ପୋଲିସଙ୍କ ବର୍ଦ୍ଦି କେଉଁଠି ଖାକି ତ ଆଉ କେଉଁଠି ଧଳା, ଜାଣନ୍ତୁ ଭାରତରେ କେଉଁ ରାଜ୍ୟର ୟୁନିଫର୍ମ କେମିତି?

ଖାକି। ଏହି ରଙ୍ଗ କଥା ଆସିଲେ ଆଖି ସାମ୍ନାକୁ ଚାଲି ଆସେ ପୋଲିସ କର୍ମୀଙ୍କ ଚେହେରା। ପୋଲିସଙ୍କୁ ଚିହ୍ନିବା ପାଇଁ ଏହି ଖାକି ବର୍ଦ୍ଦି ହିଁ ଯଥେଷ୍ଟ। ମାଟିଆ ରଙ୍ଗର ପୋଷାକ, କାନ୍ଧରେ ଷ୍ଟାର ଆଉ ଅଣ୍ଟାରେ ବନ୍ଧୁକ ଖୋସା ହୋଇଥିଲେ, ଆମେ ପୋଲିସ ବୋଲି ଚିହ୍ନିଥାଉ। ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବା ଏମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ। ଏମିତିରେ ସାରା ଦେଶରେ ସବୁ ରାଜ୍ୟର ପୋଲିସ ଫୋର୍ସର ୟୁନିଫର୍ମ ଖାକି ରଙ୍ଗର ହୋଇଥାଏ। ଫରକ୍ କେବଳ ଏତିକି, କେଉଁଠି ରଙ୍ଗ ଟିକେ ହାଲକା ତ ଆଉ କେଉଁଠି ଗାଢ଼। ତେବେ ଆଜି ଆସନ୍ତୁ ଜାଣିବା ଏହି ଖାକି ବର୍ଦ୍ଦିର ଇତିହାସ। ସବୁ ରାଜ୍ୟର ପୋଲିସ ଖାକି ପୋଷାକ ପିନ୍ଧନ୍ତି ନା କିଛି ରାଜ୍ୟରେ ଅନ୍ୟ ୟୁନିଫର୍ମ ବି ପିନ୍ଧାଯାଏ ।…

ପୋଲିସ କର୍ମୀଙ୍କ ପାଇଁ ଖାକି ବର୍ଦ୍ଦି ପିନ୍ଧିବା ପରମ୍ପରା ଇଂରେଜ ଅମଳରୁ ହିଁ ଆରମ୍ଭ ହୋଇଛି। ବ୍ରିଟିଶ୍ ରାଜ୍ ବେଳେ ଯେତେବେଳେ ପୋଲିସ ଗଠନ ହେଲା, ସେହି ସମୟରେ ୟୁନିଫର୍ମର ରଙ୍ଗ ଧଳା ଥିଲା। କିନ୍ତୁ ଅଧିକାଂଶ ସମୟ ବାହାରେ କାମ କରୁଥିବା ପୋଲିସ କର୍ମୀଙ୍କୁ ଏହାକୁ ସଫା କରିବାରେ ସମସ୍ୟା ହେଲା। ମଇଳା ଲୁଚାଇବାକୁ ପୋଲିସମାନେ ଏହାକୁ ଅଲଗା ଅଲଗା ରଙ୍ଗରେ ରଙ୍ଗେଇବା ଆରମ୍ଭ କରି ଦେଲେ। ପୋଲିସ ଅଫିସରମାନେ ନିଜ ବର୍ଦ୍ଦି ପାଇଁ ଏକ ସ୍ୱତନ୍ତ୍ର ଖାକି ରଙ୍ଗର ଡାଇ ବ୍ୟବହାର କଲେ। ଅଫିସରଙ୍କୁ ଦେଖି ଅନ୍ୟ ପୋଲିସ କର୍ମୀମାନେ ବି ସେମିତି କଲେ। ଫଳରେ ଧୀରେ ଧୀରେ ଧଳା ରଙ୍ଗର ୟୁନିଫର୍ମ ମାଟିଆ ହୋଇଗଲା। ୧୮୪୭ ମସିହାରେ ସାର ହ୍ୟାରୀ ଲମ୍ସଡେନ୍ ସରକାରୀ ଭାବେ ଖାକି ରଙ୍ଗକୁ ପୋଲିସ ବର୍ଦ୍ଦି ଭାବେ ଘୋଷଣା କରିଥିଲେ। ସେବେ ଠାରୁ ଏହା ପୋଲିସର ପରିଚୟ ବନିଛି।

କିନ୍ତୁ ସାରା ଦେଶ ଠାରୁ ଭିନ୍ନ ହେଉଛି କୋଲକାତା ପୋଲିସ । ସେମାନେ ଏବେ ବି ଧଳା ରଙ୍ଗର ୟୁନିଫର୍ମ ପିନ୍ଧୁଛନ୍ତି। ୧୮୪୫ ମସିହାରେ ଇଂରେଜ ସରକାର କୋଲକାତା ପୋଲିସ ଗଠନ କରିଥିଲେ। ସେତେବେଳେ ପୂରା ଦେଶର ପୋଲିସଙ୍କ ୟୁନିଫର୍ମ ଧଳା ଥିଲା। ଦୁଇ ବର୍ଷ ପରେ ସାର ଲମ୍ସଡେନ୍ ଧଳା ରଙ୍ଗକୁ ବଦଳାଇ ମାଟିଆ କରିବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ କୋଲକାତା ପୋଲିସ ଏହାକୁ ଗ୍ରହଣ କରିନଥିଲା। ସେମାନେ ଯୁକ୍ତି ବାଢ଼ିଥିଲେ ଯେ କୋଲକାତା ଏକ ସମୁଦ୍ର କୂଳିଆ ଅଞ୍ଚଳ। ଏଣୁ ଏଠାରେ ଅଧିକ ହ୍ୟୁମିଡିଟି ବା ଗୁଳୁଗୁଳି ରହିଥାଏ। ଏଭଳି ସ୍ଥିତିରେ ମାଟିଆ ପୋଷାକ ପିନ୍ଧିଲେ ଅଧିକ ଗରମ ଲାଗିବ। ଏଣୁ ସେମାନଙ୍କ ପାଇଁ ଧଳା ୟୁନିଫର୍ମ ହିଁ ଠିକ୍। ସେବେଠୁ କୋଲକାତାର ପୋଲିସ ଧଳା ରଙ୍ଗର ୟୁନିଫର୍ମ ପିନ୍ଧୁଛନ୍ତି।
ତେବେ ପୂରା ପଶ୍ଚିମବଙ୍ଗର ପୋଲିସ ଧଳା ରଙ୍ଗର ବର୍ଦ୍ଦି ପିନ୍ଧନ୍ତି ନାହିଁ। କୋଲକାତାକୁ ଛାଡ଼ି ଦେଲେ ରାଜ୍ୟର ଅନ୍ୟ ସମସ୍ତ ପୋଲିସ ଖାକି ବର୍ଦ୍ଦି ହିଁ ପିନ୍ଧିଥାନ୍ତି।

ସବୁ ରାଜ୍ୟରେ ପୋଲିସ ମାଟିଆ ଟୋପି ପିନ୍ଧୁଥିବା ବେଳେ ପୁଡ଼ୁଚେରୀ ପୋଲିସ କିନ୍ତୁ ଟିକେ ଅଲଗା। ଦେଶ ସ୍ୱାଧୀନତା ଲାଭ କରିବା ପରେ ପୁଡ଼ୁଚେରୀ ଅନେକ ବର୍ଷ ଯାଏଁ ଫ୍ରାନ୍ସ ଅଧୀନରେ ଥିଲା। ୧୯୫୪ ମସିହାରେ ଫ୍ରାନ୍ସଠାରୁ ସ୍ୱାଧୀନ ହେବା ଯାଏଁ ସେଠାକାର ପୋଲିସ ଫ୍ରାନ୍ସର ନିୟମ ପାଳନ କରୁଥିଲା। ସେତେବେଳେ ସେଠାକାର ପୋଲିସଙ୍କୁ ଅନ୍ୟମାନଙ୍କ ଠାରୁ ଭିନ୍ନ ଦର୍ଶାଇବାକୁ ଫ୍ରାନ୍ସ ପୋଲିସ କର୍ମୀଙ୍କୁ ଲାଲ୍ ଟୋପି ପିନ୍ଧିବା ପାଇଁ ନିର୍ଦ୍ଦେଶ ଜାରି କରାଗଲା। ଫ୍ରାନ୍ସରେ ଏହାକୁ କ୍ୟାପି କୁହାଯାଏ ଓ ଏହା ସେନା ଏବଂ ପୋଲିସ ୟୁନିଫର୍ମର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି ଧରାଯାଏ।

ତେବେ ନିକଟରେ ୨୦୧୮ ମସିହାରେ ଉତ୍ତର ପ୍ରଦେଶ ପୋଲିସ ୟୁନିଫର୍ମରେ କିଛିଟା ପରିବର୍ତ୍ତନ କରିଛି। କିନ୍ତୁ ଏହାର ରଙ୍ଗ ଏବେ ବି ଖାକି ଅଛି। ବର୍ଦ୍ଦି ରଙ୍ଗରେ ହାଲ୍କା ପରିବର୍ତ୍ତନଠାରୁ ଆରମ୍ଭ କରି ପକେଟ୍, ବେଲ୍ଟର ଡିଜାଇନ୍‌ରେ ପରିବର୍ତ୍ତନ କରାଯାଇଛି। କିଛି ପୋଲିସ କର୍ମୀ ଖରାଦିନେ ଡ୍ରେସ୍‌କୁ କହୁଣୀ ଯାଏଁ ମୋଡ଼ି ପିନ୍ଧିଥାନ୍ତି। କିନ୍ତୁ ହାଫ୍‌ ସାର୍ଟରେ ଡ୍ରେସ୍‌କୁ ଆଉ ମୋଡ଼ିବାର ଆବଶ୍ୟକତା ନାହିଁ।

ତେବେ ଭାରତରେ ଏବେ ଅଧିକାଂଶ ରାଜ୍ୟରେ ଖାକିକୁ ଅଲ୍‌ବିଦା କହିବାକୁ ଯୋଜନା ଚାଲିଛି। ଅହମ୍ମଦାବାଦରେ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଡିଜାଇନ୍‌ ପକ୍ଷରୁ ୫ ବର୍ଷର ରିସର୍ଚ୍ଚ ପରେ ପୋଲିସଙ୍କ ପାଇଁ ଏକ ନୂଆ ୟୁନିଫର୍ମ ତିଆରି କରାଯାଇଛି। ଏହି ବର୍ଦ୍ଦି ସବୁ ପ୍ରକାରର ସ୍ଥିତିକୁ ନଜରରେ ରଖି ଆକର୍ଷଣୀୟ ଢଙ୍ଗରେ ତିଆରି କରାଯାଇଛି। ଏହା ଲାଗୁ ହେବା ପରେ ସାରା ଦେଶରେ ଏକା ଭଳି ବର୍ଦ୍ଦି ହୋଇଯିବ।

Also Read: ମଳାଶୟ ଓ ଓ୍ଵିଗ୍‌ରେ ଲୁଚାଇ ରଖିଥିଲେ ୩୦ ଲକ୍ଷର ସୁନା, ଏୟାରପୋର୍ଟରେ ଏମିତି ଧରାପଡ଼ିଲେ ଯୁବକ; ଦେଖନ୍ତୁ ଭିଡିଓ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.