ଦୁର୍ଜନ ସଂଗେ କଲେ ବାସ….ସମ୍ପର୍କ ପଡ଼ିଲା ଭାରୀ, ପ୍ରଦୀପ ବିଜେଡିରୁ ଗଲେ ବାହାରି

ଆମ ପୁରାଣରେ ଦସ୍ୟୁ ରତ୍ନାକର ବାଲ୍ମିକୀରେ ପରିଣତ ହେବାର ଯେଉଁ କାହାଣୀ ରହିଛି, ସେଥିରେ ପାପ ସମ୍ପର୍କରେ ଗୋଟିଏ ପ୍ରସଙ୍ଗ ରହିଛି । ରତ୍ନାକର ଯେତେବେଳେ ଲୋକଙ୍କୁ ଲୁଟି ଘରକୁ ଅର୍ଥ ବୋହି ଆଣୁଥିଲା ସେଥିରେ ସାରା ପରିବାର ଚଳୁଥିଲା । ଆଉ ନାରାଦଙ୍କ ସହ ଭେଟ ହେବା ପରେ ତାଙ୍କ ସେ ପଚାରିଥିଲେ ତୁମେ ଏସବୁ ପାପ ଯାହା କରୁଛ ସେଥିରେ କଣ ତୁମ ପରିବାର ଲୋକ ଭାଗୀ ହେବେ ? ରତ୍ନାକର କହିଥିଲା ହଁ । ତେଣୁ ନାରଦ ମୁନୀ କହିଲେ ଟିକେ ଘରେ ସମସ୍ତଙ୍କୁ ପଚାରି କରି ଆସିଲ, କିଏ କଣ ଉତ୍ତର ଦେଉଛନ୍ତି ଜାଣିବା । ଆଉ ରତ୍ନାକର ଯେତେବେଳେ ଘରକୁ ଯାଇ ବାପା ମା ସମସ୍ତଙ୍‌କୁ ପାପରେ ଭାଗୀ ହେବା କଥା ପଚାରିଲେ ସମସ୍ତଙ୍କର ସେଇ ଗୋଟିଏ ଉତ୍ତର ଥିଲା ନା । ଏକଥା ଜାଣିବା ପରେ ରତ୍ନାକର ନାରଦଙ୍କ ପାଖକୁ ଫେରି ଆସି ମନ ଦୁଃଖରେ କହିଲେ ଯେ ମୋ ପାପ ମୋର । ଏହାପରେ ହିଁ ସେ ବାଲ୍ମିକୀରେ ପରିଣତ ହେଲେ ।

PRADIP-1IFS

ତେବେ ଏହି କାହାଣୀଟି ଆମେ ଏଠି କହିବାର ତାତ୍ପର୍ଯ୍ୟ ହେଉଛି ଆଇଏଫ୍‌ଏସ୍‌ ଅଭୟ ପାଠକଙ୍କ ପରିବାର ସହ ସମ୍ପର୍କ ଏବେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କୁ ବହୁତ ବଡ଼ ଝଟ୍‌କା ଦେଇଛି । ତାଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି । କୋଟି କୋଟି ଟଙ୍କାର ଦୁର୍ନୀତି କରିଥିବା ସଞ୍ଜୟ ପାଠକଙ୍କ ପୁଅ ଆକାଶ ପାଠକଙ୍କ ସହିତ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅର ବାହାଘର ହୋଇଥାନ୍ତା । ଅନେକ ଦିନର ସମ୍ପର୍କ ସେମାନଙ୍କର । ଯାହା ଚର୍ଚ୍ଚା ହେଉଛି କ୍ଷୀରରେ ଖାଇ ଘିଅରେ ହାତ ଧୋଉଥିଲେ ପାଠକ ପରିବାର । ସେମାନଙ୍କ ଅମାପ ସମ୍ପତ୍ତିର ଯେଉଁ ଚିଠା ତିଆରି ହେଉଛି ସେଥିରେ ଆୟ ବହିର୍ଭୂତ ମାଲ୍‌ ସବୁଠାରୁ ଅଧିକ । ତା ସହିତ ଜାଲ୍‌ କାରବାରରେ ମଧ୍ୟ ଉଭୟ ବାପ ପୁଅ ସମ୍ପୃକ୍ତ ଥିବାର ବଡ଼ ପ୍ରମାଣ ମିଳିଛି । ତେଣୁ ଏଭଳି ଏକ ପରିବାର ସହ ନିବିଡ଼ ସମ୍ପର୍କ ରଖିଥିବାରୁ ସେମାନଙ୍କ ପାପର ଛିଟା ପଡ଼ିଛି ପ୍ରଦୀପଙ୍କ ଉପରେ ।

କୁହାଯାଉଛି କି ପ୍ରଥମଥର ଦଳ ବିରୋଧୀ ନୁହେଁ, ଜନ ବିରୋଧୀ କାର୍ଯ୍ୟକଳାପ ପାଇଁ ବିଜୁ ଜନତା ଦଳରୁ କେହି ବିଦା ହେଲେ । ଲୋକଙ୍କ ଟଙ୍କାରେ ଅୟସ କରିଥିବା ପାଠକ ପରିବାର ବିଷୟରେ ପ୍ରଦୀପ କଣ ଏତେ ଅଜ୍ଞ ଥିଲେ ? ଜଣେ ରାଜନେତା, ଜନପ୍ରତିନିଧି ହୋଇ କଣ ଜାଣି ନଥିଲେ ପାଠକଙ୍କ କଳା ସାମ୍ରାଜ୍ୟ ବିଷୟରେ ? ତେଣୁ ତାଙ୍କୁ ଏବେ ଏକ ବଡ଼ ପରିଣାମ ଭୋଗିବାକୁ ପଡ଼ିଛି । ନବୀନ ପଟ୍ଟନାୟକ ସରକାରରେ ଏବଂ ବିଜେଡି ଦଳରେ ଆଗରୁ ମଧ୍ୟ ନେତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବାର ନଜୀର ରହିଛି । ଏବେ ସେଭଳି ଶାସ୍ତି ପାଇଛନ୍ତି ପ୍ରଦୀପ । କାରଣ ପାଠକ ଘଟଣା ପଦାକୁ ଆସିବା ପରେ ସମସ୍ତେ ପ୍ରଦୀପଙ୍କ ସହିତ ତାଙ୍କର ସମ୍ପର୍କ ନେଇ ଅବଗତ ଥିଲେ । ତେଣୁ ନଜର ରହିଥିଲା ଦଳର ସୁପ୍ରିମୋ କି କାର୍ଯ୍ୟାନୁଷ୍ଠାନ ନେବେ ।

୨୦୦୯ରୁ ଏଯାଏଁ ଲଗାତର ତିନିଥର ଗଞ୍ଜାମ ଜିଲ୍ଲା ଗୋପାଳପୁରରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ପ୍ରଦୀପ ପାଣିଗ୍ରାହୀ । ନିଜ ଅଞ୍ଚଳର ଜଣେ ଲୋକପ୍ରିୟ ନେତା ଏବଂ ଜଣେ ଭଦ୍ର ବ୍ୟକ୍ତି ଭାବେ ତାଙ୍କର ପରିଚୟ ରହିଛି । ତେବେ ବର୍ତ୍ତମାନ ସାରା ରାଜ୍ୟକୁ ଦୋହଲାଇ ଦେଇଥିବା ପାଠକ ପରିବାରର ଘୋଟାଲା ଭୂକମ୍ପରୁ ସେ କେମିତି ବର୍ତ୍ତି ପାରିଥାନ୍ତେ । ଆକାଶ ପାଠକ ସହ ତାଙ୍କ ଝିଅର ବାହାଘଣ ଆସନ୍ତା ଡିସେମ୍ବର ୧୧ ତାରିଖରେ ହୋଇଥାନ୍ତା । କାର୍ଡ଼ ଛପା ସରି ବଣ୍ଟା ବି ହୋଇଥିଲା । ବିବାହ ଉତ୍ସବ ପାଇଁ ରାଜସ୍ଥାନ ଉଦୟପୁରରେ ଏକ ଭବ୍ୟ ପ୍ୟାଲେସ୍‌ ବୁକ୍‌ କରାଯାଇଥିଲା । ଚର୍ଚ୍ଚା ହେଉଛି ଯେ ବାହାଘର ପାଇଁ କୁଆଡ଼େ ୩୨ କୋଟି ଟଙ୍କାର ବଜେଟ୍‌ ରହିଥିଲା । ପୂର୍ବରୁ ଆଉ ସବୁ ଯାହା ଆୟ ସମ୍ପତ୍ତିର ଆକଳନ କରାଯାଇଛି ସେଥିରେ ସମସ୍ତଙ୍କ ଆଖି ଖୋସି ହୋଇଯାଉଛି । ସରକାରୀ ଚାକିରି କରି କଣ କେହି ଏତେ ଦୁର୍ନୀତି କରି ପାରେ ? ଏଭଳି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ।

କଥାରେ ଅଛି ‘ଅଧର୍ମ ବିତ୍ତ ବଢ଼େ ବହୁତ, ଗଲା ବେଳେ ଯାଏ ମୂଳ ସହିତ’ । ପାଠକଙ୍କ ଅବସ୍ଥା ଏବେ ସେହିଭଳି । ଆଉ ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ଏତିକି କୁହାଯାଇ ପାରିବ ‘ଦୁର୍ଜନ ସଂଗେ କଲେ ବାସ ନିଶ୍ଚେ ଘଟିବ ସର୍ବନାଶ’ । ତେଣୁ ଏ ବାର୍ତ୍ତା ସମସ୍ତଙ୍କ ପାଇଁ ଲାଗୁ । ଅନ୍ୟମାନେ ବେଳହୁଁ ସାବଧାନ ହୋଇ ଯାଆନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.