ଚଳିତବର୍ଷ ଏହି ଦିନ ପଡ଼ୁଛି ପବିତ୍ର ଅଁଳା ନବମୀ, ଜାଣନ୍ତୁ ଶୁଭ ମୁହୂର୍ତ୍ତ ଓ ମହତ୍ତ୍ୱ

ହିନ୍ଦୁ ଧର୍ମରେ ଅଁଳା ନବମୀର ବିଶେଷ ମହତ୍ତ୍ୱ ରହିଛି। ଏହାକୁ ‘ଅକ୍ଷୟ ନବମୀ’ ମଧ୍ୟ କୁହାଯାଇଥାଏ। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, କାର୍ତ୍ତିକ ମାସର ଶୁକ୍ଳପକ୍ଷ ନବମୀ ତିଥିକୁ ଅଁଳା ନବମୀ କୁହାଯାଇଥାଏ। ଏହି ଦିନ ଦାନ, ଧର୍ମକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ମାନ୍ୟତା ରହିଛି କି, ଅଁଳା ନବମୀ ଦିନ ଦାନ, ଧର୍ମ କରିବା ଦ୍ୱାରା ଆପଣଙ୍କୁ ପୁଣ୍ୟଫଳ ବର୍ତ୍ତମାନ ସହିତ ଆଗାମୀ ଜନ୍ମରେ ମଧ୍ୟ ପ୍ରାପ୍ତ ହୋଇଥାଏ। ଶାସ୍ତ୍ର ଅନୁସାରେ, ପବିତ୍ର ଅଁଳା ନବମୀରେ ଅଁଳା ଗଛକୁ ପୂଜାର୍ଚ୍ଚନା କରାଯାଇଥାଏ। କୁହାଯାଏ, ଏମିତି କରିବା ଦ୍ୱାରା ବ୍ୟକ୍ତିର ସବୁ ପାପ କ୍ଷୟ ହୋଇଯାଇଥାଏ।

କେବେ ପଡ଼ୁଛି ଅଁଳା ନବମୀ: ଚଳିତ ବର୍ଷ ଅଁଳା ନବମୀ ୧୨ ନଭେମ୍ବର ଶୁକ୍ରବାର ଦିନ ପଡ଼ୁଛି।

ଶୁଭ ମୁହୂର୍ତ୍ତ: ୧୨ ନଭେମ୍ବର ଶୁକ୍ରବାର ସକାଳ ୬ଟା ୫୦ ମିନିଟ୍‌ରୁ ଦ୍ୱିପ୍ରହର ୧୨ଟା ୧୦ ମିନିଟ୍‌ ପର୍ଯ୍ୟନ୍ତ ପୂଜାର ଶୁଭ ମୁହୂର୍ତ୍ତ ରହିଛି।

ନବମୀ ତିଥି ପ୍ରାରମ୍ଭ: ନବମୀ ତିଥି ୧୨ ନଭେମ୍ବର ସକାଳ ୫ଟା ୫୧ ମିନିଟ୍‌ରୁ ଆରମ୍ଭ ହେବ, ଯାହାକି ୧୩ ନଭେମ୍ବର ଶନିବାର ସକାଳ ୫ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ରହିବ।

ଅଁଳା ନବମୀର ମହତ୍ତ୍ୱ

ଅଁଳା ନବମୀ ଦିନ ଅଁଳା ବୃକ୍ଷ ତଳେ ଭୋଜନ ପ୍ରସ୍ତୁତ କରିବା ଏବଂ ଭୋଜନ କରିବାର ବିଶେଷ ମହତ୍ତ୍ୱ ରହିଛି। ଅଁଳା ନବମୀରେ ହିଁ ଭଗବାନ ବିଷ୍ଣୁ କୁଷ୍ମାଣ୍ଡକ ଦୈତ୍ୟକୁ ମାରିଥିଲେ। ଏହି ଦିନ ଭଗବାନ ଶ୍ରୀକୃଷ୍ଣ କଂସ ବଧ ପୂର୍ବରୁ ୩ ଜଙ୍ଗଲ ପରିକ୍ରମା କରିଥିଲେ। ସନ୍ତାନ ପ୍ରାପ୍ତି ଲାଗି ଏହି ନବମୀ ତିଥିରେ ପୂଜାର୍ଚ୍ଚନା କରିବାର ମଧ୍ୟ ବିଧି ପ୍ରଚଳିତ ରହିଛି। ଏହି ବ୍ରତରେ ଭଗବାନ ଶ୍ରୀହରିଙ୍କୁ ସ୍ମରଣ କରି ରାତ୍ରି ଜାଗରଣ କରିବା ଉଚିତ।

ଅଁଳା ନବମୀ ପୂଜା ବିଧି

ମହିଳାମାନେ ଅଁଳା ନବମୀ ଦିନ ସକାଳୁ ସ୍ନାନ, ଶୌଚ ଆଦି ସାରି କୌଣସି ଅଁଳା ବୃକ୍ଷ ନିକଟକୁ ଯାଆନ୍ତୁ। ଆଖପାଖକୁ ସଫାସୁତରା କରି ଅଁଳା ବୃକ୍ଷ ମୂଳେ ଶୁଦ୍ଧ ଜଳ ଅର୍ପଣ କରନ୍ତୁ। ଏହାପରେ ସେଠାରେ କଞ୍ଚା କ୍ଷୀର ଢାଳନ୍ତୁ। ପୂଜା ସାମଗ୍ରୀ ଦ୍ୱାରା ବୃକ୍ଷକୁ ପୂଜା କରନ୍ତୁ ଏବଂ ଗଛର ଗଣ୍ଡିରେ ପବିତ୍ର ସୂତାକୁ ୮ ଥର ପରିକ୍ରମା ସହିତ ବାନ୍ଧି ଦିଅନ୍ତୁ। କିଛି ଜାଗାରେ ୧୦୮ ଥର ମଧ୍ୟ ପରିକ୍ରମା କରାଯାଇଥାଏ। ଏହାପରେ ପରିବାର ଏବଂ ସନ୍ତାନସନ୍ତତିଙ୍କ ସୁଖ, ସମୃଦ୍ଧି କାମନା କରନ୍ତୁ। ବିଶ୍ୱାସ ରହିଛି ଯେ ଅଁଳା ବୃକ୍ଷ ତଳେ ବସି ପରିବାର ଓ ସାଙ୍ଗସାଥୀଙ୍କ ସହ ମିଶି ଭୋଜନ କଲେ ଅଶେଷ ଲାଭ ମିଳିଥାଏ। କିନ୍ତୁ ଏଥି ପୂର୍ବରୁ ପ୍ରଥମେ କୌଣସି ବ୍ରାହ୍ମଣ କିମ୍ବା ସାଧକ, ଭକ୍ତମାନଙ୍କୁ ଭୋଜନ କରାଇ ନିଜେ ଭୋଜନ କରିବା ଉଚିତ। ସେହିପରି ପୂଜାରେ କର୍ପୂର କିମ୍ବା ଘିଅଦୀପ ଜାଳି ଅଁଳା ବୃକ୍ଷର ଆଳତି କରିବା ଉଚିତ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.