ମଣିଷକୁ କାହିଁକି ଶ୍ରେଷ୍ଠ ପ୍ରାଣୀ କରିଛନ୍ତି ଭଗବାନ, କଣ ଅନ୍ୟକୁ କଷ୍ଟ ଦେବା ପାଇଁ ?

ଓହଃ ପ୍ରଭୁ ଗୋଡ଼ କଣ ହୋଇଯାଉଛି, ଭାରି କଷ୍ଟ ଲାଗିଲାଣି, ଏତେ ସମୟ କେମିତି ଠିଆ ହୋଇ ରହିବି । ତଳେ ଆଉ ପାଦ ପକାଇ ହେଉନି l ସତରେ ଭାରି କଷ୍ଟ ହେଲାଣି । କିଏବା ଏମିତି ଘଣ୍ଟା ଘଣ୍ଟା ଧରି ଠିଆ ହୋଇ ରହି ପାରିବ ? ଏମିତି ଦୀର୍ଘ ସମୟ ଧରି ଠିଆ ହୋଇ ଅପେକ୍ଷା କରିବାକୁ ଭାରି ବାଧୁଛି l ଗୋଡ଼ ଯାହା ହେଉଛି ନା କାହାକୁ ବା କହିବି । ଆଉ ପାରୁନି ହେ ଭଗବାନ ।…କେତେ ସମୟ ଏମିତି କେମିତି ଠିଆ ହେବାକୁ ପଡିବ l ଏତେ ରାତି ହେଲାଣି କିଏ ଅପେକ୍ଷା କରିବ ଏମିତି l ଏକଥା ଆମେ ଯେହେତୁ ମଣିଷ ସେଥିପାଇଁ କହି ପାରୁଛୁ । କଷ୍ଟ ହେଲେ ମୁହଁ ଖୋଲି ଜଣାଇ ଦେଇ ପାରୁଛୁ । ଆମ ଯନ୍ତ୍ରଣାକୁ ସମସ୍ତଙ୍କ ଆଗରେ ପ୍ରକାଶ କରି ପାରୁଛୁ । ଆମକୁ ଯଦି କଷ୍ଟ ହୁଏ ମୁହଁ ଖୋଲି କହିଦେଲେ ଔଷଧ ଭଲ ମନ୍ଦ ସବୁ କିଛି ଯୋଗାଡ଼ ହୋଇ ଯାଉଛି । ଡାକ୍ତର ଆସି ଚିକିତ୍ସା କରୁଛନ୍ତି l ହେଲେ ଆମେ ଯାହା କଥା କହୁଛୁ ସିଏ ତ ପଶୁଟିଏ । ସେ କଣ କଥା କହିପାରୁଛି ନା ହୃଦୟର ଯନ୍ତ୍ରଣା କାହାକୁ କହି ପାରୁଛି ?
ଭଗବାନ ମଣିଷକୁ କଥା କହିବାର ଶକ୍ତି ଦେଲେ, ଗୋଡ଼ ହାତ ସବୁ ଦେଲେ । ତେଣୁ ସେ ସବୁ କରି ପାରୁଛି । ହେଲେ ପଶୁକୁ ଏସବୁ ଦେଲେ ନାହିଁ । ଯାହାଫଳରେ ନିଜ କଷ୍ଟ ଯନ୍ତ୍ରଣା ବୟାନ କରି ପାରୁନି କି ଔଷଧ କଣ ଖାଇବ ନିଜ ଯତ୍ନ ବି ନେଇ ପାରୁନି । ତେଣୁ ବୋଧହୁଏ ଭଗବାନ ମଣିଷକୁ ସବୁ କିଛି ଦେଇଛନ୍ତି ଯେମିତି ଦୁନିଆର ଅନ୍ୟ ପ୍ରାଣୀମାନଙ୍କ କଥା ବୁଝିବ । ସେମାନଙ୍କ ଯତ୍ନ ନେବ । ହେଲେ ସ୍ୱାର୍ଥପୁର ମଣିଷ କଣ ସେମିତି କରୁଛି ?… ଆମ ଆଗରେ ଇଏ ହେଉଛି ବଡ଼ ଉଦାହରଣ ।
ଆଜି ଏକଥା ଆମେ କାହିଁକି କହୁଛୁ ଆସନ୍ତୁ ଟିକେ ଜାଣିବା l ରାତି ପ୍ରାୟ ଆସି ଅନେକ ହେଲାଣି l ରାଜଧାନୀ ରାସ୍ତାର ରେଳବାଇ ଅଡିଟୋରିୟମ ଠାରୁ କିଛି ଦୂରରେ ଗୋଟିଏ ଘୋଡା ଗାଡି ଅତି ସୁନ୍ଦର ଭାବରେ ସଜେଇ ହୋଇ ରହିଥାଏ l କେହି ବିଶିଷ୍ଟ ଅତିଥି ଆସିବେ ଓ ତାଙ୍କୁ ସେହି ଘୋଡ଼ାଗାଡ଼ିରେ ପାଛୋଟି ନିଆଯିବାର ଇଏ ଥିଲା ବ୍ୟବସ୍ଥା । ଘୋଡା ଗାଡିଟି ଦେଖିବାକୁ ଗୋଟିଏ ରଥ ଆକୃତିର ହୋଇଥିଲା l ଆଗରେ ଦୁଇଟି ଘୋଡା ଯୋଚା ଯାଇଥାଏ l ଘୋଡା ଦୁଇଟି ମଧ୍ୟ ଅତି ସୁନ୍ଦର ଭାବରେ ସଜ୍ଜିତ କରା ଯାଇଥାଏ l ରଥକୁ ମାନିଲା ଭଳି ସୁନ୍ଦର ଧଳା ଘୋଡା ଦୁଇଟିର ଆଖି ଉପରେ ସୁନ୍ଦର ଭାବରେ ପଟିଦିଆ ଯାଇଥାଏ l ହେଲେ ସେଥିରେ କେବଳ ଘୋଡ଼ାମାନଙ୍କ ଆଖି ହିଁ ଦେଖଶ ଯାଉଥାଏ । କାନ୍ଧରେ ସୁନ୍ଦର ରଥଟିର ସମ୍ପୂର୍ଣ୍ଣ ଭାର l ରଥ ଭାର ସମ୍ଭାଳି ଚୁପଚାପ ନିଶ୍ଚଳ ଭାବରେ ଠିଆ ହୋଇଥାଆନ୍ତି l ଉଭୟ ଘୋଡା କେତେବେଳେ ପଛର ବାମ ଗୋଡ଼କୁ ଉଠାଇ ଦେଉଥାନ୍ତି ତ ଆଉ କେତେବେଳେ ଡାହଣ ଗୋଡ଼ l ଠିକ ଭାବରେ ଗୋଡ ପକାଇ ପାରୁନଥାନ୍ତି l ଘୋଡାକୁ ଛାଡି ବସିଥାନ୍ତି ଜଣେ ଲୋକ ଆଉ ଜଣେ ରଥ ନିକଟରେ ଏପାଖ ସେପାଖ ହେଉଥାନ୍ତି l ମଝିରେ ମଝିରେ କିଛି ଯୁବକ ଘୋଡା ଗାଡି ସହିତ ସେଲ୍ଫି ନେଉଥାନ୍ତି l
ଘୋଡା ଆଉ ଏଭଳି ଘୋଡା ଗାଡି ଭୁବନେଶ୍ୱର ସହରରେ କାଁଭାଁ ଦେଖା ଯାଏ l ତଳେ ବସିଥିବା ଲୋକଟି ବୋଧହୁଏ ଘୋଡା ଚାଳକ ଥିଲେ l ଏତେ କଥା ଭିତରେ ଆମେ ଆପଣମାନଙ୍କୁ ଗୋଟିଏ କଥା କହିବା ପାଇଁ ଏହି ଘୋଡା ଆଉ ଘୋଡା ଗାଡିକୁ ସାମ୍ନାକୁ ଆଣିଛୁ l ଆପଣମାନେ ସମସ୍ତେ ଜାଣିଥିବେ ଘୋଡା ଭଲ ଦୌଡିବା ପାଇଁ ତାର ଖୁରାରେ ଲୁହାର ନାଲ ଲଗା ଯାଇଥାଏ । ଏମାନଙ୍କୁ ରସ୍ତାରେ ଦୌଡିବା ପାଇଁ ସୁବିଧା ହୁଏ l କିନ୍ତୁ ନାଲ ଖସିଯିବାର ବହୁତ ସମ୍ଭାବନା ଥିବାରୁ ଘୋଡ଼ା ଚାଳକମାନେ ଘୋଡ଼ା ଗୋଡ଼ରେ ଲୁହା କଣ୍ଟା ବାରମ୍ବାର ବାଡେଇ ଥାନ୍ତି । ତେଣୁ ଘୋଡା ଖୁରା ବା ଟାପୁ ବିଭିନ୍ନ ସମୟରେ କ୍ଷତବିକ୍ଷତ ହୋଇଥାଏ । ଏଥିରେ ଭୀଷଣ କଷ୍ଟ ଅନୁଭବ କରେ ଘୋଡ଼ା । ଏହି ଯନ୍ତ୍ରଣା କଥାକୁ ଆମେ ଆପଣମାନଙ୍କ ସାମ୍ନାକୁ ଆଣିବା ଉଦ୍ଦେଶ୍ୟ ଥିଲା l ଘୋଡାମାନେ ରଥଟିକୁ ଖାଲି ବୋହି ନେଉ ନାହାନ୍ତି ତା ଉପରେ ମଣିଷ ମଧ୍ଯ ବସନ୍ତି ଆଉ ଏହି ଗୋଡ଼ି ଭରା ପିଚୁ ରାସ୍ତାରେ ସେମାନଙ୍କୁ ଦୌଡିବାକୁ ମଧ୍ୟ ପଡେ l
ମାଲିକ ଖାଲି ନାଲରେ କଣ୍ଟା ବାଡାଏନି ଏହି ଗୋଡ଼ି ଭରା ପିଚୁ ରାସ୍ତାରେ ସେମାନଙ୍କୁ ଦୌଡିବାକୁ ବାଧ୍ୟ କରେ l ତେବେ ଏମାନଙ୍କ ପାଇଁ କେହି ଜଣେ ହେଲେ ଚିନ୍ତା କରନ୍ତିନି l ମାଲିକ କୁହନ୍ତୁ କି ଚାଳକ କୁହନ୍ତୁ ସମସ୍ତେ ନେଇଛନ୍ତି ଟଙ୍କା ଘୋଡ଼ା କରୁଥିବା ରୋଜଗାରରୁ ହେଲେ ଘୋଡା ନେଉଛି କଷ୍ଟ ଆଉ ଯନ୍ତ୍ରଣା l ଅପେକ୍ଷା କରିଥିବା ସେହି ରାତି ର ସେହି ଦୁଇଟି ଘୋଡ଼ା କଥା ଚିନ୍ତା କଲେ l ଏମିତି ଅନେକ କଷ୍ଟ ସହି କେତେ କେତେ ରାତି ଅପେକ୍ଷା କରିଥିବେ l ଘୋଡ଼ା ଜନ୍ମ ନେଇଛନ୍ତି କେବଳ ଏଇଥିପାଇଁ l ହେଲେ ମଣିଷ କଣ ଏମାନଙ୍କୁ ନିଜ ସ୍ୱାର୍ଥ ପାଇଁ ଅତି ଛାର ଭାବିବ ? ଏହା କେତେଦୂର ଠିକ୍ ଓ ମାନବିକତା ଦୃଷ୍ଟିରୁ କେତେ ଭଲ ଚିନ୍ତାକଲେ ଦେଖି ? ନିଜ ଜୀବିକା ପାଇଁ ଆମେ ଏଭଳି ପଶୁମାନଙ୍କ ଉପରେ ନିର୍ଭର କରନ୍ତି ହେଲେ ମଣିଷର ଜୀବିକା ପାଇଁ ବଳି ପଡୁଛନ୍ତି ଏଇ ପଶୁମାନେ । ଟିକିଏ ତ ମଣିଷ ପଣିଆ ଦେଖାନ୍ତୁ ।