ନବ ଦାସ ଗୁଳିକାଣ୍ଡର ଅଭିଯୁକ୍ତ ଏଏସ୍‌ଆଇ ଗୋପାଳ ଦାସ ‘ବାଇପୋଲାର ଡିସ୍‌ଅର୍ଡର’ରେ ପୀଡ଼ିତ! ଜାଣନ୍ତୁ କେତେ ଭୟଙ୍କର ଏହି ରୋଗ ଏବଂ କ’ଣ ରହଛି ଲକ୍ଷଣ

ଆଉ ନାହାନ୍ତି ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ। ପୋଲିସ ଏଏସ୍‌ଆଇ ଗୋପାଳ ଦାସଙ୍କ ଗୁଳିମାଡ଼ର ଶିକାର ହୋଇଛନ୍ତି ନବ ଦାସ। ଡାକ୍ତରଙ୍କ ଶତସତ୍ତ୍ୱେ ତାଙ୍କୁ ବଞ୍ଚାଇ ରଖାଯାଇ ପାରିଲା ନାହିଁ। ନବ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ତାଙ୍କୁ ଅତି ନିକଟରୁ ଗୁଳି ଚଳାଇଥିଲେ ଏଏସ୍‌ଆଇ ଗୋପାଳ କୃଷ୍ଣ ଦାସ, ଯାହାପରେ ନବଙ୍କୁ ଏୟାରଲିଫ୍ଟ କରାଯାଇ ଭୁବନେଶ୍ୱର ଅଣାଯାଇଥିଲା। ଏଠାରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ନବ ଦାସଙ୍କର ପରଲୋକ ଘଟିଥିଲା।

ତେବେ କୁହାଯାଉଛି କି, ଗୁଳିକାଣ୍ଡ ଘଟାଇଥିବା ଅଭିଯୁକ୍ତ ଏଏସ୍‌ଆଇ ଗୋପାଳ ଦାସ ‘ବାଇପୋଲାର ଡିସ୍‌ଅର୍ଡର’ ନାମକ ମାନସିକ ରୋଗରେ ପୀଡ଼ିତ। ଏହା କୌଣସି ଦୁର୍ଲ୍ଲଭ ରୋଗ ନୁହେଁ, ବରଂ ପ୍ରତି ୧୫୦ ଭାରତୀୟଙ୍କ ମଧ୍ୟରେ ଜଣଙ୍କୁ ଏହି ରୋଗ ହୋଇଥାଏ। ଅବଶ୍ୟ, ରୋଗକୁ ନେଇ ବର୍ତ୍ତମାନ ସଚେତନତା ବୃଦ୍ଧି ପାଇଛି, କିନ୍ତୁ ଏବେ ବି ଏଥିରେ ପୀଡ଼ିତ ୭୦ ପ୍ରତିଶତ ଲୋକଙ୍କର ଚିକିତ୍ସା ସମ୍ଭବ ହୋଇପାରୁ ନାହିଁ।

‘ବାଇପୋଲାର ଡିସ୍‌ଅର୍ଡର’ କ’ଣ?

ଲିଡିଂ ହେଲ୍‌ଥ େଓ୍ଵବ୍‌ସାଇଟ ‘ହେଲ୍‌ଥଲାଇନ’ ମୁତାବକ, ବାଇପୋଲାର ଡିସ୍‌ଅର୍ଡର ଏକ ମାନସିକ ରୋଗ, ଯାହା ଶରୀରରେ ଡୋପାମାଇନ୍‌ ହର୍ମୋନର ଅସନ୍ତୁଳନ କାରଣରୁ ହୋଇଥାଏ। ଡୋପାମାଇନ୍‌ ଅସନ୍ତୁଳିତ ହେବା ଦ୍ୱାରା ବ୍ୟକ୍ତିର ସ୍ୱଭାବରେ ବଡ଼ ପରିବର୍ତ୍ତନ ଆସିଥାଏ। ଏହି ରୋଗ ଯୋଗୁ ବ୍ୟକ୍ତିର ଭୟଙ୍କର ମୁଡ୍‌ ସ୍ୱିଙ୍ଗ୍‌ସ ହୁଏ।

ବାଇପୋଲାର ଡିସ୍‌ଅର୍ଡରରେ ବ୍ୟକ୍ତି ଦୁଇ ପ୍ରକାରର ଡିପ୍ରେସନର ଶିକାର ହୋଇଥାଏ। ଏଥିରେ ପୀଡ଼ିତ ବ୍ୟକ୍ତି ସ୍ୱଭାବରେ ବହୁତ ଚଞ୍ଚଳ ରହିବେ, ନଚେତ୍‌ ସମ୍ପୂର୍ଣ୍ଣ ଶାନ୍ତ ରହିବେ ବା ଉଦାସ ରହିବେ। ରୋଗରେ ମଣିଷର ଏହି ଦୁଇଟି ଯାକ ସ୍ଥିତିକୁ ‘ହାଇପରମେନିଆ’ ଏବଂ ‘ହାଇପୋମେନିଆ’ କୁହାଯାଇଥାଏ।

naba das

କେଉଁ ବୟସର ଲୋକଙ୍କୁ ଅଧିକ ବିପଦ?

ଡାକ୍ତରମାନଙ୍କ କହିବା ହେଲା, ବାଇପୋଲାର ଡିସ୍‌ଅର୍ଡର କୌଣସି ବି ବୟସର ମଣିଷକୁ ହୋଇପାରେ। କିନ୍ତୁ ୨୦ରୁ ୩୦ ବର୍ଷ ବୟସର ବ୍ୟକ୍ତିଙ୍କଠାରେ ଏହି ରୋଗ ହେବାର ସମ୍ଭାବନା ଅଧିକ ରହିଛି। ପିଲାମାନେ ମଧ୍ୟ ଏହି ରୋଗର ଶିକାର ହୋଇପାରନ୍ତି। ହେଲେ ସେମାନଙ୍କଠାରେ ରୋଗକୁ ସଠିକ୍‌ ଭାବରେ ଚିହ୍ନଟ କରିବା ମୁସ୍କିଲ ହୋଇଥାଏ।

ପିଲାମାନଙ୍କର ମୁଡ୍‌ ସବୁବେଳେ ବଦଳୁଥାଏ, ଯାହାକି ଏକ ସାଧାରଣ କଥା। କିନ୍ତୁ ଯଦି ପିଲାମାନଙ୍କର ଲକ୍ଷଣ ବହୁତ ଗମ୍ଭୀର ପ୍ରକାରର ରହିଛି, ତା’ ହେଲେ କୌଣସି ବିଶେଷଜ୍ଞଙ୍କଠାରୁ ନିଶ୍ଚୟ ଏ ନେଇ ପରାମର୍ଶ ଗ୍ରହଣ କରନ୍ତୁ।

gopal krushna

ବାଇପୋଲାର ଡିସ୍‌ଅର୍ଡରର ଚିକିତ୍ସା

ବିଭିନ୍ନ ମାନସିକ ରୋଗକୁ ନିୟନ୍ତ୍ରଣକୁ ଅଣାଯାଇ ଏକ ସାଧାରଣ ଜୀବନ ଅତିବାହିତ କରିହେବ। କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ରୂପେ ମୂଳରୁ ନାଶ କରାଯାଇ ପାରିବ ନାହିଁ। ଏହିପରି ବାଇପୋଲାର ଡିସ୍‌ଅର୍ଡର ଯଦି ଥରେ ହୁଏ, ତା’ ହେଲେ ଏଥିରୁ ସମ୍ପୂର୍ଣ୍ଣ ଛୁଟକାରା ମିଳିବା ଅସମ୍ଭବ। କିନ୍ତୁ ଔଷଧ ଏବଂ ଥେରାପି ଦ୍ୱାରା ଏହି ରୋଗକୁ କାବୁକୁ ଅଣାଯାଇ ପାରିବ।

ଏହି ରୋଗର ଚିକିତ୍ସା ପାଇଁ ଡାକ୍ତର ଆମ ମସ୍ତିଷ୍କର ସେଲ୍‌ ମେମ୍ବ୍ରେନ୍‌ରେ ଡୋପେମାଇନର ମାତ୍ରାକୁ ସନ୍ତୁଳିତ କରିବା ଲାଗି ଷ୍ଟାବିଲାଇଜର ବ୍ୟବହାର କରନ୍ତି। ଏହାଦ୍ୱାରା ରୋଗକୁ ଅନେକାଂଶରେ ନିୟନ୍ତ୍ରଣକୁ ଅଣାଯାଇ ପାରିବ। ତେଣୁ ପୀଡ଼ିତ ବ୍ୟକ୍ତି କୌଣସି ଭଲ ଥେରାପିଷ୍ଟଙ୍କ ପାଖକୁ ଯିବା ଆବଶ୍ୟକ ଏବଂ ତାଙ୍କୁ କୌଣସି ରଚନାତ୍ମକ କାମରେ ଲଗାଇବା ଉଚିତ୍‌।