ସହକାରେ ସଫା କରିବେ | ଏହା ପରେ କେଣ୍ଡାରୁ ଧାନ ଅଲଗା କରି ତାକୁ ଭାଜି ଚାଉଳ ବାହାର କରିବେ । ପରେ ଗୁଡ ଓ ଘିଅ ଦେଇ ନବାନ୍ନ ପ୍ରସ୍ତୁତ କରିବେ । ତେବେ ୬୦ ଦିନରେ ଧାନ ଉତ୍ପାଦନ ପାଇଁ ସୁବାଷ ବେହେରାଙ୍କ ପରିବାର ଚାଷରେ ଲାଗିପଡିଥାନ୍ତି। ୫ ବର୍ଷ ହେଲା ସୁବାଷ ବେହେରାଙ୍କ ପରିବାର ଏହି ଧାନ ଯୋଗାଇ ଆସୁଛନ୍ତି | ତେବେ ଆଜି ଏହି ଧାନ ଆଣି ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟଙ୍କୁ ପ୍ରଦାନ କରିଛନ୍ତି ।
ନୂଆଁଖାଇ ପର୍ବକୁ ପାଳନ କଥା କହିଲେ ଏହି ଦିନ ଦିନ ସମସ୍ତେ ଶୀଘ୍ର ଶଯ୍ୟା ତ୍ୟାଗ କରି ନିଜ ନିଜର ନିତ୍ୟକର୍ମ ସାରନ୍ତି। ସମସ୍ତେ ନୂତନ ବସ୍ତ୍ର ପରିଧାନ କରି ପୂଜାରେ ବସନ୍ତି। ପିତୃପୁରୁଷଙ୍କୁ ପିଣ୍ଡ ଦାନ ପରେ ନୂଆ ଧାନ ଓ ଚୂଡା, ପିଠାପଣା ଦେବଦେବୀଙ୍କୁ ସମର୍ପଣ କରନ୍ତି। ଧୂପ ଦୀପ ଦେଇ ପୂଜା କରନ୍ତି। ଚୂଡା , ଘିଅ , ମହୁ , କ୍ଷୀର , ଗୁଡ କଦଳୀରେ ପ୍ରସ୍ତୁତ ଭୋଗ ଦିଅଁଙ୍କ ନିକଟରେ ଲାଗି କରନ୍ତି। ନୂଆଁଖାଇ ଅବସରରେ ସାନ ମାନେ ବଡ ମାନଙ୍କୁ ନୂଆଖାଇ ଜୁହାର କରନ୍ତି । ତା ‘ ପରେ ବଡ ମାନେ ଘରେ ପ୍ରସ୍ତୁତ ପିଠାପଣା, ଖିରିପୁରୀ , ମିଠା , ଡାଲି , ତରକାରୀ, ଆଦି ପ୍ରସାଦ ରୂପେ ସେବନ କରି ଖୁସି ଅନୁଭବ କରନ୍ତି।
ନୂଆଁଖାଇ ଏକ ସାମାଜିକ କୃଷି ଭିତ୍ତିକ ପର୍ବ। ଏହି ପର୍ବ ଚାଷୀ ମନରେ ନୂଆ ଫସଲ ଅମଳ କରିବା ପାଇଁ ଉତ୍ସାହ ବଢାଏ । ନୂଆଖାଇ ପର୍ବ ସାମାଜିକ ବନ୍ଧନର ଗୁରୁତ୍ଵ ଶିଖାଇବା ସହ ଲୋକଙ୍କ ମଧ୍ୟରେ ମାନବିକତା ଓ ଭାତ୍ରୁ ଭାବନା ସୃଷ୍ଟି କରିଥାଏ । ଏଥିରେ ଜାତି-ଅଜାତି , ଉଚ୍ଚନିଚ ଭେଦଭାବ ନଥାଏ । ସମସ୍ତେ ମାନ-ଅଭମାନ, ରାଗ-ରୁଷା ଭୁଲି ଯାଆନ୍ତି ଏକାଠି ହେବା ପାଇଁ.. ଆମର ଧର୍ମ, ସଂସ୍କୃତି ଓ ପରମ୍ପରା କୁ ଏହି ପର୍ବ ଠିକ ବାଟରେ ପରିଚାଳିତ କରେ ।