ମେଡିସିନ୍ ଭାବେ ଆମେ କେବେ ନା କେବେ ନିହାତି କ୍ୟାପସୁଲ୍ ଖାଇଥିବା। କିନ୍ତୁ କେବେ ଭାବିଛନ୍ତି ଏହି କ୍ୟାପସୁଲ୍ର ଉପରେ ଥିବା କଭର କେଉଁଥିରେ ତିଆରି, ଏହା ସତରେ କ’ଣ ପ୍ଲାଷ୍ଟିକ୍ରେ ପ୍ରସ୍ତୁତ କରାଯାଇଛି? ଯଦି ଏହା ପ୍ଲାଷ୍ଟିକ୍ରେ ତିଆରି, ତେବେ ପେଟକୁ ଯିବା ପରେ ଏହା କ’ଣ ହୁଏ। ଆପଣ ବି ଯଦି କ୍ୟାପସୁଲ୍ର ପ୍ରସ୍ତୁତିକୁ ନେଇ ସନ୍ଦେହରେ ଅଛନ୍ତି ତେବେ ଆସନ୍ତୁ ଜାଣିବା ଏ ବିଷୟରେ…
ରିପୋର୍ଟ ମୁତାବକ, କ୍ୟାପସୁଲ ଉପରେ ଦୁଇ ପ୍ରକାରର କଭର ଥାଏ। ଗୋଟିଏ ଟାଣ ହୋଇଥିବା ବେଳେ ଅନ୍ୟଟି ଅପେକ୍ଷାକୃତ ନରମ। ଉଭୟ ଖୋଳ ବାୟୋଡିଗ୍ରେଡେବଲ ଉତ୍ପାଦରେ ତିଆରି। ଉଭୟ ଖୋଳ Aqueous solutions ଭଳି ଜୀବଜନ୍ତୁ ବା ଗଛଲତାର ପ୍ରୋଟିନ୍ରୁ ପ୍ରସ୍ତୁତ ହୋଇଥାଏ।
ଯେଉଁ କ୍ୟାପସୁଲ୍ର କଭର ଜୀବଜନ୍ତୁଙ୍କ ଠାରୁ ମିଳୁଥିବା ପ୍ରୋଟିନ୍ ବା ଆନିମଲ ପ୍ରୋଟିନ୍ରୁ ତିଆରି ହୋଇଥାଏ ତାହାକୁ ଜିଲୋଟିନ୍ କୁହାଯାଏ। ଜୀବଜନ୍ତୁଙ୍କ ହାଡ଼, ସ୍କିନ୍କୁ ଉଚ୍ଚ ତାପମାତ୍ରାରେ ଫୁଟାଇ ଏହା ବାହାର କରାଯାଏ। କୁକୁଡ଼ା, ମାଛ, ଘୁଷୁରୀ ଓ ଗାଈ ଆଦି ଜୀବଜନ୍ତୁଙ୍କ ଶରୀରରୁ ଏହା ପ୍ରସ୍ତୁତ ହୁଏ।
ଗଛଲତାଙ୍କ ପ୍ରୋଟିନ୍ରୁ ପ୍ରସ୍ତୁତ ହେଉଥିବା କ୍ୟାପସୁଲ କଭର ପାଇଁ Cellulose ପ୍ରଜାତିର ଗଛ ବ୍ୟବହାର କରାଯାଏ। ତେବେ ଜୀବଜନ୍ତୁ ଓ ଗଛଲତାରୁ କ୍ୟାପସୁଲର କଭର ପ୍ରସ୍ତୁତ ହୋଇଥିବାରୁ ଏହା ସହଜରେ ହଜମ ହୋଇଯାଏ।
ଅନ୍ୟପଟେ ଅଧିକାଂଶ କ୍ୟାପସୁଲର କଭର ଜିଲୋଟିନ୍ରୁ ତିଆରି ହେଉଥିବାରୁ ଏନେଇ ପୂର୍ବରୁ ବହୁଥର ଚର୍ଚ୍ଚା ଜୋର ଧରିଛି। ମେଡିସିନ୍ରେ ଆମିଷ ବ୍ୟବହାର କରି ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ କରିଥିବାରୁ ଜୈନ ଧର୍ମାବଲମ୍ବୀ ଆନ୍ଦୋଳନ ମଧ୍ୟ କରିଥିଲେ। ଏଥିସହ ମେଡିସିନ୍ର କଭର ଗଛଲତାର ପ୍ରୋଟିନ୍ରୁ ପ୍ରସ୍ତୁତ କରିବାକୁ ଦାବି କରିଥିଲେ। ଏନେଇ ୨୦୧୭ ମସିହାରେ ଲୋକସଭା ସଦସ୍ୟ ତଥା ଆନିମଲ ରାଇଟ୍ ଆକ୍ଟିଭିଷ୍ଟ ମେନକା ଗାନ୍ଧୀ ସ୍ୱାସ୍ଥ୍ୟ ବିଭାଗକୁ ଚିଠି ମଧ୍ୟ ଲେଖିଥିଲେ। ସରକାରଙ୍କ ତରଫରୁ ଏଥିପାଇଁ ଏକ କମିଟି ଗଠନ କରାଯାଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ଏନେଇ କୌଣସି ରାୟ ଆସିନାହିଁ।