ଫୁଟବଲର ରଙ୍ଗ କଳା ଧଳା କାହିଁକି? ଜାଣନ୍ତୁ ଏହା ପଛର କାରଣ

ଫୁଟବଲ୍‌ ହେଉଛି ଏକ ବିଶ୍ୱ ପ୍ରସିଦ୍ଧ ଖେଳ । ସାରା ପୃଥିବୀରେ ଫୁଟବଲ୍‌ ଖେଳ ଓ ଏହାର ଖେଳାଳୀଙ୍କର ଅନେକ ଫ୍ୟାନ୍ସ ରହିଛନ୍ତି । ଏହି ଖେଳ କଥା କହିଲେ ପ୍ରଥମେ ଆଖି ଆଗରେ ନାଚି ଉଠେ କଳା ଧଳା ରଙ୍ଗର ଏକ ବଲ୍‌ । ଯାହାକୁ ନେଇ ଦୁଇ ଟିମ୍‌ ମଧ୍ୟରେ ଖେଳ ହୋଇଥାଏ । ଆପଣ କେବେ ଭାବିଛନ୍ତି କି, ଯେ ଫୁଟ୍‌ ବଲ ଅନ୍ୟ କେଉଁ ରଙ୍ଗର ନ ହୋଇ କେବଳ କଳା ଓ ଧଳା ରଙ୍ଗର କାହିଁକି ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହି ବିଷୟରେ…

ବର୍ତ୍ତମାନ ସମୟରେ ଅନେକ ପ୍ରକାର ରଙ୍ଗରେ ବଲ୍‌ ଆସିଲାଣି । ହେଲେ ଫୁଟବଲ୍‌ କହିଲେ ସମସ୍ତଙ୍କ ମନରେ କଳା ଧଳା ରଙ୍ଗର ଏକ ବଲ୍‌ ଆସିଥାଏ । ଏହି ରଙ୍ଗର ବଲ୍‌ ଦୀର୍ଘ ବର୍ଷ ହେବ ଖେଳରେ ବ୍ୟବହୃତ ହେଉଛି। ତେବେ ପ୍ରାରମ୍ଭିକ ସମୟରେ ଫୁଟବଲ୍‌ ବାଦାମୀ ରଙ୍ଗର ଚମଡ଼ାରେ ତିଆରି ହେଉଥିଲା । ତେଣୁ ତା’ର ରଙ୍ଗ ବାଦାମୀ ହିଁ ଥିଲା । ୧୯୬୬ ବିଶ୍ୱକପ୍‌ ପର୍ଯ୍ୟନ୍ତ ଫୁଟବଲର ରଙ୍ଗ ବାଦାମୀ ରହିଥିଲା । କିନ୍ତୁ ଏହା ପରେ ଧୀରେ ଧୀରେ ଫୁଟବଲ୍‌ ମ୍ୟାଚକୁ ଟିଭିରେ ପ୍ରସାରିତ କରାଗଲା । ଅଧିକରୁ ଅଧିକ ମ୍ୟାଚ୍‌ ଟେଲିକାଷ୍ଟ ହେବା ଦ୍ୱାରା ଦର୍ଶକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଲା । ତେବେ, ସେହି ସମୟରେ କଳା, ଧଳା ଟିଭି ଥିବା ଯୋଗୁ ସେହି ଟିଭି ପରଦାରେ ବାଦାମୀ ରଙ୍ଗର ବଲ୍‌ ସ୍ପଷ୍ଟ ଦେଖାଯାଉ ନଥିଲା। ଏହା ସହିତ ବଲ୍‌ର ଗତି ମଧ୍ୟ ସଠିକ୍‌ ଭାବେ ଜଣା ପଡୁନଥିଲା । ଫଳରେ ବଲର ରଙ୍ଗ ବଦଳାଇବାକୁ ଚିନ୍ତା କରାଯାଇଥିଲା । ୧୯୭୦ ମସିହାରେ ଆଡିଡାସ କମ୍ପାନୀ ଏହି ସମସ୍ୟାର ସମାଧାନ କରିବାକୁ ଯାଇ ‘ଟେଲଷ୍ଟାର’ କିମ୍ବା ‘ଟେଲିଭିଜନ ଷ୍ଟାର’ ନାମକ ଏକ ବଲ୍‌ ତିଆରି କରିଥିଲା, ଯାହାର ରଙ୍ଗ କଳା ଧଳା ଥିଲା । ଏହି ବଲକୁ ସର୍ବପ୍ରଥମେ ମେକ୍ସିକୋରେ ହୋଇଥିବା ୧୯୭୦ ଫିଫା ବିଶ୍ୱକପରେ ବ୍ୟବହାର କରାଯାଇଥିଲା । ଧଳା ବ୍ୟାକଗ୍ରାଉଣ୍ଡରେ କଳା ରଙ୍ଗ ଥିବାରୁ ଟିଭି ପରଦାରେ ଏହା ସ୍ପଷ୍ଟ ଦେଖାଗଲା । ବଲର ଡିଜାଇନ୍‌ ମଧ୍ୟ ବହୁତ ଖାସ୍‌ ଥିଲା । ଧଳାରଙ୍ଗର ହେକ୍ସାଗନ ଉପରେ କଳାରଙ୍ଗର ପେଣ୍ଟାଗନ୍‌ କରାଯାଇଥିଲା । ଦୀର୍ଘବର୍ଷ ଧରି ଏହି ବଲ୍‌ ବ୍ୟବହାର କରାଗଲା । ବର୍ତ୍ତମାନ ଏହାର ଡିଜାଇନରେ କିଛିଟା ପରିବର୍ତ୍ତନ କରାଯାଇଥିବା ସତ୍ତ୍ୱେ ଫୁଟବଲ୍‌ କହିଲେ ପ୍ରଥମେ ମନକୁ କଳା ଧଲା ରଙ୍ଗର ଏକ ବଲ୍‌ ଆସିଥାଏ।