ରଜକୁ ଓଡିଶାର ପାରମ୍ପରିକ ଓ ଗଣପର୍ବ କୁହାଯାଏ। ଏହା ଗାଁ ଗହଳି ଠାରୁ ଆରମ୍ଭ କରି ସହର ଚାରିଆଡେ ପାଳନ କରାଯାଏ। ଏହି ପର୍ବ ସାଧାରଣତଃ ଚାରି ଦିନ ଧରି ପାଳନ ହୋଇଥାଏ। ପ୍ରଥମ ଦିନକୁ ପହିଲି ରଜ, ଦ୍ଵିତୀୟ ଦିନକୁ ରଜ ସଂକ୍ରାନ୍ତି, ତୃତୀୟ ଦିନକୁ ଭୂମି ଦହନ ଏବଂ ଚତୁର୍ଥ ତଥା ଅନ୍ତିମ ଦିନକୁ ବସୁମତୀ ସ୍ନାନ ଭାବରେ ପାଳନ କରାଯାଏ।
ରଜରେ ପୋଡପିଠା ଓ ପାନ ଖାଇବା ସହ ଝିଅ ମାନେ ଦୋଳି ଖେଳିଥାନ୍ତି। ପୁଅମାନେ ଏହି ଦିନଟିରେ କବାଡି, ବାଗୁଡି ଭଳି ବିଭିନ୍ନ ଖେଳ ଖେଳି ରଜ ପାଳନ କରିଥାନ୍ତି।
ରଜରେ ମାଟି ମା’କୁ ତିନିଦିନ ବିଶ୍ରାମ ଦିଆଯାଏ ବୋଲି ବିଶ୍ୱାସ ଅଛି । ରଜ ପୂର୍ବରୁ ଆରମ୍ଭ ହୁଏ ପ୍ରସ୍ତୁତି ପର୍ବ । ତିନିଦିନ ଧରି ଧରଣୀ ମାତାକୁ ବିଶ୍ରାମ ଦିଆଯାଏ, ଯେଉଁଥି ପାଇଁ ଭୂ-ଖନନ କରିବାକୁ ବାରଣ କରାଯାଇଥାଏ । କୁମାରୀମାନଙ୍କ ପାଇଁ ରଜପର୍ବ ହେଉଛି ତାଲିମ ପ୍ରଦାନକାରୀ ପର୍ବ । କୁଆଁରୀ ଝିଅମାନଙ୍କୁ ଆଗାମୀ ଦିନରେ ବିବାହ ପରେ କିପରି କର୍ତ୍ତବ୍ୟ ସମ୍ପାଦନ କରିବାକୁ ହେବ ତାହା ଏହି ରଜ ପର୍ବ ଅବସରରେ ଶିଖିବାକୁ ପଡ଼ିଥାଏ।
ରଜ ତିନିଦିନ ଧରି ରଜସ୍ୱଳା ନାରୀଭାବେ ଧରଣୀମାତାକୁ କଷ୍ଟ ନ ଦେଇ ବିଶ୍ରାମ ଦେଲାଭଳି କଟା, ବଟା ଆଦି ଗୃହକର୍ମ ନକରି କୁମାରୀମାନେ ବିଶ୍ରାମ କରନ୍ତି । ଝିଅମାନେ ବିଭିନ୍ନ ପ୍ରକାର ପୋଷାକ ପିନ୍ଧି ଖେଳ ଓ ଦୋଳିରେ ସମୟ ଅତିବାହିତ କରିଥାନ୍ତି। ଏହିଦିନ ସାଧାରଣତଃ ଝିଅମାନେ ଖାଲି ପାଦରେ ଚାଲିବାକୁ ବାରଣ କରାଯାଇଥିବା ବେଳେ କଦଳୀ ପଟୁଆର ଚପଲ ପିନ୍ଧି ଚାଲିଥାନ୍ତି । ଘରେ ଘରେ ବିଭିନ୍ନ ପ୍ରକାର ପିଠାର ଆସର ଜମିଥାଏ। ପୋଡ ପିଠା, ଏଣ୍ଡୁରି ପିଠା ଓ ବିଭିନ୍ନ ପ୍ରକାର ପିଠାରେ ଘର ଭର୍ତ୍ତି ହୋଇଥାଏ। ଝିଅମାନେ ଏହି ପର୍ବରେ ରଜ ଗୀତ ଗାଇ ଦୋଳିରେ ଝୁଲିଥାନ୍ତି।
ବସୁମତୀ ସ୍ନାନର ମହତ୍ତ୍ବ:
ତିନି ଦିନ ପରେ ଶେଷରେ ପାଳନ କରାଯାଏ ବସୁମତୀ ସ୍ନାନ। ଏହା ରଜ ପର୍ବର ଅନ୍ତିମ ଦିନ। ଏହି ଦିନ ଆମ ଧରଣୀ ମାତାଙ୍କୁ ସ୍ନାନ କରାଯାଇଥାଏ। ତିନିଦିନ ବିଶ୍ରାମ ପରେ ସ୍ନାନ କରି ଶୁଦ୍ଧ ପବିତ୍ର ହୋଇଥାନ୍ତି ଧରଣୀ ମାତା । ଏହା ଧରାସ୍ନାନ, ମହାଲକ୍ଷ୍ମୀ ସ୍ନାନ, ମହାଲକ୍ଷ୍ମୀ ଗାଧୁଆ ଓ ଶୁଦ୍ଧ ସ୍ନାନ ରୂପେ ପ୍ରଖ୍ୟାତ । ଏହିଦିନ ବଡ଼ି ସକାଳୁ ଶିଳପୁଆରେ ହଳଦୀ କନା ଗୁଡ଼ାଇ ସିନ୍ଦୂର, କଜଳ ଦେଇ ଧରଣୀ ମାତାଙ୍କ ସ୍ୱରୂକୁ ସଜାଇ ପିଢ଼ା ଉପରେ ସ୍ଥାପନା କରାଯାଇଥାଏ। ଏଥିସହ କଳସ ଉପରେ ଆମ୍ବଡ଼ାଳ ରଖି ସ୍ନାନ କରାଯାଏ ।
ମାସିକ ଧର୍ମର ବିଧି ଅନୁଯାୟୀ ଧରଣୀ ମାତା ତିନିଦିନ ବିଶ୍ରାମ ପରେ ସ୍ନାନ କରି ଶୁଦ୍ଧ ପବିତ୍ର ହୋଇଥାନ୍ତି । ରଜସ୍ୱଳାନାରୀ ସଦୃଶ ତିନିଦିନ ଅସ୍ପୃଶ୍ୟ ହୋଇ ରହିବା ପରେ ଚତୁର୍ଥ ଦିନ ପ୍ରାତଃ ସକାଳୁ ସ୍ନାନ କରି ପବିତ୍ର ହୋଇଥାଏ । ଏହି ଦିନ ଧରଣୀ ମାତାଙ୍କ ପ୍ରତି ଭକ୍ତିଭାବ ଜାଗ୍ରତ ହୋଇଥାଏ । ବସୁମାତା ରଜସ୍ୱଳା ହୋଇ ଶୁଦ୍ଧସ୍ନାନ ପରେ ସୃଜନ କ୍ଷମତାଶୀଳା ଅର୍ଥାତ ଶସ୍ୟ ବୀଜ ଧାରଣକାରିଣୀ ହୋଇପାରିଥାନ୍ତି ।