ଜାଣନ୍ତି କି, ସବୁ ଝିଅଙ୍କ ପାଇଁ ଭଗବାନ୍ ଶିବ କାହିଁକି ଜଣେ ଆଦର୍ଶ ସ୍ବାମୀ ?

ଭାରତୀୟ ପୌରଣିକ କଥାରେ ଦେବତାଙ୍କ ଅନେକ ରୂପ ଦେଖିବାକୁ ମିଳେ । ଗୋଟିଏ ପଟେ ରାସଲୀଳା କରୁଥିବା ଭଗବାନ୍ ଶ୍ରୀ କୃଷ୍ଣ , ଆଉ ଅନ୍ୟପଟେ ମର୍ଯ୍ୟାଦାପୁରୁଷ ରାମ । ଅନେକ ମହିଳା ମଧ୍ୟରେ ବାଂଟି ହୋଇଥିଲା କୃଷ୍ଣଙ୍କ ଆକର୍ଷଣ, ସଂସ୍କାରୀ ରାମ ନିଜ ପତ୍ନୀ, ପିଲା ଏବଂ କର୍ତ୍ତବ୍ୟକୁ ଦେଉଥିଲେ ପ୍ରାଥମିକତା । କିନ୍ତୁ ଭଗବାନ୍ ଶିବଙ୍କର ଗୃହସ୍ଥିରେ କୌଣସି ରୁଚି ନଥିଲା । କିନ୍ତୁ ସେଥିରେ ବି ସତୀଙ୍କଠୁ ବିଚ୍ଛେଦ ହେବା ଯୋଗୁଁ ତାଣ୍ଡବ କରିଦେଇଥିଲେ । ଭଗବାନ ଶିବଙ୍କ ସମ୍ପୂର୍ଣ୍ଣ ପ୍ରେମ କେବଳ ଆଉ କେବଳ ମାତା ପାର୍ବତୀଙ୍କ ପାଇଁ । ଅନ୍ୟ କାହା ଆଡକୁ ତାଙ୍କ ଦୃଷ୍ଟି ଯାଏ ନାହିଁ ।
ଚିତାର ଛାଲ, ଜଙ୍ଗଲ ଫୁଲର ସେଜ, ଧ୍ୟାନରେ ମଗ୍ନ, ଭାଙ୍ଗ ଭୋଳ ଏବଂ ବୀଣାବାଦନ କରୁଥିବା ଶିବଙ୍କ ଭଳି ପତିଙ୍କ କାମନା ଆଜି ବି ଯୁବତୀମାନେ କରିଥାନ୍ତି । ସତୀଙ୍କୁ ହରାଇବା ସମୟରେ ପୁରା ସୃଷ୍ଟିକୁ ବିନାଶ କରିବା ପାଇଁ ବାହାରି ପଡିଥିଲେ ଭଗବାନ ଭୋଳାନାଥ । ମାତା ପାର୍ବତୀଙ୍କ ପ୍ରତି ଭଗବାନ ଭୋଳାନାଥଙ୍କ ପ୍ରେମ ଅଦଭୂତ । ମାତା ପାର୍ବତୀଙ୍କୁ ନିଜ ଚରଣରେ ନୁହେଁ ପାଖରେ ବସାଇଥାନ୍ତି ଭଗବାନ ଶିବ ।
ଯଦି ପାରମ୍ପରିକ ପୌରାଣିକ କଥାକୁ ନଜର ପକାଇବା ତେବେ ଭଗବାନ୍ ଶିବ ନିଜ ପତ୍ନୀଙ୍କ ସହ ପ୍ରେମ ଏବଂ ସମ୍ମାନର ସହ ବ୍ୟବହାର କରିଥାନ୍ତି । ସତୀଙ୍କ ମୃତ୍ୟୁ ପରେ ଅସୀମ ଦୁଃଖରେ ଥିବା ଶିବଙ୍କ କାହାଣୀ ସମସ୍ତେ ଜାଣନ୍ତି । ଖୁବ୍ କମ୍ ସ୍ବାମୀ ନିଜ ସ୍ତ୍ରୀକୁ ହରାଇ ଏଭଳି ଦୁଃଖ କରିଥାନ୍ତି । ତେଣୁ ଅଧିକାଂଶ ଯୁବତୀ ଭଗବାନ ଶିବଙ୍କ ପରି ସ୍ବାମୀ ପାଇବାକୁ ବ୍ରତ ରଖିଥାନ୍ତି । ହର – ପାର୍ବତୀଙ୍କ ସମ୍ପର୍କ ବହୁତ ଗଭୀର, ପ୍ରେମପୂର୍ଣ୍ଣ ଏବଂ ଗରିମାମୟ ଥିଲା । ଶିବ-ପାର୍ବତୀଙ୍କ ସମ୍ପର୍କରୁ ଆଧୂନିକ ପତି – ପତ୍ନୀ ବହୁତ କିଛି ଶିଖିବାର ଅଛି ।
ଭଗବାନ୍ ଶିବ ଏମିତି ଜଣେ ଦେବତା ଯିଏ ବିରୋଧାଭାସୀ ଗୁଣରେ ଭରପୁର । କେବେ ସେ ଜଗତର ସୁରକ୍ଷା ପାଇଁ ହଲାହଲ୍ ବିଷ ପିଇ ଯାଆନ୍ତି ତ ଆଉ କେବେ ସୃଷ୍ଟିର ବିନାଶ କରିଥାନ୍ତି । ଖୁବ୍ ସହଜରେ ପ୍ରସନ୍ନ ହୋଇଯାଆନ୍ତି ଭୋଳାନାଥ । କିନ୍ତୁ ତାଙ୍କ କ୍ରୋଧରେ ପୁରା ଦୁନିଆଁ ଥରିଯାଏ । ସେ ଜଗଦିଶ୍ବର ବି ଆଉ ଯୋଗୀଶ୍ବର ବି ।
କୌଣସି ରାଜାଙ୍କ ପରି ରୁହନ୍ତି ନାହିଁ ଭଗବାନ୍ ଶିବ । ତାଙ୍କ ଶରୀରରେ ନା ସୁନା ଅଛି, ନା ଚାନ୍ଦି ଅଛି । ସେ ତ କେବଳ ବାଘ ଛାଲ, ରୁଦ୍ରାକ୍ଷ, ସାପ ଏବଂ ଭସ୍ମ ଧାରଣ କରିଥାନ୍ତି । ଖୁବ୍ ଭୋଳା ଭଗବାନ୍ ଭୋଳାନାଥ । ସେଥିପାଇଁ ତ ତାଙ୍କୁ ସହଜରେ ପ୍ରସନ୍ନ କରାଯାଇପାରେ ।
ମାତା ପାର୍ବତୀଙ୍କର ସମସ୍ତ ରୂପର ପ୍ରଶଂସା କରନ୍ତି । ତେଣିକି ସେ ମହାକାଳୀ ହୁଅନ୍ତୁ ବା ମା’ ଅନ୍ନପୂର୍ଣ୍ଣା । ମା’ କାଳୀଙ୍କ ପାଦ ତଳେ ରହି ବି ହସୁଥାନ୍ତି ଭଗବାନ୍ ଭୋଳାନାଥ । କ୍ରୋଧ ଏବଂ ଉଗ୍ରତାର ପ୍ରତୀକ ଭଗବାନ୍ ଶିବ ମା’ କାଳୀଙ୍କ ପାଦ ତଳେ ସବୁଠାରୁ ଉଦାର ରୂପରେ ନଜର ଆସନ୍ତି ।
ମାତା ପାର୍ବତୀଙ୍କ କେବଳ ସ୍ବାମୀ ନୁହଁନ୍ତି ଭଗବାନ୍ ଶିବ, ବରଂ ତାଙ୍କ ବନ୍ଧୁ ଏବଂ ଗୁରୁଙ୍କ ଭୂମିକା ମଧ୍ୟ କରିଥାନ୍ତି । ସଫଳତାର ଅନେକ ରହସ୍ୟ ମାତା ପାର୍ବତୀଙ୍କୁ ଜଣାଇଛନ୍ତି ଭଗବାନ୍ ଶିବ ।
ଯଦି ବାହାର ରୂପ ରଙ୍ଗ ଦେଖିବା ତେବେ କୌଣସି ବି ବାପା ନିଜ ଝିଅର ବିବାହ ଭୋଳାନାଥଙ୍କ ସହ କରିବାକୁ ପସନ୍ଦ କରିବନି । କିନ୍ତୁ ଭଗବାନ ଶିବ ଯାହା ବାହାରୁ ଦେଖାଯାଆନ୍ତି ଭିତରୁ ଠିକ୍ ଓଲଟା । ସେ ସବୁଠାରୁ ବୁଦ୍ଧିମାନ, ନିଶ୍ଚଳ ଏବଂ ଶାନ୍ତ ।