ମହିଳାମାନେ କାହିଁକି ପିନ୍ଧନ୍ତି ପାଉଁଜି ? ଜାଣନ୍ତୁ ଏହା ସହ ଜଡ଼ିତ କାରଣ
ହିନ୍ଦୁ ଧର୍ମରେ ବିବାହିତ ମହିଳାମାନଙ୍କ ଶୃଙ୍ଗାରର ବିଶେଷ ମହତ୍ତ୍ୱ ରହିଛି । ଏଥିରେ ମହିଳାଙ୍କ ୧୬ ଟି ଶୃଙ୍ଗାର ବିଷୟ ବିଷୟରେ କୁହାଯାଇଛି, ଯାହା ବିବାହ ପରେ ମହିଳାମାନଙ୍କ ଦ୍ୱାରା ପାଳନ କରାଯାଇଥାଏ । ସିନ୍ଦୁର, ଟିକିଲି, ମଙ୍ଗଳସୂତ୍ର, ଚୁଡ଼ି, ପାଉଁଜି, ଗୋଡ଼ ମୁଦି ଭଳି ଶୃଙ୍ଗାରକୁ ବିବାହିତ ନାରୀଙ୍କ ଜୀବନରେ ବିଶେଷ ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଏ । ଏହି ଶୃଙ୍ଗାରଗୁଡ଼ିକ ମହିଳାମାନେ ବିବାହିତ ବୋଲି ପ୍ରମାଣିତ କରିଥାଏ ।
ବିଶ୍ୱାସ ରହିଛି ଯେ, ବିବାହିତ ମହିଳାମାନେ ଶୃଙ୍ଗାର କରିବା ଦ୍ୱାରା ସ୍ୱାମୀ ଦୀର୍ଘାୟୁ ହୋଇଥାଏ । ମହିଳାମାନଙ୍କର ଅନେକ ପ୍ରକାରର ଶୃଙ୍ଗାର ମଧ୍ୟରେ ଗୋଟିଏ ହେଉଛି ପାଉଁଜି, ଯାହାକୁ ପାଦରେ ପିନ୍ଧାଯାଏ । ପାଦରେ ପାଉଁଜି ପିନ୍ଧିବାର କେବଳ ଧାର୍ମିକ ନୁହେଁ ବରଂ ବୈଜ୍ଞାନିକ କାରଣ ମଧ୍ୟ ରହିଛି । ଆସନ୍ତୁ ଜାଣିବା ଏହାର ମାନ୍ୟତା, ମହତ୍ତ୍ୱ ଏବଂ ଲାଭ ବିଷୟରେ…
ପାଉଁଜିର ଇତିହାସ: କୁହାଯାଏ କି, ପ୍ରାଚୀନ କାଳରୁ ଭାରତରେ ପାଉଁଜିର ଉତ୍ପନ୍ନ ହୋଇଥିଲା । ପ୍ରାୟ ୮୦୦୦ ବର୍ଷ ପୂର୍ବେ ସିନ୍ଧୁ ସଭ୍ୟତା ସମୟରେ ଝିଅ ଓ ମହିଳାମାନେ ପାଉଁଜି ପିନ୍ଧୁଥିବା ଜଣାଯାଏ । ପ୍ରିଡାଇନାଷ୍ଟିକ ଯୁଗରେ ଇଜିପ୍ଟର ସବୁ ବର୍ଗର ମହିଳାମାନେ ପାଉଁଜି ପିନ୍ଧୁଥିବା ମଧ୍ୟ ଜଣାପଡ଼ିଛି । ଏହି ପାଉଁଜି ଅନେକ ନାମରେ ପରିଚିତ । ଯେପରି ପାୟଲ, ପଟ୍ଟିଲୁ, ଗୋଲୁସୁ, ନୁପୂର, ପାଜେବ ଏବଂ ପାଟିଲ । ପ୍ରାଚୀନ କାଳରେ ପାଦରେ ନାରୀମାନେ ପାଦରେ ଓଜନିଆ ରୁପା ପାଉଁଜି ପିନ୍ଧୁଥିଲେ, ଯାହା କଡ଼ି ପରି ଦେଖାଯାଉଥିଲା ।
ରୁପା ପାଉଁଜିର ଧାର୍ମିକ ମହତ୍ତ୍ୱ: ହିନ୍ଦୁ ଧର୍ମରେ ପାଉଁଜିକୁ ବହୁତ ଶୁଭ ବୋଲି ବିବେଚନା କରାଯାଏ। ସେହିପରି ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ରୁପା ଧାତୁରେ ନିର୍ମିତ ପାଉଁଜି ଚନ୍ଦ୍ର ସହିତ ଜଡ଼ିତ । ଅନ୍ୟପଟେ, ବାସ୍ତୁ ଶାସ୍ତ୍ରରେ ପାଉଁଜିକୁ ସକାରାତ୍ମକତା ସହିତ ମଧ୍ୟ ଜଡ଼ିତ କରାଯାଇଛି । ଏହା ଅନୁଯାୟୀ ପାଉଁଜିର ଘୁଙ୍ଗୁରରୁ ବାହାରୁଥିବା ନିଃସୃତ ଧ୍ୱନି ସକାରାତ୍ମକ ଉର୍ଜା ସଞ୍ଚାର କରିଥାଏ ବୋଲି ମଧ୍ୟ ବିଶ୍ୱାସ ରହିଛି ।
ପାଉଁଜି ପିନ୍ଧିବାର ବୈଜ୍ଞାନିକ ଲାଭ: ରୁପା ପାଉଁଜି ପିନ୍ଧିବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଭଲ ଭାବେ ହୋଇ ହୋଇଥାଏ । ଏହି ପରିସ୍ଥିତିରେ ପାଦର ଯନ୍ତ୍ରଣା କମିବା ସହ ହାଡ଼ ମଜଭୁତ ରହିଥାଏ । ଏହା ବ୍ୟତୀତ ରୁପା ପାଉଁଜି ପିନ୍ଧିବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଏହା ପଛରେ ରହିଥିବା ବୈଜ୍ଞାନିକ କାରଣ ହେଉଛି ଯେ, ପାଦ ଦେଇ ବାହାରୁଥିବା ଶରୀରର ବୈଦ୍ୟୁତିକ ଶକ୍ତିକୁ ପାଉଁଜି ବାହାରକୁ ବାହାରିବାକୁ ଦେଇ ନଥାଏ । ଫଳରେ ଶରୀର ସବୁବେଳେ ସକାରାତ୍ମକ ଶକ୍ତିରେ ଭରପୂର ହୋଇ ରହିଥାଏ । ଏହା ବ୍ୟତୀତ ରୁପା ପାଉଁଜି ପିନ୍ଧିବା ଦ୍ୱାରା ମହିଳାଙ୍କ ଶରୀରର ହରମୋନ୍ ନିୟନ୍ତ୍ରଣରେ ରହିଥାଏ। ଏଥିପାଇଁ ମହିଳାଙ୍କୁ ପାଦରେ ପାଉଁଜି ପିନ୍ଧିବାକୁ କୁହାଯାଇଛି ।