ସିଧା ନୁହେଁ, ଓଲଟା ଘର; ଜାଣନ୍ତୁ କେଉଁଠି ଅଛି ଏବଂ ଏହାର ରହସ୍ୟ କଣ ?
ଆଜିକାଲି ଏହି ଆଧୁନିକ ଯୁଗରେ ପ୍ରତ୍ୟେକ ନିଜ ଘର ଅଲଗା ଏବଂ ଅଭିନବ ଉପାୟରେ ନିର୍ମାଣ କରିବା ପାଇଁ ଚାହାଁନ୍ତି । ପ୍ରତ୍ୟେକ ଚାହାଁନ୍ତି କି ତାଙ୍କ ଘରକୁ ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଆନ୍ତୁ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଘର ବିଷୟରେ ଜଣାଇବାକୁ ଯାଉଛୁ ଯାହାକି ଓଲଟା ତିଆରି ହୋଇଛି । କଲମ୍ବିଆର ରାଜଧାନୀ ବୋଗୋଟା ନିକଟରେ ଗୁଆଟାଭିଟାରେ ଏମିତି ଏକ ନିଆରା ଘର ଦେଖିବାକୁ ମିଳୁଛି । ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘରର ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯିଏ ଏହି ଘରକୁ ଦେଖୁଛି ସିଏ ଘଡ଼ିଏ ଠିଆ ହୋଇ ଯାଉଛି । କାରଣ ଏହି ଘର ଭିତର ଓ ବାହା ସବୁ କିଛି ଓଲଟପାଲଟ । ଏହାର ବିଶେଷ କଥା ହେଉଛି କି ଘରଟି କରୋନା ସହିତ ସିଧାସଳଖ ଜଡିତ କାରଣ ଯେଉଁଭଳି ଭାବରେ କରୋନା ଭାଇରସ୍ ପୁରା ବିଶ୍ୱକୁ ଓଲଟାଇଦେଇଛି।
ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଅନନ୍ୟ ଘରକୁ ଅଷ୍ଟ୍ରିଆର ଫ୍ରିଜ୍ ଶାଲ୍ ଡିଜାଇନ୍ କରିଥିଲେ। ସେ ତାଙ୍କ ପରିବାର ସହିତ କଲମ୍ବିଆରେ ରୁହନ୍ତି। ପର୍ଯ୍ୟଟକମାନେ ଏହି ଘରର ଛାତ ଉପରେ ଚଲାବୁଲା କରନ୍ତି ଏବଂ ସୋସିଆଲ ମିଡିଆରେ ଫଟୋ ଛାଡି ଅନ୍ୟମାନଙ୍କୁ ଦ୍ୱନ୍ଦରେ ପକାନ୍ତି। ଏହି ଘର ଭିତରକୁ ଯିବା ପରେ ଏପରି ଅନୁଭବ ହୋଇଥାଏ ସତେ ଯେପରି ବିପରୀତ ଦୁନିଆରେ ବାସ କରୁଛେ। ଏହି ଘରର ସମସ୍ତ ଆସବାବପତ୍ର ଯେପରି ଛତା ଉପରେ ରହିଥିବାର ଦୃଶ୍ୟ ମାନ ହୋଇଥାଏ ।
ହୋମ ଡିଜାଇନର୍ ଫ୍ରିଜ୍ ଶାଲ୍ କହିଛନ୍ତି ଯେ ସେ ୨୦୧୫ ରେ ଘରର ଡିଜାଇନ୍ ପାଇଁ ଅନୁପ୍ରାଣିତ ହୋଇଥିଲେ। ସେ ନାତିଙ୍କ ସହ ଅଷ୍ଟ୍ରିଆ ଯାଉଥିଲେ। ତା’ପରେ ଯେତେବେଳେ ମୁଁ ଲୋକମାନଙ୍କୁ କହିଲି ଯେ ମୁଁ ଏକ ଓଲଟା ଘର ନିର୍ମାଣ କରୁଛି ଲୋକ ମାନେ ମତେ ପାଗଳ ବୋଲି ଭାବୁଥିଲେ ଓ ମୋ କଥାକୁ ସେମାନେ ବିଶ୍ୱାସ କଲେ ନାହିଁ।
ଫ୍ରିଜ୍ ଶାଲ୍ କହିଛନ୍ତି ଯେ କରୋନା ମହାମାରୀ ବେଳେ ଏହି ଘର ତିଆରି ସମୟରେ ସେ ବହୁ ଅସୁବିଧାରେ ସମ୍ମୁଖୀନ ହୋଇଥିଲେ। ଏପରି ଓଲଟା ଘର ନିର୍ମାଣରେ ଯଥେଷ୍ଟ ସମୟ ଲାଗିଥିଲା। ତେବେ ଜାନୁଆରୀ ୨୦୨୨ ରୁ ଏହି ଘର ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିଛି। ଏହି ଘର ଦେଖିବା ପାଇଁ ଦୂରଦୂରାନ୍ତରୁ ପର୍ଯ୍ୟଟକମାନେ ଆସୁଛନ୍ତି। ଆପଣ ଯଦି ଆପଣ କଲମ୍ବିଆ ବୁଲିବାର ପ୍ଲାନ କରୁଛନ୍ତି ତେବେ ଏହି ଅଭିନବ, ସୁନ୍ଦର ଘରକୁ ଦେଖିବାକୁ ଭୁଲନ୍ତୁନି ।