() କୁହାଯାଏ କି ବିଳମ୍ବିତ ନ୍ୟାୟ, ନ୍ୟାୟ ନୁହେଁ । ହେଲେ ଆମ ଦେଶରେ କୌଣସି ମାମଲାର ଫଇସଲା ଶୀଘ୍ର ହୋଇ ପାରେ ନାହିଁ । ବର୍ଷ ବର୍ଷ ଧରି କୋର୍ଟ କଚେରୀକୁ ଦୌଡ଼ିବାକୁ ପଡ଼େ । ସେମିତି ଏକ ଗଣ ଦୁଷ୍କର୍ମ ମାମଲାରେ ୩୨ ବର୍ଷ ପରେ ରାୟ ଆସିଛି । ଆଉ ୬ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ତେବେ ଏ ମାମଲା ଏମିତି କଣ ଥିଲା ଯେ ରାୟ ଆସୁ ଆସୁ ଲାଗିଗଲା ୩୨ ବର୍ଷ ? ଆସନ୍ତୁ ଜାଣିବା ।
ଶେଷ ୬ ଜଣ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡ ପାଇଲେ
ରାଜସ୍ଥାନ ଅଜମେରରେ ସବୁଠାରୁ ବଡ଼ ଗଣଦୁଷ୍କର୍ମ ଏବଂ ବ୍ଲାକମେଲ ମାମଲା । ୩୨ ବର୍ଷ ପରେ ଆସିଛି କୋର୍ଟଙ୍କ ରାୟ । ମାମଲାର ବାକି ଥିବା ସମସ୍ତ ୬ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ । ମଙ୍ଗଳବାର ଅପରାହ୍ନ ୨ଟାରେ କୋର୍ଟ ତାଙ୍କ ଚୂଡ଼ାନ୍ତ ରାୟ ଘୋଷଣା କରିଥିଲେ । ଅଭିଯୁକ୍ତମାନେ ହେଲେ ନଫିସ୍ ଚିସ୍ତି, ନସିମ ଓରଫ୍ ଟାର୍ଜନ, ସଲିମ ଚିସ୍ତି, ଇକବାଲ ଭାଟି, ସୋହେଲ ଗନି ଓ ସୟଦ ଜମିର ହୁସେନ । ଏମାନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ। ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରେ ଥିବା ଫାରୁକି ଚିସ୍ତି ସେତେବେଳେ ଆଜମେର ଯୁବକଂଗ୍ରେସର ସଭାପତି ଥିଲା । ସେହିପରି ନଫିସ ଚିସ୍ତି ଆଜମେର କଂଗ୍ରେସର ଉପସଭାପତି ଏବଂ ଅନଓ୍ଵର ଚିସ୍ତି ଯୁଗମସମ୍ପାଦକ ଭାବେ କାର୍ଯ୍ୟ କରୁଥିଲା ।
ମୋଟ ୧୮ ଜଣ ଅଭିଯୁକ୍ତ ଥିଲେ
ଦୀର୍ଘ ୩୨ ବର୍ଷ ପରେ ପୋକ୍ସୋ କୋର୍ଟ ଏହି ମାମଲାର ରାୟ ପ୍ରଦାନ କରି ଦୋଷୀମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହାସହିତ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ ଜରିମାନା ଦେଇଛନ୍ତି । ଏହି ୬ ଜଣ ଦୋଷୀଙ୍କୁ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଜଜ୍ ରଞ୍ଜନ ସିଂହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।
ଏବେ ଆସନ୍ତୁ ଜାଣିବା ଘଟଣା କଣ ଥିଲା ।୧୯୯୨ ମସିହାର କଥା ।୧୦୦ରୁ ଉର୍ଦ୍ଧ୍ୱ ସ୍କୁଲ ଓ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଓ ବ୍ଲାକ୍ମେଲିଂ ମାମଲାରେ ମୋଟ ୧୮ ଜଣ ଅଭିଯୁକ୍ତ ଥିଲେ । ସେମାନଙ୍କ ମଧ୍ୟରୁ ୯ ଜଣଙ୍କୁ ପୂର୍ବରୁ ୧୯୯୮ରେ ଦଣ୍ଡାଦେଶ ହୋଇ ସାରିଛି । ଜଣେ ଅଭିଯୁକ୍ତ ଅନ୍ୟ ମାମଲାରେ ଜେଲ୍ରେ ଅଛନ୍ତି । ଏହା ଭିତରୁ ଜଣଙ୍କର ମୃତ୍ୟୁ ହୋଇ ସାରଛି । ଏହି ଅଭିଯୁକ୍ତ ଆତ୍ମହତ୍ୟା କରିଥିଲା । ଆଉ ଜଣେ ଏବେବି ଫେରାର୍ ଅଛି । ବାକି ୬ ଜଣଙ୍କୁ ବର୍ତ୍ତମାନ ଦଣ୍ଡିତ କରିଛନ୍ତି କୋର୍ଟ । ଏହି ୬ ଜଣଙ୍କ ମାମଲାର ଅଲଗା ଶୁଣାଣି ହୋଇଥିଲା । କାରଣ ପ୍ରଥମ ଚାର୍ଜସିଟ୍ ଦାଖଲ ବେଳକୁ ଏମାନଙ୍କର ତଦନ୍ତ ବାକି ଥିଲା । ସେଥିଲାଗି ରାୟ ଆସିବାରେ ବିଳମ୍ବ ମଧ୍ୟ ହେଲା ।
ପୂରା ଗ୍ୟାଙ୍ଗ ଚଲାଇଥିଲା କଳା କାରନାମା
୧୯୯୨ ମସିହାରେ ଅଜମେରର ଏକ ଗ୍ୟାଙ୍ଗ ସେଠାକାର ବିଭିନ୍ନ ନାମୀ ସ୍କୁଲ ଓ କଲେଜରେ ପଢ଼ୁଥିବା ପ୍ରାୟ ୨୫୦ ଛାତ୍ରୀଙ୍କ ନଗ୍ନ ଫଟୋ ହାସଲ କରିଥିଲା । ଏହାପରେ ଫଟୋ ଲିକ୍ କରିବାର ଧମକ ଦେଇ ଦୁର୍ବୃତ୍ତମାନେ ୧୦୦ରୁ ଅଧିକ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିଲେ । ଗ୍ୟାଙ୍ଗର ସଦସ୍ୟମାନେ ସ୍କୁଲ ଛାତ୍ରୀମାନଙ୍କୁ ବ୍ଲାକମେଲ କରି ଫାର୍ମହାଉସକୁ ଡାକୁଥିଲେ । ସେଠାରେ ସେମାନଙ୍କୁ ଗଣଦୁଷ୍କର୍ମ କରୁଥିଲେ ବୋଲି ପରେ ଜଣା ପଡ଼ିଥିଲା । ଏକ ଖବରକାଗଜରେ ଏହି ଖବର ପ୍ରକାଶିତ ହେବା ପରେ ଘଟଣା ଲୋକଲୋଚନକୁ ଆସିଥିଲା । ସେହି ସମୟରେ ଛାତ୍ରୀମାନଙ୍କ ବୟସ ୧୧ରୁ ୨୦ ବର୍ଷ ମଧ୍ୟରେ ଥିଲା । ଗ୍ୟାଙ୍ଗର ସଦସ୍ୟମାନେ କୌଶଳ କରି ଏହି ଛାତ୍ରୀମାନଙ୍କ ସହ ପ୍ରଥମେ ବନ୍ଧୁତା କରୁଥିଲେ । ପରେ ପ୍ରେମର ଅଭିନୟ କରି ସେମାନଙ୍କ ନଗ୍ନ ଫଟୋ ଓ ଭିଡିଓ ଉଠାଇ ବ୍ଲାକମେଲ୍ କରୁଥିଲେ । …
ଫିଲ୍ମ ‘ଆଜମେର ୯୨’
ସତରେ କେତେ ଜଘନ୍ୟ ଥିଲେ ଏମାନେ ଓ କେତେ ଭୟଙ୍କର ଥିଲା ସେମାନଙ୍କ ଚିନ୍ତାଧାରା । ଅନେକ ନାବାଳିକାଙ୍କ ଇଜ୍ଜତ ଲୁଟିଛନ୍ତି ଏମାନେ । ଜୀବନ ବି ନଷ୍ଟ କରିଛନ୍ତି । ତେବେ ଜଣାଶୁଣା ଖାଦିମ ପରିବାର ଏବଂ ରାଜନୈତିକ ଲିଙ୍କ ଥିବାରୁ ପ୍ରଥମେ ପୋଲିସ୍ ଏହି ଘଟଣାକୁ ଗୁରୁତ୍ୱର ସହ ନେଇନଥିଲା । ପରେ ପ୍ରବଳ ଚାପ ଯୋଗୁଁ ତଦନ୍ତ ଆରମ୍ଭ ହେଲା । ପୋଲିସ୍ ତଦନ୍ତରେ ଅସନ୍ତୁଷ୍ଟ ହେଲେ ଲୋକେ । ଶେଷରେ ୧୯୯୨ରେ ମେ ୩୦ ତାରିଖରେ ସିଆଇଡି ଓ କ୍ରାଇମବ୍ରାଞ୍ଚ ମାମଲାକୁ ହାତକୁ ନେଇଥିଲା ।
ଯୁବକରୁ ବୁଢ଼ା ହୋଇ ଗଲେଣି ସମସ୍ତ ଅଭିଯୁକ୍ତ
ଏହି କାହାଣୀ ଉପରେ ଏକ ବଲିଉଡ୍ ଫିଲ୍ମ ‘ଆଜମେର ୯୨’ ନାମରେ ନିର୍ମାଣ ହୋଇଥିଲା । ଏହା ଭିତରେ ଦୀର୍ଘ ୩୨ ବର୍ଷ ବିତି ଗଲାଣି । ଯୁବକରୁ ବୁଢ଼ା ହୋଇଗଲେଣି ସମସ୍ତ ଅଭିଯୁକ୍ତ । ତଥାପି ସେମାନେ ଦଣ୍ଡ ପାଇଛନ୍ତି ।