ଆପଣଙ୍କ ପେଟରେ ଅନ୍ୟର ଛୁଆ… ଶାରୀରିକ ସମ୍ପର୍କ ଜରୁରୀ ନୁହେଁ! ଜାଣନ୍ତୁ, ସରୋଗେସି କ’ଣ? ଭାରତରେ ଏଥିପାଇଁ କ’ଣ ରହିଛି ନିୟମ
ନିକଟରେ ସରୋଗେସି ଜରିଆରେ ମା’ ହୋଇଛନ୍ତି ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା। ଏ ନେଇ ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ ସେୟାର କରି ସେ ନିଜେ ହିଁ ସୂଚନା ଦେଇଛନ୍ତି। ସରୋଗେସି ଜରିଆରେ ହିଁ ପ୍ରିୟଙ୍କା ଓ ନିକ୍ଙ୍କୁ ମାତା ପିତା ବନିବାର ସୌଭାଗ୍ୟ ମିଳିଛି। ତେବେ ସରୋଗେସି ମାଧ୍ୟମରେ ମା’ ବନିଥିବା ପ୍ରଥମ ମହିଳା ନୁହଁନ୍ତି ପ୍ରିୟଙ୍କା। ଫିଲ୍ମ ଇଣ୍ଡଷ୍ଟ୍ରୀର ଅନେକ ତାରକା ପୂର୍ବରୁ ଏହି ପଦ୍ଧତି ଆପଣାଇ ମା’-ବାପା ବନି ସାରିଛନ୍ତି। ପୂର୍ବରୁ ବଲିଉଡ୍ ଅଭିନେତ୍ରୀ ପ୍ରୀତି ଜିଣ୍ଟା, ଶିଳ୍ପା ସେଟ୍ଟୀ, ଶାହାରୁଖ ଖାନ୍, ଅମୀର ଖାନ୍, କରଣ ଜୋହର, ଏକତା କପୁର ଓ ତୁଷାର କପୁର ପ୍ରମୁଖ ଅନେକ ଷ୍ଟାର ସରୋଗେସି ମାଧ୍ୟମରେ ଅଭିଭାବକ ହୋଇଛନ୍ତି। ତେବେ ସରୋଗେସିକୁ ନେଇ ଏବେ ବି ଅନେକ ଲୋକଙ୍କ ମନରେ ପ୍ରଶ୍ନ ରହିଛି। ତେବେ ଆସନ୍ତୁ ଜାଣିବା ଏ ବିଷୟରେ ବିସ୍ତୃତ ଭାବେ ସରୋଗେସି କ’ଣ ଓ ଭାରତରେ ଏଥିପାଇଁ କ’ଣ ନିୟମ ରହିଛି…
ସରୋଗେସି କ’ଣ:
ପିଲା ଜନ୍ମ କରିବା ପାଇଁ ଯେତେବେଳେ କୌଣସି ଦମ୍ପତି ଅନ୍ୟ ମହିଳାଙ୍କ ଗର୍ଭକୁ ଭଡ଼ାରେ ନେଇଥାନ୍ତି, ତେବେ ଏହି ପ୍ରକ୍ରିୟାକୁ ସରୋଗେସି କୁହାଯାଏ। ଅର୍ଥାତ୍, ସରୋଗେସିରେ ଜଣେ ମହିଳା ଅନ୍ୟ ଜଣେ ପୁରୁଷଙ୍କ ସ୍ପର୍ମକୁ ନେଇ ଗର୍ଭବତୀ ହୋଇଥାନ୍ତି। ସରୋଗେସିରେ ପିଲା ଜନ୍ମ କରିବା ପଛରେ ଅନେକ କାରଣ ରହିଛି। ଯେମିତିକି କପଲଙ୍କର କୌଣସି ଶାରୀରିକ ସମସ୍ୟା ଥିବ କିମ୍ବା ଗର୍ଭଧାରଣ କଲେ ମହିଳାଙ୍କ ଜୀବନ ପ୍ରତି ବିପଦ ଥିବ କିମ୍ବା ଅନ୍ୟ କୌଣସି ସମସ୍ୟା ଥିବ କିମ୍ବା ମହିଳା ନିଜେ ସନ୍ତାନ ଜନ୍ମ କରିବାକୁ ଚାହୁଁନଥାନ୍ତି ଇତ୍ୟାଦି। ନିଜ ଗର୍ଭରେ ଅନ୍ୟର ସନ୍ତାନକୁ ପାଳୁଥିବା ମହିଳାଙ୍କୁ ସରୋଗେଟ୍ ମଦର ବୋଲି କୁହାଯାଏ।
ଏଥିପାଇଁ ସରୋଗେସି ପାଇଁ ପିଲା ଚାହୁଁଥିବା ଦମ୍ପତି ଓ ସରୋଗେଟ୍ ମଦରଙ୍କ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥାଏ। ଏହି ଏଗ୍ରିମେଣ୍ଟ ମୁତାବକ, ଜନ୍ମ ହେବାକୁ ଥିବା ପିଲାର ଆଇନତଃ ମାତା ପିତା ହେଉଛନ୍ତି ସରୋଗେସି କରାଇଥିବା ଦମ୍ପତି। ସରୋଗେଟ୍ ମଦର ପିଲାର ନିଜର ଆଇନତଃ ମା’ ନୁହେଁ। ଏହି ପ୍ରକ୍ରିୟାରେ ସରୋଗେଟ୍ ମା’ର ଯତ୍ନ ନେବା ପାଇଁ ତଥା ମେଡିକାଲ ପାଇଁ ସମସ୍ତ ଖର୍ଚ୍ଚ ଦମ୍ପତି ହିଁ ବହନ କରିଥାନ୍ତି। ଏଥିସହ ଯଦି ସରୋଗେଟ୍ ମଦର କିଛି ଅର୍ଥ ଚାହୁଁଥାନ୍ତି ତେବେ ତାହାକୁ ବି ଦମ୍ପତି ପ୍ରଦାନ କରିଥାନ୍ତି।
ସରୋଗେସି ଦୁଇ ପ୍ରକାରର। ପ୍ରଥମଟି ହେଉଛି, ଯେଉଁଥିରେ ଟ୍ରାଡିସନାଲ ବା ପାରମ୍ପରିକ ସରୋଗେସି। ଏଥିରେ ବାପାଙ୍କ ସ୍ପର୍ମକୁ ସରୋଗେଟ୍ ମଦରଙ୍କ ଏଗ୍ ସହ ମ୍ୟାଚ୍ କରାଯାଏ। ଏହି ସରୋଗେସିରେ ସରୋଗେଟ୍ ମଦର ହିଁ ବାୟୋଲୋଜିକାଲ ମଦର ବା ଜୈବିକ ମା’ ହୋଇଥାନ୍ତି। ଦ୍ୱିତୀୟଟିରେ ସରୋଗେଟ୍ ମଦର ଗର୍ଭରେ ମା’ଙ୍କ ଏଗ୍କୁ ରଖାଯାଏ। ଏଥିରେ ସରୋଗେଟ୍ ମା’ଙ୍କ ଏଗ୍ ବ୍ୟବହୃତ ହୋଇନଥାଏ। ଏଥିରେ ଉଭୟ ବାପା-ମା’ଙ୍କ ସ୍ପର୍ମ ଓ ଏଗ୍କୁ ଟେଷ୍ଟ ଟ୍ୟୁବ୍ କରିବା ପରେ ସରେଗେଟ୍ ମଦରଙ୍କ ୟୁଟ୍ରେସ୍ରେ ପ୍ରତ୍ୟାରୋପିତ କରାଯାଏ।
ଭାରତରେ କ’ଣ ରହିଛି ସରୋଗେସି ନିୟମ:
ଭାରତରେ ସରୋଗେସିର ଦୁରୁପଯୋଗକୁ ରୋକିବାକୁ ଅନେକ ନିୟମ ତିଆରି କରାଯାଇଛି। ଅଧିକାଂଶ ଗରିବ ମହିଳା ଆର୍ଥିକ ସଙ୍କଟ ଯୋଗୁ ସରୋଗେଟ୍ ମଦର ବନିଥାନ୍ତି। ଏଣୁ ସରକାର ଏବେ କମର୍ସିଆଲ ସରୋଗେସି ଉପରେ ଲଗାମ୍ ଲଗାଇ ଦେଇଛନ୍ତି। ୨୦୧୯ରେ କମର୍ସିଆଲ ସରୋଗେସି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହା ପରେ କେବଳ ସାହାଯ୍ୟ କରିବା ପାଇଁ ହିଁ ସରୋଗେସି ବିକଳ୍ପ ଚୟନ କରାଯାଇପାରୁଛି।