ନକଲି ପୋଲିସ ପାଖରେ ଜାଲ ନୋଟ କେଉଁଠୁ ଆସିଲା ? ଚାଲିଛି ତଦନ୍ତ

ଚାଲି ଏବଂ ଠାଣି ଦେଖିକି ଲାଗୁନଥିଲେ ନକଲି ପୋଲିସ ବୋଲି । ଚାକିରି କରେଇ ଦେବାକୁ କହି ଆଶାୟୀଙ୍କ ଠାରୁ ନେଉଥିଲେ ଲକ୍ଷ ଲକ୍ଷ ଟଙ୍କା । ଲୋକେ ମଧ୍ୟ ନକଲି ପୋଲିସ ବାବୁଙ୍କୁ ଅସଲି ବୋଲି ବିଶ୍ବାସ କରି ତାଙ୍କ ପାଲରେ ପଡ଼ି ଯାଉଥିଲେ । କିନ୍ତୁ ତାଙ୍କର ଏହି କଳାକାରନାମା ପୋଲିସ ନଜରରୁ ବଞ୍ଚିପାରି ନଥିଲା । ଶେଷରେ ନକଲି ପୋଲିସକୁ ଧରିଥିଲା ଅସଲି ପୋଲିସ ।

ହଁ ଆଜ୍ଞା, ପୂର୍ବର ଖବର ପ୍ରକାଶିତ ହୋଇଥିଲା ଯେ, ନକଲି ପୋଲିସ ଡିଏସପି ମାନସ ରଞ୍ଜନ ସେନାପତି ଓ ସହଯୋଗୀ କନଷ୍ଟେବଳ କିଭଳି ଭାବେ ଗିରଫ ହୋଇଥିଲେ । ଏହି ମାମଲାରେ ଏବେ ଆସିଛି ନୂଆ ମୋଡ଼ । ଉଭୟଙ୍କୁ ରିମାଣ୍ଡରେ ଆଣି କମିଶନରେଟ ପୋଲିସ ପଚରା ଉଚୁରା କରିଛି । ତେବେ ମାନସ ଠାରୁ ମିଳିଥିଲା ୧ ଲକ୍ଷ ୯୩ ହଜାର ନକଲି ପାଞ୍ଚ ଶହ ଟଙ୍କିଆ ନୋଟ୍ ଜବତ କରିଥିଲା ପୋଲିସ । ଏହା ସବୁ ହାଇ କ୍ଵାଲିଟି ନୋଟ ବୋଲି ଜଣାପଡ଼ିଛି । ତେବେ ଏହା ସବୁ ଫରେନ୍ସିକ ଲାବ କୁ ଯାଞ୍ଚ ପାଇଁ ପଠା ଯାଇଛି।

ବର୍ତ୍ତମାନ ପ୍ରଶ୍ନ ଉଠୁଛି ନକଲି ନୋଟ କେଉଁଠୁ ଆସୁଥିଲା? ଏହି ରାକେଟରେ କିଏ କିଏ ଅଛନ୍ତି । ଏହି ନକଲି ନୋଟ୍ କାହାକୁ ପଠା ଯାଉଥିଲା ତାହାର ଯାଞ୍ଚ ଚାଲିଛି । ଏନେଇ ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ମିଳିଛି ବୋଲି ପୋଲିସ ମଧ୍ୟ କହିଛନ୍ତି । ତାକୁ ଆଧାର କରି ତଦନ୍ତ ଚାଲିଥିବା ନେଇ ଭୁବନେଶ୍ୱର ଡିସିପି ଜଗମୋହନ ମିନା ସୁଚନା ଦେଇଛନ୍ତି ।

ତେବେ ଆମେ ଆପଣଙ୍କୁ କହିରଖୁଛୁ ଗତ ଏପ୍ରିଲ ୧ ତାରିଖ ଦିନ ଥାନାରେ ଏହି ନକଲି ପୋଲିସ ନାଁରେ ଲିଖିତ ଅଭିଯୋଗ ହୋଇଥିଲା । କଟକ ସିଏନ୍ ବିଟି ବସଷ୍ଟାଣ୍ଡରେ ସୁରକ୍ଷାକର୍ମୀ ଭାବରେ କାର୍ଯ୍ୟରତ ଯୁବକ ଜିତଂଶୁ ଶେଖର ପରିଡ଼ା ଅଭିଯୋଗ କରିଥିଲେ । ଏହା ପରେ ନକଲି ପୋଲିସକୁ ଧରିବାରେ ସଫଳ ହୋଇଥିଲା ଅସଲି ପୋଲିସ । ଗିରଫ ଅଭିଯୁକ୍ତ କଟକରେ ରହୁଥିଲା । ପ୍ରାୟ ୩୦ରୁ ୪୦ ଜଣ ଲୋକଙ୍କୁ ମିଛ କହି ଠକି ଥିଲା । ତାଠାରୁ ୨ ଲକ୍ଷ ପାଖାପାଖି ଟଙ୍କା, ଗୋଟିଏ ଲାପଟପ୍, ନକଲି ପୋଲିସ ପୋଷାକ, ଟୋପି, ନକଲି ପୋଲିସ ପରିଚୟ ପତ୍ର, ପାଞ୍ଚଟି ମୋବାଇଲ ଫୋନ, ରବର୍ ଷ୍ଟାମ୍ପ, ଚେକ୍ ବହି ଆଦି ଜବତ କରିଥିଲା ପୋଲିସ । ଏବେ ସେହି ନକଲି ଟଙ୍କାକୁ ନେଇ ଚାଲିଛି ତନାଘନା ।

Also read:ପୁଣି ଦାଦନ ଦୁଃଖ, ହାଇଦ୍ରାବାଦରେ ଦାଦନ ଶ୍ରମିକଙ୍କୁ ଦିଆଯାଇଛି ନିର୍ଯାତନା