କାର୍ତ୍ତିକରେ ଭୁଲରେ ବି କରନ୍ତୁନି ଏସବୁ କାମ, ନର୍କରେ ବି ସ୍ଥାନ ଦେବେନି ଭଗବାନ ବିଷ୍ଣୁ

ଆରମ୍ଭ ହୋଇଛି ଧର୍ମମାସ କାର୍ତ୍ତିକ। ଅକ୍ଟୋବର ୨୧ରୁ କାର୍ତ୍ତିକ ମାସ ଆରମ୍ଭ ହୋଇ ନଭେମ୍ବର ୧୯ ଯାଏଁ ଚାଲିବ। ଏହି ମାସରେ ପୂଜା ପାଠର ବିଶେଷ ମହତ୍ତ୍ୱ ରହିଛି। ଏ ଅବସରରେ ମା’ ଲକ୍ଷ୍ମୀ, ଭଗବାନ ଶ୍ରୀ ହରି ବିଷ୍ଣୁ, ତୁଳସୀ ପୂଜନ କଲେ ସମସ୍ତ ପାପ କ୍ଷୟ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହି ମାସରେ ଧର୍ମ ଅର୍ଜିଲେ ଭଗବାନଙ୍କ ଶରଣରେ ସ୍ଥାନ ମିଳେ ବୋଲି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଅନ୍ୟପଟେ ଚାରି ମାସ ପରେ କାର୍ତ୍ତିକ ମାସର ଦେବୋତ୍‌ଥାନ ଏକାଦଶୀ ଦିନ ଭଗବାନ ନିଦ୍ରାରୁ ଉଠିଥାନ୍ତି। ଏଥିସହ ଚତୁର୍ମାସ ଶେଷ ହୋଇଥାଏ। ଏହି ମାସରେ ଅଧିକ ଗରମ ହୁଏନି କି ଥଣ୍ଡା ବି ଅନୁଭୂତ ହୋଇନଥାଏ। ଏଣୁ ଜଳବାୟୁ ଦୃଷ୍ଟିରୁ ମଧ୍ୟ ଏହି ମାସଟି ଭଲ ହୋଇଥାଏ।

ଶାସ୍ତ୍ର ମୁତାବକ, କାର୍ତ୍ତିକ ମାସ ଭଳି ଅନ୍ୟ କୌଣସି ମାସ ନାହିଁ। କାର୍ତ୍ତିକ ମାସକୁ ଅନ୍ୟ ସବୁ ମାସ ଠାରୁ ମଙ୍ଗଳକାରୀ ଓ ଶ୍ରେଷ୍ଠ ବୋଲି କୁହାଯାଏ। ମାନ୍ୟତା ରହିଛି ଯେ ଯଦି ଏହି ମାସରେ କେତେକ ନିୟମ ପାଳନ କରିବ ତେବେ ଭଗବାନ କୃଷ୍ଣଙ୍କ ଆଶୀର୍ବାଦ ମିଳିଥାଏ। ତେଣୁ ଏହି ମାସରେ କେତେକ କାମ କରିବାକୁ ମନା କରାଯାଇଛି। ତେବେ ଆସନ୍ତୁ ଜାଣିବା କାର୍ତ୍ତିକ ମାସରେ କ’ଣ କରିବା ମନା…

  • କାର୍ତ୍ତିକ ମାସରେ ପୂଜା, ପାଠ ବ୍ରତ ଆଦି କରିବା ଖୁବ୍‌ ଶୁଭ ହୋଇଥାଏ। ଏଣୁ ଏ ଅବସରରେ ମାଦକ ଦ୍ରବ୍ୟ ସେବନରୁ ବିରତ ରହିବା ଉଚିତ। ଏଥିସହ ଏହି ମାସରେ ମାଛ, ମାଂସ, ଅଣ୍ଡା ଆଦି ଆମିଷ ଖାଦ୍ୟ ମଧ୍ୟ ନ ଖାଇବାକୁ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି।
  • କୁହାଯାଏ, କାର୍ତ୍ତିକ ମାସରେ ଶରୀରରେ ତେଲ ଲଗାଇବା ଅନୁଚିତ। ଯଦି ତେଲ ଲଗାଇବାକୁ ଚାହୁଁଛନ୍ତି ତେବେ ନରକ ଚତୁର୍ଦ୍ଦଶୀ ବା ଛୋଟ ଦୀପାବଳି ଦିନ ହିଁ ଦେହରେ ତେଲ ଲଗାଇପାରିବେ ବା ମାଲିସ କରିପାରିବେ। ଏହି ଦିନ ତେଲ ଲଗାଇବା ଶୁଭ ହୋଇଥାଏ।
  • କାର୍ତ୍ତିକ ମାସରେ ସୋରିଷ ବ୍ୟବହାର କରିବାକୁ ମଧ୍ୟ ବାରଣ କରାଯାଇଛି। ଏହି ମାସରେ ହବିଷ୍ୟାଳୀମାନେ ମୁଗ ଡାଲି ଖାଇଥାନ୍ତି। କାର୍ତ୍ତିକରେ ମୁଗ ଡାଲି ଖାଇବା ଅତ୍ୟନ୍ତ ଉତ୍ତମ ହୋଇଥାଏ ବୋଲି ବିଶ୍ୱାସ ରହିଛି।
  • ମାନ୍ୟତା ରହିଛି ଯେ କାର୍ତ୍ତିକ ମାସରେ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିବା ଉଚିତ। ଏଭଳି କଲେ ଭଗବାନ ଶୀଘ୍ର ପ୍ରସନ୍ନ ହୁଅନ୍ତି ବୋଲି ଶାସ୍ତ୍ରରେ କୁହାଯାଇଛି।
  • କିମ୍ବଦନ୍ତୀ ଅନୁସାରେ, କାର୍ତ୍ତିକ ମାସରେ ଭଗବାନ ବିଷ୍ଣୁ ପୃଥିବୀଲୋକକୁ ଆସି ଲୋକଙ୍କ ସ୍ଥିତି ଦେଖିଥାନ୍ତି। ଏଣୁ ଏହି ମାସରେ ଶିକ୍ଷାର୍ଥୀମାନେ ନିଜ ଲକ୍ଷ୍ୟ ପୂରଣ ପାଇଁ ଚେଷ୍ଟା କଲେ ଜୀବନରେ ନିଶ୍ଚୟ ସଫଳତା ପାଇପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.