କାହିଁକି ସେନା ସାମ୍ବାଦିକ ସମ୍ମିଳନୀରେ ଦୁଇ ମହିଳା ସେନା ଅଧିକାରୀ ସୂଚନା ଦେଲେ

ନାରୀ ନୁହେଁ ସେ ନାରାୟଣୀ । ଝିଅ ଅବଳା କି ଦୁର୍ବଳା ନୁହନ୍ତି । ଦରକାର ପଡ଼ିଲେ ନାରୀ ବି ପିନ୍ଧି ପାରେ ରକ୍ତର ସିନ୍ଦୂର । ସମୟ ପଡ଼ିଲେ ସେ ସ୍ନେହମୟୀ ମାଆର ରୂପ ନିଏ ଆଉ ପୁଣି ପରିସ୍ଥିତି ବଦଳିଲେ ସେ ମାଆ କାଳି କି ଦୁର୍ଗାର ରୂପ ନିଏ । ନାରୀ ପାଇଁ ଆଉ କୌଣସି କାମ ପ୍ରତିବନ୍ଧକ ହୋଇ ରହି ନାହିଁ । ଏଇ ଦେଖନ୍ତୁ ଏହି ଦୁଇ ମହିଳାଙ୍କୁ । ଏମାନେ ଭାରତୀୟ ସେନାର ବରିଷ୍ଠ ଅଧିକାରୀ । ନିଜ ଦକ୍ଷତା ଓ କଠିନ ପରିଶ୍ରମ ବଳରେ ଆଜି ପହଞ୍ଚିଛନ୍ତି ନିଜ ନିଜ କ୍ୟାରିୟର ଶୀର୍ଷରେ । ଏବେ ଏହି ପାକିସ୍ତାନ ଆତଙ୍କବାଦୀଙ୍କ ପାଇଁ କାଳ ସାଜିବେ ଏହି ମହିଳା । ହଁ ଆଜ୍ଞା, ‘ଅପରେସନ ସିନ୍ଦୂର’ସମ୍ପର୍କରେ ଯେଉଁ ଦୁଇ ଜଣ ମହିଳା ସେନା ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ବୀର ଯବାନଙ୍କ ବୀରତ୍ବ କଥା ବଖାଣୁଥିଲେ ଆମେ ସେହି ଦୁଇ ଜଣଙ୍କ କଥା କହୁଛୁ ।
ଭାରତୀୟ ସେନାର ସାହସିକ କାରନାମକୁ ଦେଖି ସୋସିଆଲ ମିଡିଆରେ ସେମାନଙ୍କ ପାଇଁ ପ୍ରଶଂସାର ସୁଅ ଛୁଟୁଛି । ଆଉ ଅପରେସନ୍ ସିନ୍ଦୂର ଯେହେତୁ ଭାରତୀୟ ମହିଳାଙ୍କ ସମ୍ମାନ ଓ ପ୍ରତିଶୋଧ ପାଇଁ କରାଯାଇଛି ସେଥିପାଇଁ ଭାରତ ସରକାର ଗୁରୁତ୍ତ୍ବପୂର୍ଣ୍ଣ ପ୍ରେସମିଟ ପାଇଁ ଏହି ଦୁଇ ମହିଳାଙ୍କୁ ବଛା ଯାଇଥିଲା । ସେମାନେ କିଏ ଆସନ୍ତୁ ସେମାନଙ୍କ ସମ୍ପର୍କରେ ଅଧିକ ଜାଣିବା ….
ଜଣେ ହେଉଛନ୍ତି ୱିଙ୍ଗ୍ କମାଣ୍ଡର ଭ୍ୟୋମିକା ସିଂ । ଅନ୍ୟ ଜଣେ କର୍ଣ୍ଣେଲ ସୋଫିଆ କ୍ୟୁରେଶୀ । ବାୟୁସେନାରେ ଯୋଗଦେବାର ୧୩ ବର୍ଷ ପରେ ୱିଙ୍ଗ୍ କମାଣ୍ଡର ପଦବୀ ପାଇଥିଲେ ଭ୍ୟୋମିକା ସିଂ । ଯାହା ପରେ ସେ ୨୦୧୭ ଡିସେମ୍ବର ୧୮ ତାରିଖରେ ୱିଙ୍ଗ୍ କମାଣ୍ଡର ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ୨୦୦୪ରେ ତାଙ୍କୁ ଶ୍ରେଷ୍ଠ ୱିଙ୍ଗ୍ କମାଣ୍ଡର ଭାବେ ବିବେଚନା କରାଯାଇଥିଲା ।
ତାଙ୍କ କାହାଣୀ ସେୟାର କରିବା ସମୟରେ ସେ କହିଛନ୍ତି, ଯେତେବେଳେ ସେ ଷଷ୍ଠ ଶ୍ରେଣୀରେ ପଢୁଥିଲା ବେଳେ ବାୟୁସେନାରେ ଯୋଗ ଦେବା ପାଇଁ ଇଚ୍ଛା କରିଥିଲେ । ତାଙ୍କର ପାଠ ପଢ଼ା ବେଳେ ସେ ଏନସିସିରେ ଯୋଗ ଦେଇଥିଲେ । ପଢ଼ା ସରିବା ମାତ୍ରେ ସେ UPSC ଜରିଆରେ ବାୟୁସେନାରେ ଯୋଗ ଦେଇ ହେଲିକପ୍ଟର ପାଇଲଟ୍ ହୋଇଥିଲେ । ୨୦୨୧ ମସିହାରେ ମାଉଣ୍ଟ ମଣିରଙ୍ଗରେ ଇତିହାସ ରଚିଥିଲେ । ପରେ ସେ ଇଞ୍ଜିନିୟରିଂ ମଧ୍ୟ କରିଛନ୍ତି । ଭ୍ୟୋମିକା ନାମର ଅର୍ଥ ହେଉଛି ଆକାଶ କନ୍ୟା । ଯାହାକୁ ସେ ସାର୍ଥକ କରିଛନ୍ତି । ବାୟୁସେନାରେ ଥିବା ଚିତା ଓ ଚେତକ ଭଳି ଯୁଦ୍ଧ ହେଲିକପ୍ଟରକୁ ସେ ସଫଳତାର ଉଡ଼ାଇଛନ୍ତି । ପ୍ରାୟ ୨୫୦୦ରୁ ଅଧିକ ଘଣ୍ଟା ଉଡ଼ାଇବାର ଅଭିଜ୍ଞତା ରହିଛି ତାଙ୍କର । ଭ୍ୟୋମିକା ଅନେକ ଦୁଃସାହସିକ ଅପରେସନରେ ସାମିଲ ହୋଇଛନ୍ତି ଏବଂ ନେତୃତ୍ୱ ମଧ୍ୟ ନେଇଛନ୍ତି । ଆଜି ସେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ପ୍ରେସମିଟରେ ବର୍ଣ୍ଣନା କରିଥିଲେ କେମିତି ହୋଇଥିଲା ଅପରେସନ୍ ସିନ୍ଦୂର ।
ସେହିପରି ୩୫ ବର୍ଷୀୟ ମହିଳା ସେନା ଅଧିକାରୀ କର୍ଣ୍ଣେଲ ସୋଫିଆ ଭାରତୀୟ ସେନାରେ ସିଗନାଲ କର୍ପସ ଅଫିସର ଭାବେ ୧୯୯୯ ମସିହାରେ ସାମିଲ ହୋଇଥିଲେ । ଯିଏକି ସେନାରେ ର୍ପୂବରୁ ଥିବା ଅନେକ ଗତାନୁଗତିକ ଧାରାକୁ ଭାଙ୍ଗି ନୂଆ ଧାରା ଆରମ୍ଭ କରିଛନ୍ତି । ବଡ଼ ବଡ଼ ଅପରେସନର ନେତୃତ୍ୱ ନେଇଛନ୍ତି । ଏମିତିକି ତାଙ୍କରି ପ୍ରେରଣାରେ ଅନେକ ମହିଳା ସେନାରେ ଯୋଗ ଦେଇଛନ୍ତି । ୨୦୧୬ ମସିହାରେ ଭାରତରେ ହୋଇଥିବା ବହୁଦେଶୀୟ ମିଲଟାରୀ ଡ୍ରିଲରେ ସେ ଆଗରେ ଥିଲେ । ୧୮ଟି ଦେଶର ନେତୃତ୍ବ ନେଇଥିଲେ ସୋଫିଆ କ୍ୟୁରେଶୀ । ୨୦୦୬ରେ ସେ ଜାତିସଂଘ ଶାନ୍ତି ମିଶନରେ ଭାରତ ପକ୍ଷରୁ ଯୋଗଦାନ କରି କଙ୍ଗୋରେ ମିଶନରେ ସାମିଲ ହୋଇଥିଲେ । ୨୦୧୦ରୁ ଶାନ୍ତି ମିଶନ୍ କାର୍ଯ୍ୟକ୍ରମରେ ସେ ନିୟମିତ ଭାବେ ଜଡ଼ିତ ଅଛନ୍ତି । ସୋଫିଆଙ୍କ ସ୍ବାମୀ ମଧ୍ୟ ଭାରତୀୟ ସେନାରେ ଜଣେ ବରିଷ୍ଠ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି ।
ତେବେ ଜମ୍ମୁ-କାଶ୍ମୀର ପହଲଗାମ ଆକ୍ରମଣରେ ୨୬ ଜଣ ନିରୀହ ଜନାସାଧାରଣ ପ୍ରାଣ ହରାଇଥିଲେ । ସେଥିପଧ୍ୟରେ ୨୫ ଜଣ ଥିଲେ ପର୍ଯ୍ୟଟକ । ଯେଉଁଥି ପାଇଁ ପାକିସ୍ତାନ ଉପରେ ଭାରତୀୟଙ୍କ ମନରେ ଜଳୁଥିଲା କ୍ରୋଧ, ଅସନ୍ତୋଷ ଓ ପ୍ରତିଶୋଧର ନିଆଁ । ସେଥିପାଇଁ ମେ ୬ ତାରିଖ ବିଳମ୍ବିତ ରାତିରେ ଭାରତୀୟ ସେନା ପିଓକେ ଏବଂ ପାକିସ୍ତାନରେ ଥିବା ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ପାକିସ୍ତାନର ୯ଟି ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରିଥିଲା ଭାରତ। କିନ୍ତୁ ଏଥିରେ କୌଣସି ସାଧାରଣ ନାଗରିକଙ୍କ ଜୀବନ ଯାଇନାହିଁ । ଯେଉଁ ଆକ୍ରମଣରେ ମଧ୍ୟ ଭାରତ ସଫଳ ହୋଇଛି । ଯାହାର ଅପଡେଟ୍ ଦେଇଛନ୍ତି ଭାରତୀୟ ସେନାର ଏହି ଦୁଇ ମହିଳା ଅଧିକାରୀ ।
ବୁଧବାର ଦିନ ‘ଅପରେସନ ସିନ୍ଦୂର’ ବିଷୟରେ ସୂଚନା ଦେବା ପାଇଁ ଭାରତୀୟ ସେନା ପକ୍ଷରୁ ପ୍ରେସମିଟ୍ ଡକାଯାଇଥିଲା। ଏହି ପ୍ରେସମିଟରେ ୩ ଜଣ ମୁଖ୍ୟ ଉପସ୍ଥିତ ରହି ଘଟଣାର ସମ୍ପୂର୍ଣ୍ଣ ସୂଚନା ଦେଇଥିଲେ। ଭାରତର ବିଦେଶ ସଚିବ ବିକ୍ରମ ମିସରୀଙ୍କ ସହିତ ଏହି ଦୁଇ ଜଣ ଭାରତୀୟ ମହିଳା ସେନା ଅଧିକାରୀ ସୋଫିଆ ଏବଂ ଭ୍ୟୋମିକା ମଧ୍ୟ ଉପସ୍ଥିତ ଥିଲେ । ଭାରତୀୟ ସେନାର ସାହସିକତାକୁ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଥିଲେ । ଭାରତୀୟ ମହିଳାଙ୍କ ସିନ୍ଦୂର ଉଜାଡ଼ି ଥିବା ଆତଙ୍କୀଙ୍କୁ ଦୃଢ଼ ଜବାବ ଦେଇଛନ୍ତି ଭାରତୀୟ ସେନା । ଆଉ ନିଜ ସ୍ବାମୀଙ୍କୁ ହରାଇଥିବା ପତ୍ନୀମାନଙ୍କୁ ସାହସ ଦେଇ ଏହି ଦୁଇ ମହିଳା ପାକିସ୍ତାନର ମୁଖା ଖୋଲିଛନ୍ତି ଏବଂ ଭାରତୀୟ ସେନା ସବୁବେଳେ ମହିଳାଙ୍କ ସମ୍ମାନ ପାଇଁ ଲଢ଼େଇ କରିବ ବୋଲି ସ୍ପଷ୍ଟ କରିଛନ୍ତି । ଆଉ ସେମାନେ ଭାରତୀୟ ମହିଳା ଶକ୍ତିର ପ୍ରତୀକ ବୋଲି ମଧ୍ୟ ଜଣାଇ ଦେଇଛନ୍ତି ।
ସେପଟେ ପହଲଗାମ୍ ଆକ୍ରମଣର ଠିକ୍ ୧୫ ଦିନ ପରେ ଭାରତ ପ୍ରତିଶୋଧ ନେଇଥିଲା । ମଙ୍ଗଳବାରରେ ଆତଙ୍କୀ ମାରିଥିଲେ ଆଉ ସେହି ମଙ୍ଗଳବାରରେ ପ୍ରତିଶୋଧ ନେଲା ଭାରତ । ପ୍ରତ୍ୟେକ କାମରେ ଏବେ ନାରୀମାନେ ସବୁଠୁ ଆଗରେ । ଯେବେ ଯେବେ ତା’ ସନ୍ତାନ ଉପରେ ବିପଦ ଆସେ ସେବେ ସେବେ ମା’ ଅସୁରକୁ ବଧ କରି ପାପୀଙ୍କ ଠାରୁ ତା ସନ୍ତାନକୁ ରକ୍ଷା କରିଥାଆନ୍ତି । ଏବେ ସୋଫିଆ ଓ ଭ୍ୟୋମିକା ଏଇ ବାର୍ତ୍ତା ଦେଇଛନ୍ତି ପାକିସ୍ତାନକୁ ।
Also read:ପହଲଗାମ ପ୍ରତିଶୋଧ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ବୟାନ, ‘ଯେମିତି ପ୍ଲାନିଂ ଥିଲା ସେନା ସେମିତି କରିଛି’