କାହିଁକି ଆଖିକୁ ଦିଶୁନଥିବା ମା କୋଳରୁ ପିଲାକୁ ଛଡ଼ାଇ ନେଲା ଏ ଦୁର୍ବୃତ୍ତ ?

ଭୁବନେଶ୍ୱର ରାମ ମନ୍ଦିର ସାମନାରୁ ଅପହୃତ ଶିଶୁପୁତ୍ର ଶୁଭମକୁ ବାଲେଶ୍ୱରରୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛି କମିଶନରେଟ୍ ପୋଲିସ୍ । ୪୮ ଘଣ୍ଟାର ତନାଘନା ପରେ ପିଲାକୁ ଉଦ୍ଧାର କରି ତାର ଦୁଃଖୀ ମାଆ କୋଳକୁ ଫେରାଇଛି କମିଶନରେଟ୍ ପୋଲିସ୍ । ନିଜ ଅନ୍ଧଲଉଡ଼ିକୁ ହଜାଇଥିବା ମାଆଟି ଧନ୍ୟବାଦ ଦେଇଛି ଖୁବ୍ ଆଶୀର୍ବାଦ ଦେଇଛି ପୋଲିସକୁ । … ହେଲେ ଦେଖନ୍ତୁ ଏହି ଅମଣିଷକୁ.. ଯିଏ କୋଳ ଖାଲି କରି ଦେଇଥିଲା ଗୋଟେ ଦୃଷ୍ଟିବାଧିତ ଦିବ୍ୟାଙ୍ଗ ମାଆର । ଟିକିଏ ଛାତି ତାର ଥରିଲାନି କି ବିବେକ ବାଧା ଦେଲାନି ତାକୁ ଏଭଳି ହୀନ, ଘୃଣ୍ୟ କାମ କରିବାକୁ । ଯିଏ ଶୁଣିଲା ଛି ଛାକର କଲା । ରାଗ ଏମିତି ହେଲା ସେ ଚୋର ଉପରେ ହୁଏତ ପାଖରେ ପାଇଥିଲେ ଲୋକେ ତାକୁ ଖୁବ୍ ପିଟିଥାନ୍ତେ ।

ଓଡ଼ିଶାର ଭୁବନେଶ୍ୱରର ରାମ ମନ୍ଦିର ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଦୃଷ୍ଟି ବାଧିତ ମହିଳା ଜୟନ୍ତୀ ମଲିକଙ୍କ ଦୁଇ ବର୍ଷର ପୁଅକୁ ଅପହରଣ କରାଯାଇଥିଲା। ଏହି ଘଟଣା ସମଗ୍ର ଅଞ୍ଚଳରେ ଭୟ ଏବଂ କ୍ରୋଧର ବାତାବରଣ ସୃଷ୍ଟି କରିଛି । ଅଭିଯୋଗକାରୀ ଜୟନ୍ତୀ ଜଣେ ଦୃଷ୍ଟିହୀନ ମହିଳା ଯିଏ ତାଙ୍କ 7 ବର୍ଷର ଝିଅ ଏବଂ ୨ ବର୍ଷର ପୁଅ ସହିତ କନ୍ୟାଶ୍ରମ, ନୀଳାଦ୍ରିବିହାର, ଚନ୍ଦ୍ରଶେଖରପୁର, ଭୁବନେଶ୍ୱରରେ ରୁହନ୍ତି । ତାଙ୍କ ସ୍ୱାମୀ କାହାନୁ ଚରଣ ସାହୁ ମଧ୍ୟ ଦୃଷ୍ଟିହୀନ କିନ୍ତୁ ପାରସ୍ପରିକ ବିବାଦ ଯୋଗୁଁ ସେମାନଙ୍କ ସହିତ ରହୁନାହାଁନ୍ତି । ଜୟନ୍ତୀ ଭିକ୍ଷା ମାଗି ଜୀବିକା ନିର୍ବାହ କରନ୍ତି ଏବଂ ପ୍ରତିଦିନ ତାଙ୍କ ଦୁଇ ପିଲାଙ୍କ ସହିତ ୟୁନିଟ୍-୩ର ଶ୍ରୀରାମ ମନ୍ଦିରକୁ ଆସନ୍ତି ।

୧୨ ଏପ୍ରିଲ ୨୦୨୫ରେ ହନୁମାନ ଜୟନ୍ତୀ ଯୋଗୁଁ ଶ୍ରୀରାମ ମନ୍ଦିରରେ ପ୍ରବଳ ଭିଡ଼ ହୋଇଥିଲା । ବର୍ଷା ଯୋଗୁଁ, ସେହି ରାତିରେ ଲକ୍ଷ୍ମୀ ତାଙ୍କ ପିଲାମାନଙ୍କ ସହିତ ମନ୍ଦିର ବାହାରେ ଶୋଇଥିଲେ। ତା’ପରେ କେଦାରସନ ପଣ୍ଡା ନାମକ ଜଣେ ବ୍ୟକ୍ତି ସେଠାରେ ପହଞ୍ଚିଲେ, ସେ ପିଲାମାନଙ୍କ ସହିତ ଖେଳି ସେମାନଙ୍କ ବିଶ୍ୱାସ ଜିତିଲେ ଏବଂ ଯୋଜନା ଅନୁସାରେ ଚୁପଚାପ୍ ସାନ ପୁଅକୁ ନେଇଗଲେ।
ରେଳ ଷ୍ଟେସନର ସିସିଟିଭି ଫୁଟେଜରୁ ପୋଲିସକୁ ସୁରାକ ମିଳିଥିଲା। ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତ କେଦାରସନ ପିଲାଟିକୁ ପ୍ରଥମେ ଭୁବନେଶ୍ୱର ରେଳ ଷ୍ଟେସନ ଏବଂ ପରେ ଟ୍ରେନ୍ ଯୋଗେ ବାଲେଶ୍ୱର ନେଇଥିଲା। ସେଠାରେ ଝେଲମ୍ ଜେନା ନାମକ ଜଣେ ମହିଳା ପୂର୍ବରୁ ତାଙ୍କ ପାଇଁ ଅପେକ୍ଷା କରିଥିଲେ। ସେହିଁ ପିଲାଟିକୁ ରଖି ନେଇଥିଲା ଆଉ କେଦାରସନ ଫେରି ଆସିଥିଲା ପୁରୀ । ସୁରାକ ଆଧାରରେ, ପୋଲିସ ବାଲେଶ୍ୱରରୁ ଶିଶୁଟିକୁ ସୁରକ୍ଷିତ ଭାବରେ ଉଦ୍ଧାର କରିବା ସହ ଝେଲମ୍ କୁ ଏବଂ ପୁରୀରୁ ମୁଖ୍ୟ ଅଭିଯୁକ୍ତ କେଦାରସନକୁ ଗିରଫ କରିଥିଲା।

କେଦାରସନ ପଣ୍ଡା ପୂର୍ବରୁ ବେଙ୍ଗାଲୁରୁରେ ଜୋମାଟୋ ଏବଂ ସ୍ୱିଗି ପାଇଁ ଡେଲିଭରି ବୟ ଭାବରେ କାମ କରୁଥିଲା। ସେଠାରେ ତାର ପରିଚୟ ଝେଲମ୍  ରାଣୀ ଜେନା/ପଣ୍ଡା ସହିତ ହୋଇଥିଲା । ଝେଲମ୍ ର ସ୍ୱାମୀ ମଧ୍ୟ ସେଠାରେ ଗାର୍ଡ଼ ଭାବରେ କାର୍ଯ୍ୟ କରନ୍ତି । ତେବେ ଚିହ୍ନା ପରିଚୟ ଭିତରେ କେଦାରନାଥ ଓ ଝେଲମ୍ ମଧ୍ୟରେ କଥାବାର୍ତ୍ତା ବଢ଼ିଲା । ଓଡ଼ିଶା ଫେରିବା ପରେ ସେମାନେ ଭିତରେ ପୁଣି ସାକ୍ଷାତ ହେଲା ।

ଝିଲିର ଦୁଇଟି ଝିଅ ଏବଂ ଗୋଟିଏ ୯ ବର୍ଷର ପୁଅ ଅଛି । ଯିଏ ଏକ ଗମ୍ଭୀର କିଡନୀ ରୋଗରେ ପୀଡିତ ବୋଲି ସୂଚନା ମିଳିଛି । ସୂତ୍ର ଅନୁଯାୟୀ, ପୋଲିସ ପଚରାଉଚରା ସମୟରେ ସେ କହିଥିଲା ଯେ ତାଙ୍କ ପୁଅ ସୁସ୍ଥ ହେବା ପାଇଁ ସେ ଏକ ଅନାଥ ପିଲାକୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିବାକୁ ଚାହୁଁଥିଲା । ସେ ବିଶ୍ୱାସ କରୁଥିଲେ ଯେ ଏହା କରିବା ଦ୍ୱାରା ସେ ପୁଣ୍ୟ ପାଇବେ ଏବଂ ତାଙ୍କ ପୁଅ ସୁସ୍ଥ ହୋଇଯିବ। ତଥାପି ପୋଲିସ ଘଟଣାର ତଦନ୍ତ କରୁଛି । ଝେଲମ୍ କେତେ ସତ କହୁଛି ଓ ଏହି ପିଲା ଚୋରିରେ ତାର ଭୂମିକା କଣ ତାକୁ ଯାଞ୍ଚ କରୁଛି ।

ପ୍ରାଥମିକ ତଦନ୍ତରୁ ସନ୍ଦେହ ଉଠିଥିଲା ଯେ ଏହି ମାମଲାଟି ଅଙ୍ଗ ଚାଲାଣ ସହିତ ଜଡିତ ହୋଇପାରେ । କାରଣ ଶିଶୁଟିକୁ ଜଣେ ମହିଳାଙ୍କୁ ହସ୍ତାନ୍ତର କରାଯାଇ ଥିଲା ଯାହାଙ୍କ ପୁଅ କିଡନୀ ରୋଗରେ ପୀଡିତ । ତେବେ ଭୁବନେଶ୍ୱର ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂହ ଘଟଣା ସମ୍ପର୍କରେ ସ୍ପଷ୍ଟ କରିଛନ୍ତି । ଏହି ସମ୍ବେଦନଶୀଳ ମାମଲା ପାଇଁ କମିଶନରେଟ୍ ପୋଲିସ୍ ୪ଟି ଟିମ୍ ଗଠନ କରିଥିଲା। ସର୍ବଶେଷ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଅଭିଯୁକ୍ତଙ୍କ ସ୍ଥାନ ଚିହ୍ନଟ କରିଥିଲା । ସେହି ଅନୁଯାୟୀ ବାଲେଶ୍ୱରରୁ ମହିଳାଙ୍କଠାରୁ ଶିଶୁକୁ ଉଦ୍ଧାର କରି ପାରିଥିଲୁ ପୋଲି ପୋଲିସ୍ କମିଶନର କହିଛନ୍ତି । ଆଉ ଅପହରଣକାରୀଙ୍କୁ ପୁରୀରୁ ଗିରଫ କରାଯାଇଥିଲା। ଏହି ଅପରେସନରେ ତଦନ୍ତରେ RPF, GRP ଏବଂ ପୋଲିସ ବାହିନୀ ମିଳିତ ଭାବେ ସାମିଲ ଥିଲେ। ଦୃଷ୍ଟି ବାଧିତ ମହିଳାଙ୍କ ଛୋଟ ପୁଅଟିକୁ ଏତେ ଚତୁରତାର ସହିତ ଅପହରଣ କରାଯାଇଥିଲା ଆପଣ ଭାବି ପାରିବେନି। ଜନସାଧାରଣ ଦାବି କରୁଛନ୍ତି ଯେ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉ ଏବଂ ଯଦି କୌଣସି ରାକେଟ୍ ଏହି କାମରେ ସମ୍ପୃକ୍ତ ଥାଏ, ତେବେ ଯଥାଶୀଘ୍ର ତାର ପର୍ଦ୍ଦାଫାସ କରାଯାଉ। ପୋଲିସର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ପିଲାଟି ମିଳିଗଲା, କିନ୍ତୁ ଏହି ଘଟଣା ପରେ ଅନେକ ପ୍ରଶ୍ନ ଉଠିଛି । ଆଗାମୀ ଦିନରେ ପୋଲିସ ଏହି ରହସ୍ୟ ଉନ୍ମୋଚନ କରିବ ବୋଲି ଆଶା କରାଯାଉଛି ।

Also Read:ଚିକିତ୍ସାରେ ଅର୍ଥ ସାଜିଛି ବାଧକ,ସରକାରୀ ସାହାଯ୍ୟ ଅପେକ୍ଷାରେ ସଞ୍ଜୟ