କାହିଁକି ୧୪ ବର୍ଷ ବନବାସ ଜୀବନ ବିତାଇଥିଲେ ପ୍ରଭୁ ଶ୍ରୀରାମ? ଜାଣନ୍ତୁ ରୋଚକ ତଥ୍ୟ

ଆଜି ପବିତ୍ର ଶ୍ରୀରାମ ନବମୀ । ଜୟ ଶ୍ରୀରାମ ଧ୍ବନିରେ ପ୍ରକମ୍ପିତ ହୋଇ ଉଠିଛି ସାରା ଦେଶ । ସବୁ ରାମ ମନ୍ଦିର ଚଳଚଞ୍ଚଳ। କେଉଁଠି ଶ୍ରୀରାମ ଚରିତ ମାନସ ପାଠ ଚାଲିଛି ତ କେଉଁଠୁ ରାମ ଭଜନରେ ମୁଖରିତ ପରିବେଶ । ପ୍ରଭୁଙ୍କ ଦର୍ଶନ ପାଇଁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଜମିଛି ମନ୍ଦିରରେ । ରାମନବମୀ ପାଇଁ ସଜେଇ ହୋଇଛି ଶ୍ରୀରାମଙ୍କ ଜନ୍ମଭୂମି ଅଯୋଦ୍ଧ୍ୟା । ସାରା ଦେଶରେ ବଡ଼ ଧୁମ୍ଧାମ୍ ଯାକଜମକରେ ପାଳିତ ହୋଇଛି ରାମନବମୀ ବା ରାମଙ୍କ ଜନ୍ମଦିନ। ବ୍ରତଧାରୀମାନେ ଏହିଦିନ ଉପବାସ କରି ରମ କଥା, ରାମାୟଣ ଶୁଣିଥାନ୍ତି ।
ପ୍ରଭୁ ଶ୍ରୀରାମଚନ୍ଦ୍ର ହେଉଛନ୍ତି ବିଷ୍ଣୁଙ୍କ ଅବତାର । ସେ ପୁରୁଷୋତ୍ତମ । ରାଜାଧିରାଜ ମର୍ଯ୍ୟାଦା ପୁରୁଷୋତ୍ତମ । କିନ୍ତୁ ତାଙ୍କ ଜୀବନରେ ଏତେ କଷ୍ଟ କାହିଁକି ଥିଲା ? ସେ ତ ନାରାୟଣଙ୍କ ଅବତାର ତଥାପି କାହିଁକି ଏତେ କଷ୍ଟ ଭୋଗିଲେ ? କାହିଁକି ୧୪ ବର୍ଷ ବନବାସ ଜୀବନ ବିତାଇଥିଲେ ପ୍ରଭୁ ଶ୍ରୀରାମ । ପୁଣି ରାଜା ହୋଇ ମଧ୍ୟ ମାତା ସୀତାଙ୍କୁ କାହିଁକି ତ୍ୟାଗ କରିବାକୁ ବାଧ୍ୟ ହୋଇଥିଲେ ? ଆପଣଙ୍କ ମନରେ କେବେ ଏଭଳି ପ୍ରଶ୍ନ ଆସିଛି କି ?
ଚୈତ୍ର ମାସର ଶୁକ୍ଳପକ୍ଷର ନବମୀ ତିଥିରେ ଜନ୍ମ ପ୍ରଭୁ ଶ୍ରୀରାମଙ୍କର । ପୁନର୍ବସୁ ନକ୍ଷତ୍ର, ସୂର୍ଯ୍ୟ, ମଙ୍ଗଳ, ଶନି, ବୃହସ୍ପତି ଏବଂ ଶୁକ୍ର ନିଜ ନିଜ ଉଚ୍ଚ ସ୍ଥାନରେ ବିରାଜମାନ କରୁଥିଲେ । ଠିକ୍ ସେହି ସମୟରେ କର୍କଟ ଲଗ୍ନ ଉଦୟ ହେବା ମାତ୍ରେ ମହାରାଜା ଦଶରଥଙ୍କ ବଡ଼ ରାଣୀ କୌଶଲ୍ୟାଙ୍କ ଗର୍ଭରୁ ଏକ ଶିଶୁ ଜନ୍ମ ନେଇଥିଲା । ଶିଶୁର ବର୍ଣ୍ଣ ନୀଳ ଥିଲା, ଆକର୍ଷଣୀୟ ଗଢ଼ଣ ସହ ତେଜସ୍ବୀ ଶରୀର ଓ ସୁନ୍ଦର ମୁହଁ ଦେଖି ସମସ୍ତେ ହୋଇ ଉଠିଥିଲେ ଆତ୍ମହରା । ଏହା ପରେ ଶୁଭ ନକ୍ଷତ୍ର ଏବଂ ଶୁଭ ସମୟରେ ରାଣୀ କୈକେୟୀଙ୍କ ଔରସରୁ ଏକ ପୁତ୍ର ଜନ୍ମ ହୋଇଥିଲା । ତୃତୀୟ ରାଣୀ ସୁମିତ୍ରାଙ୍କ ଗର୍ଭରୁ ଦୁଇ ପୁତ୍ର ଜନ୍ମ ନେଇଥିଲେ ।
ସାରା ରାଜ୍ୟରେ ଆନନ୍ଦର ଲହରୀ ଖେଳିଗଲା । ପୁଅ ପାଇଁ ଆତୁର ଥିବା ମହାରାଜାଙ୍କର ଏକାଥରେ ୪ ପୁତ୍ରଙ୍କ ଜନ୍ମ ନେଲେ । ତେଣୁ ଉତ୍ସବ ବଡ଼ ଧୁମଧାମରେ ପାଳନ କରାଗଲା । ଜନ୍ମୋତ୍ସବରେ ଗନ୍ଧର୍ବମାନେ ଗୀତ ଗାଇବା ଆରମ୍ଭ କଲେ, ଅପସରାମାନେ ନୃତ୍ୟ କଲେ । ଦେବତାମାନେ ସ୍ବର୍ଗରୁ ପୁଷ୍ପ ବର୍ଷା କଲେ । ରାଜା ଦଶରଥ ଖୋଲା ହାତରେ ବ୍ରାହ୍ମଣ ଏବଂ ରାଜ୍ୟବାସୀଙ୍କୁ ଦାନ କଲେ । ମହର୍ଷି ବଶିଷ୍ଠଙ୍କ ଦ୍ବାରା ୪ ପୁଅଙ୍କ ନାମକରଣ କରାଗଲା । ପ୍ରଥମ ପୁତ୍ରର ନାମ ରାମଚନ୍ଦ୍ର, କୈକେୟୀଙ୍କ ପୁଅର ନାମ ଭରତ ଏବଂ ସୁମିତ୍ରାଙ୍କ ଦୁଇ ପୁଅଙ୍କ ନାମ ଲକ୍ଷ୍ମଣ ଓ ଶତ୍ରୁଘ୍ନ ରଖାଗଲା ।
ବୟସ ବଢ଼ିବା ସହିତ ୪ ପୁତ୍ରଙ୍କ ପ୍ରତିଭା ପ୍ରସ୍ଫୁଟିତ ହେଲା । ସମସ୍ତଙ୍କର ପ୍ରିୟ ହୋଇଗଲେ ୪ ଭାଇ । ପୁଅଙ୍କ ପ୍ରତିଭାରେ ମହାରାଜା ଦଶରଥଙ୍କ ହୃଦୟ ଗର୍ବ ଏବଂ ଆନନ୍ଦରେ ଭରି ଯାଉଥିଲା । ଯୁବାବସ୍ଥାରେ ୪ ଭାଇଙ୍କ ବିବାହ ମଧ୍ୟ ସ୍ଥିର ହେଲା । ଏହା ପରେ ଶ୍ରୀରାମଙ୍କ ଜୀବନରେ ଆସିଲା ଭୟଙ୍କର ସ୍ଥିତି ।
ରାମାୟଣର କାହାଣୀ ଅନୁସାରେ, ଯେତେବେଳେ ଭଗବାନ ରାମଙ୍କର ରାଜ୍ୟାଭିଷେକ ହେବାର ସମୟ ଆସିଲା, ସିଂହାସନ ବସିବାର ଗୋଟିଏ ଦିନ ପୂର୍ବରୁ ରାଣୀ କୈକେୟୀ ରାଜା ଦଶରଥଙ୍କଠାରୁ ବର ମାଗିଲେ । ସେ ରାମଙ୍କ ପାଇଁ ୧୪ ବର୍ଷର ବନବାସ ମାଗିବା ସହ ତାଙ୍କ ପୁତ୍ର ଭରତଙ୍କୁ ରାଜା କରିବାକୁ କହିଥିଲେ ।
କୈକେୟୀ ଜାଣିଶୁଣି ୧୪ ବର୍ଷର ବନବାସର ବର ମାଗିଥିଲେ । କାରଣ ନିୟମ ଅନୁଯାୟୀ ଯଦି ଜଣେ ରାଜା ଲଗାତାର ଭାବେ ୧୪ ବର୍ଷ ଧରି କୌଣସି ସମ୍ପତ୍ତି ତଦାରଖ କରନ୍ତି, ତେବେ ତାଙ୍କର ସେଥିରେ ଅଧିକାର ହୋଇଯାଏ । ଏହି କାରଣରୁ କୈକେୟୀ ଶ୍ରୀରାମଙ୍କ ପାଇଁ ୧୪ ବର୍ଷର ବନବାସ ମାଗିଥିଲେ ।
ଯେତେବେଳେ ଭରତ, ମାତା କୈକେୟୀଙ୍କ ପ୍ରତିଶ୍ରୁତି ବିଷୟରେ ଜାଣିଲେ ସେ ଅତ୍ୟନ୍ତ କ୍ରୋଧିତ ହେଲେ । ସେ ରାଜ୍ୟବାସୀଙ୍କ ସହିତ ପ୍ରଭୁ ରାମଙ୍କୁ ବୁଝାଇବାକୁ ବଣକୁ ଯାଇଥିଲେ । କୈକେୟୀ ତାଙ୍କ କଥା ଫେରାଇ ନେଇ ଥିଲେ ସତ କିନ୍ତୁ ପ୍ରଭୁ ଶ୍ରୀରାମ ରାଜ୍ୟକୁ ଫେରିନଥିଲେ । କାହିଁକି ନା କୈକେୟୀ ନିଜ ପ୍ରତିଶ୍ରୁତି ଫେରାଇ ନେଇଥିଲେ ବି ରାଜା ଦଶରଥ ନିଜ ପ୍ରତିଶ୍ରୁତି ଫେରାଇ ନଥିଲେ । ସେତେବେଳକୁ ରାଜା ଦଶରଥ ପୁତ୍ର ବିୟୋଗ ଦୁଃଖରେ ପ୍ରାଣ ତ୍ୟାଗ କରିଥିଲେ । ତେଣୁ ପ୍ରତିଶ୍ରୁତି ଫେରାଇ ନେବା ସମ୍ଭବ ନଥିଲା । ପ୍ରଭୁ ରାମ ତାଙ୍କ ପିତାଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ୧୪ ବର୍ଷର ବନବାସରେ ଯାଇଥିଲେ । ସେହି ସମୟରେ ଜଙ୍ଗଲ ଭିତରେ ଅନେକ କଷ୍ଟ ଦୁଃଖ ସହିବା ସହ ରାବଣ ମାତା ସୀତାଙ୍କୁ ଅପହରଣ କରି ନେଇଥିଲେ । ଘମାଘୋଟ ଯୁଦ୍ଧ ପରେ ରାବଣକୁ ମାରି ସୀତାଙ୍କୁ ମୁକ୍ତ କରିଥିଲେ ପ୍ରଭୁ ଶ୍ରୀରାମ । ତେବେ ମାତାଙ୍କୁ ସାଥୀରେ ନେବା ପୂର୍ବରୁ ତାଙ୍କର ଅଗ୍ନି ପରୀକ୍ଷା ହୋଇଥିଲା ।
ଅନ୍ୟପଟେ ପୌରାଣିକ କଥା ଅନୁସାରେ ରାଜ୍ୟବାସୀଙ୍କ ଲାଞ୍ଛନା ପାଇଁ ମାତା ସୀତାଙ୍କୁ ଅଯୋଦ୍ଧ୍ୟାରେ ପୁଣି ଥରେ ସତୀତ୍ବର ପରୀକ୍ଷା ଦେବାକୁ କୁହା ଯାଇଥିଲା । ମାତା ସୀତା ଦୁଃଖରେ ନିଜ ଆତ୍ମସମ୍ମାନକୁ ବଞ୍ଚାଇବା ପାଇଁ ଭଗବାନ ଶ୍ରୀରାମଙ୍କୁ ତ୍ୟାଗ କରିବାର ନିଷ୍ପତ୍ତି ନେଇଥିଲେ । ଖାଲି ସେତିକି ନୁହେଁ, ନିଜ ପତ୍ନୀ ଓ ପୁତ୍ର ଲବକୁଶଙ୍କ ଠାରୁ ଦୂରେଇ ରହିଥିଲେ । ଏଭଳି ଅନେକ ପରୀକ୍ଷାର ସାମନା କରିଥିଲେ ଶ୍ରୀରାମ ।
ଭଗବାନ ବିଷ୍ଣୁଙ୍କ ଅବତାର ହେଉଛନ୍ତି ଶ୍ରୀରାମ । କିନ୍ତୁ ଭଗବାନ ହୋଇ ବି ସେ ସାଂସାରିକ ଜୀବନରେ ବହୁ କଷ୍ଟ ଓ ତ୍ୟାଗ ସହିଥିଲେ । ସେଥିପାଇଁ ତାଙ୍କୁ ପୁରୁଷୋତ୍ତମ ଆଖ୍ୟା ଦିଆଯାଇଛି । ଆଉ ଏହି ଅବତାର ଜରିଆରେ ଏକଥା ମଧ୍ୟ ପ୍ରଭୁ ଦର୍ଶାଇଛନ୍ତି କି ‘ମର୍ତ୍ତ୍ୟ ମଣ୍ଡଳେ ଦେହ ବହି ଦେବତା ହେଲେ ବି ମରଇ’ । ଜନ୍ମ ମୃତ୍ୟୁ ଭୋଗାଭୋଗ ସବୁ ଏଇ ଦୁନିଆରେ । ତେଣୁ ସେ ମଣିଷ ହେଉ କି ଦେବତା ଭାଗ୍ୟରେ ଲେଖା ଥିବା ଭୋଗାଭୋଗରୁ ବର୍ତ୍ତି ପାରିବେ ନାହିଁ ।..
ଭାଗବତରେ ପରା ଲେଖା ଅଛି…
ଏ ସୃଷ୍ଟି ମଧ୍ୟେ ମାୟାଧର । କରଇ ଯେତେ ଅବତାର ॥ ୧୮
ତାହାଙ୍କ ମୂଳବୀଜ ଏହି । ଜଗତେ ବ୍ରହ୍ମା ସେ ବୋଲାଇ ॥ ୧୯
ଯାହାର ଅଂଶାଅଂଶ ବଳେ । ଗଗନ ପୃଥିବୀ ପାତାଳେ ॥ ୨୦
ଦେବ ମନୁଷ୍ୟ ପଶୁ ଆଦି । ନିଗମ ଗୋଚରେ ସମ୍ପାଦି ॥ ୨୧
Also Read: ଆଜି ପବିତ୍ର ଶ୍ରୀରାମ ନବମୀ, ରାଜ୍ୟର ବିଭିନ୍ନ ମନ୍ଦିରରେ ଚାଲିଛି ରାମ ଚରିତ ମାନସ ପାଠ