ଓଡ଼ିଆ ଝିଅ ଆଇପିଏସ୍ କାମ୍ୟା ମିଶ୍ର ବିହାରର ‘ଲେଡି ସିଂଘମ୍’ କାହିଁକି ଦେଲେ ଇସ୍ତଫା?

ପୋଲିସ୍ ଚାକିରି ଛାଡ଼ି ଦେଲେ ବିହାରର ‘ଲେଡି ସିଂଘମ୍’ । ଓଡ଼ିଆ ଆଇପିଏସ୍ ଅଫିସର କାମ୍ୟା ମିଶ୍ର । ୨୦୧୯ ବ୍ୟାଚ୍ ବିହାର କ୍ୟାଡରର ଆଇପିଏସ୍ କାମ୍ୟା । ବ୍ୟକ୍ତିଗତ କାରଣ ଦର୍ଶାଇ ପୋଲିସ୍ ଚାକିରି ଛାଡ଼ିଛନ୍ତି । ୨୦୧୯ରେ ନିଜର ପ୍ରଥମ ଉଦ୍ୟମରେ ସେ ୟୁପିଏସସି ସିଭିଲ ସର୍ଭିସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ଆଉ ଏଭଳି ଜଣେ ମେଧାବୀ ଓ ଦକ୍ଷ ପୋଲିସ୍ ଅଧିକାରୀ ମାତ୍ର ୫ ବର୍ଷ ଭିତରେ କାହିଁକି ପୋଲିସ୍ ଚାକିରିକୁ ବାଏ ବାଏ କହିଲେ ଏବେ ତାକୁ ନେଇ ସାରା ଦେଶରେ ଚର୍ଚ୍ଚା । କାରଣ ନିଜର କର୍ମଦକ୍ଷତା ଏବଂ ଅପରାଧୀ ବିରୋଧୀ କଠୋର ମନୋଭାବ ଓ କାର୍ଯ୍ୟ ଯୋଗୁଁ ତାଙ୍କୁ ବିହାରର ‘ଲେଡି ସିଂଘମ’ ଆଖ୍ୟା ଦିଆଯାଇଥିଲା । ଖୁବ୍ କମ୍ ଦିନ ଭିତରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ପୋଲିସ୍ ବିଭାଗରେ ଲୋକପ୍ରିୟତା ହାସଲ କରିଥିବା କାମ୍ୟା ମିଶ୍ର କାହିଁକି ଓହରି ଗଲେ ଏଇ ପ୍ରଶ୍ନର ଉତ୍ତର ଖୋଜୁଛନ୍ତି ସମସ୍ତେ । ଅବଶ୍ୟ କାମ୍ୟା ଏକଥା ସ୍ପଷ୍ଟ କରିଛନ୍ତି ଯେ ସେ ହେଉଛନ୍ତି ତାଙ୍କ ବାପା ମାଆଙ୍କର ଏକମାତ୍ର ସନ୍ତାନ । ତେଣୁ ବାପାଙ୍କ ବ୍ୟବସାୟ ସମ୍ଭାଳିବା ପାଇଁ ସେ ପୋଲିସ୍ ଚାକିରିରୁ ଓହରି ଯାଉଛନ୍ତି ।
କାମ୍ୟାଙ୍କୁ ପୂର୍ବତନ ମନ୍ତ୍ରୀ ତଥା ବିକାଶଶୀଳ ଇନସାନ ପାର୍ଟି/ଭିଆଇପିର ନେତା ମୁକେଶ ସାହାଣୀଙ୍କ ବାପା ଜିତନ ସାହାଣୀ ହତ୍ୟା ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଇଥିଲା । ଏହା ସହିତ ନିଜ କ୍ୟାରିୟରରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି । ମୁଖ୍ୟମନ୍ତ୍ରୀ ନିବାସ ଏବଂ ବିହାର ସଚିବାଳୟର ସୁରକ୍ଷା ଦାୟିତ୍ୱ ମଧ୍ୟ ତାଙ୍କ ଉପରେ ନ୍ୟସ୍ତ ଥିଲା ।

କାମ୍ୟା ମିଶ୍ରଙ୍କ ଘର ହେଉଛି ଓଡ଼ିଶାର ରାଇରଙ୍ଗପୁରରେ । ତାଙ୍କ ସ୍ୱାମୀ ଅବଧେଶ ସରୋଜ ମଧ୍ୟ ଜଣେ ଆଇପିଏସ୍ । ସେ ଏବେ ମୁଜାଫରପୁରରେ ପୋଷ୍ଟିଂ ଅଛନ୍ତି । ୧୯୯୬ ନଭେମ୍ବର ୧ ତାରିଖରେ ଓଡ଼ିଶାରେ ଜନ୍ମ କାମ୍ୟାଙ୍କର । ସେ ଦିଲ୍ଲୀ ଶ୍ରୀରାମ କଲେଜରେ ଶିକ୍ଷା ଲାଭ କରିବା ପରେ ୨୦୧୯ ୟୁପିଏସ୍ସି ପରୀକ୍ଷାରେ ୧୭୨ ର୍ୟାଙ୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲେ । ମାତ୍ର ୨୨ ବର୍ଷ ବୟସରେ ଏତେବଡ଼ ସଫଳତା ପାଇଥିଲେ । ସେହି ବର୍ଷ ଅଗଷ୍ଟ ୨୬ ତାରିଖରେ ସେ ଚାକିରିରେ ଯୋଗ ଦେଇଥିଲେ । ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ରୀ ହେଉଛନ୍ତି କାମ୍ୟା । ପ୍ରଥମେ ହିମାଚଳ କ୍ୟାଡରରେ ପୋଷ୍ଟିଂ ହୋଇଥିଲା କିନ୍ତୁ ପରେ ସେ ନିଜେ ବିହାର କ୍ୟାଡରକୁ ବଦଳାଇଥିଲେ । ଦରଭଙ୍ଗାରେ ଗ୍ରାମାଞ୍ଚଳ ଏସ୍ପି ଭାବରେ ଦାୟିତ୍ୱ ନେଇଥିଲେ ଚଳିତ ବର୍ଷ ମାର୍ଚ୍ଚ ୬ ତାରିଖରେ । ୨୦୫୬ ନଭେମ୍ବର ୩୦ ତାରିଖରେ ସେ ଚାକିରିରୁ ଅବସର ନେଇଥାନ୍ତେ । ଅର୍ଥାତ୍ ଆହୁରି ୩୨ ବର୍ଷ ଚାକିରି ବାକି ଥିଲା । ଖୁବ୍ ସୁନ୍ଦର ଚେହେରାର ଅଧିକାରୀ ହେଲେ ଅପରାଧୀଙ୍କୁ ସମାନା କରିବା ବେଳେ ଏବଂ ୟୁନିଫର୍ମରେ ଥିବା ବେଳେ ସେ ଖୁବ୍ କଠୋର ।
ତେବେ ତାଙ୍କ ପାଇଁ ପୋଲିସ୍ ଚାକିରିରୁ ଅବସର ନେବା ନିଷ୍ପତ୍ତି କିଛି କମ୍ କଷ୍ଟକର ନଥିଲା । ଅନେକ ଭାବିଚିନ୍ତି ଶେଷର ସେ ଅବସର ନେବାକୁ ସ୍ଥିର କରିଥିଲେ । ଅବସର ପରେ ସେ ନିଜ ବାପାଙ୍କ ବ୍ୟବସାୟ ସମ୍ଭାଳିବା ସହିତ ଓଡ଼ିଶାରେ ରହିବେ । ପିଲାବେଳୁ ଦେଖି ଆସୁଥିବା ସ୍ୱପ୍ନକୁ ପୂରଣ କରିବେ ବୋଲି ଆଶା ରଖିଛନ୍ତି । ଗରିବ ପିଲାଙ୍କୁ ପାଠ ପଢ଼ାଇବେ । ତେବେ କାମ୍ୟା ରାଜନୀତିରେ ପାଦ ଦେଇ ପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଅବଶ୍ୟ ସେ ନିଜେ ଏ ସମ୍ପର୍କରେ କିଛି କହି ନାହାନ୍ତି । ହେଲେ ସମାଜସେବା ତାଙ୍କର ଲକ୍ଷ୍ୟ ଓ ସ୍ୱପ୍ନ । ସେ ଶିକ୍ଷାରୁ ବଞ୍ଚିତ ପିଲାମାନଙ୍କ ପାଇଁ କାମ କରିବେ ବୋଲି ସୂଚନା ଦେଇଛନ୍ତି । ଆମେ ଏତିକି କହି ପାରିବା କି କାମ୍ୟ ନିଜ ସ୍ୱାର୍ଥ ଛାଡ଼ି ପର ସେବା ପାଇଁ ମନ ବଳାଇଛନ୍ତି । ଯାହା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ଓ ପ୍ରଶଂସନୀୟ ପଦକ୍ଷେପ ।