କାହିଁକି ପାଳନ କରାଯାଏ ଭାରତୀୟ ନୌସେନା ଦିବସ? ଜାଣନ୍ତୁ ଏହି ଦିନର ଇତିହାସ ଏବଂ ମହତ୍ତ୍ୱ

ଆଜି ଭାରତୀୟ ନୌସେନା ଦିବସ । ପ୍ରତିବର୍ଷ ୪ ଡିସେମ୍ବର ଦିନ ଭାରତୀୟ ନୌସେନା ଦିବସ ପାଳନ କରାଯାଏ । ଅଦମ୍ୟ ସାହସ, ନିଷ୍ଠା ଏବଂ ଆମର ସାମୁଦ୍ରିକ ସୀମାର ସୁରକ୍ଷା ପାଇଁ ବୀର ଯୋଦ୍ଧା ମାନେ ସଦା ପ୍ରସ୍ତୁତ । ସେମାନଙ୍କର ବଳିଦାନ ସମଗ୍ର ଦେଶକୁ ପ୍ରେରଣା ଦିଏ । ଆଜି ଓଡ଼ିଶାବାସୀ ଶ୍ରୀଜଗନ୍ନାଥଙ୍କ ମାଟିରେ ନୌସେନା ପରାକ୍ରମର ଝଲକ ମଧ୍ୟ ପାଇବେ । ସମଗ୍ର ଦେଶ ଭାରତୀୟ ନୌସେନାର ଏହି ବିଶେଷ ଉତ୍ସବକୁ ଅତି ଉତ୍ସାହର ସହିତ ପାଳନ କରିଥାଏ । ସାରାଦେଶ ଆଜି ସମୁଦ୍ରତଟରେ ରକ୍ଷା କରୁଥିବା ସମୟରେ ସର୍ବୋଚ୍ଚ ବଳିଦାନ ଦେଉଥିବା ନିଜର ବୀର ସୁପୁତ୍ର ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ।

୧୯୭୧ ମସିହା ଡିସେମ୍ବର ୩ ତାରିଖରେ ଭାରତ ଉପରେ ଆକ୍ରମଣ କରିଥିଲା ପାକିସ୍ତାନ । ଏହି ଆକ୍ରମଣ ପରେ ଆରମ୍ଭ ହୋଇଥିଲା ୧୯୭୧ ଯୁଦ୍ଧ । ପାକିସ୍ତାନକୁ ଜବାବ ଦେବା ପାଇଁ ଆରମ୍ଭ ହୋଇଥିଲା ଅପରେସନ୍‌ ଟ୍ରାଇଡେଣ୍ଟ । ପାକିସ୍ତାନର କରାଚିରେ ଥିବା ନୌସେନାର ମୁଖ୍ୟାଳୟକୁ ଟାର୍ଗେଟ୍‌ କରି ଆକ୍ରମଣ କରାଯାଇଥିଲା । ଏହି ଯୁଦ୍ଧରେ ପ୍ରଥମ ଥର ଜାହାଜରୁ ଆକ୍ରମଣ କରିପାରୁଥିବା ଆଣ୍ଟି ସିପ୍‌ ମିସାଇଲ୍‌ ବ୍ୟବହାର କରାଯାଇଥିଲା । ଡିସେମ୍ବର ୪ ତାରିଖରେ ଏହି ଅପରେସନ୍‌ ଟ୍ରାଇଡେଣ୍ଟ ଆରମ୍ଭ ହୋଇଥିଲା । ଆଉ ଏହି ଯୁଦ୍ଧରେ ବିଜୟୀ ହୋଇଥିଲା ଭାରତ ।

ଭାରତ ଏବଂ ପାକିସ୍ଥାନ ମଧ୍ୟରେ ହୋଇଥିବା ଏହି ଯୁଦ୍ଧରେ ଭାରତୀୟ ନୌସେନାର ଅବିସ୍ମରଣୀୟ ବିଜୟରକୁ ସ୍ମରଣ କରିବା ସହ ଉକ୍ତ ଯୁଦ୍ଧରେ ଶହୀଦ ହୋଇଥିବା ସମସ୍ତ ନୌସେନା ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏହି ନୌସେନା ଦିବସ ପାଳନ କରାଯାଏ । ଆଜିର ଦିନରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ନୌସେନା ପାକିସ୍ତାନର କରାଚୀ ବନ୍ଦରକୁ ଧ୍ୱଂସ କରିଦେଇଥିଲେ । ଯେଉଁଥିରେ ଲାଗିଥିବା ନିଆଁ ସାତ ଦିନ ପର୍ଯ୍ୟନ୍ତ ଜଳିଥିଲା । ଏହାର ସ୍ମୃତିରେ ଆଜିର ଦିନକୁ ବିଶ୍ଵ ନୌସେନା ଦିବସ ରୂପେ ପାଳନ କରାଯାଇଥାଏ ।

ଭାରତୀୟ ନୌସେନା ବାହିନୀକୁ ସମ୍ମାନ ଦେବା ଏବଂ ସେମାନଙ୍କର ଅବଦାନକୁ ପ୍ରଶଂସା କରିବାର ଆଜି ଏକ ବିଶେଷ ଦିନ । ୧୬୧୨ ମସିହାରେ ଇଷ୍ଟ ଇଣ୍ଡିଆ କମ୍ପାନୀଦ୍ୱାରା ଭାରତୀୟ ନୌସେନା ପ୍ରତିଷ୍ଠା କରାଯାଇଥିଲା । ଭାରତୀୟ ନୌସେନା ପୃଥିବୀର ସପ୍ତମ ବୃହତ ନୌସେନା । ବିଶ୍ୱ ରାଙ୍କିଙ୍ଗରେ ଭାରତୀୟ ନୌସେନାର ସ୍ଥାନ ୭ ନମ୍ୱର । ସମୁଦ୍ରପଥ ଦେଇ ଦେଶକୁ ଯେପରି କୈଣସି ଶତ୍ରୁ ନ ଆସିପାରନ୍ତି ତାହାର ଗୁରୁଦାୟିତ୍ୱ ନୌସେନା ହାତରେ ଥାଏ । ୧୯୭୧ ଯୁଦ୍ଧରେ ଭାରତୀୟ ନୌସେନାର ଭୂମିକା ଏବଂ ସେହି ଗୌରବର ମୂହୁର୍ତ୍ତ ଆମ ନୌସେନା ଇତିହାସରେ ସବୁଦିନ ପାଇଁ ଜୀବିତ ରହିବ ।