ବିସ୍ଥାପନ ଡର ନା ପ୍ରଶାସନର ଦୁର୍ବଳତା, କାହିଁକି ହୋଇ ପାରୁନି ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ?

ନୟାଗଡ଼ : ୧୯୭୫/୭୬ ମସିହାରେ ସାରା ଦେଶରେ ଖାଦ୍ୟର ଅଭାବ ଦେଖା ଦେଇଥିଲା। ସେହି ସମୟରେ ଧାନ ଓ ଚାଉଳର ଆହେତୁକ ଦର ବୃଦ୍ଧି ଘଟିଥିଲା। ହଠାତ୍‌ ଚାଉଳ ଦର ୭୦ ପଇସାରୁ ୧ ଟଙ୍କା ୭୦ ପଇସାକୁ ବୃଦ୍ଧି ପାଇଲା। ତେଣୁ ସସସ୍ତଙ୍କ ଭିତରେ ଚେତା ପଶିଲା କିଭଳି ଭାବରେ ଧାନର ଅଧିକ ଉତ୍ପାଦନ ହୋଇପାରିବ। ତେଣୁ ଭରତ ବର୍ଷର ବିଭିନ୍ନ ନଦୀ ଗୁଡିକରେ ବନ୍ଧ ବନ୍ଧାଯାଇ ଚାଷ ଜମିକୁ ଜଳ ଯୋଗାଇବା ଯୋଜନା ଆରମ୍ଭ ହେଲା । ଏଥିରେ ସ୍ଥାନ ପାଇଲା ନୟାଗଡ଼ ଜିଲ୍ଲାର ଦଶପଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମଞ୍ଜାରି ଗାଁ ନିକଟ ବୃତ୍ତଙ୍ଗ ନଦୀ । ଏହା ଉପରେ ଏକ ବୃହତ ନଦୀ ବନ୍ଧ ଯୋଜନାର ଶିଳାନ୍ୟାସ କରାଯାଇଥିଲ। ସେତେବେଳେ ଦଶପଲା ବିଧାୟକ ହରିହର କରଣ ଏହାର ଶୁଭ ଦେଇଥିଲେ। ବୃତ୍ତଙ୍ଗ ନଦୀ ବନ୍ଧ ଯୋଜନା ପଛରେ ମୂଳ ଉଦେଶ୍ଯ ଥିଲା ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲା ଚାଷ ଜମିକୁ ଜଳ ଯୋଗାଣ । ଯେମିତି ଅଧିକ ଧାନ ଚାଷ କରାଯାଇ ପାରିବ।

 

ଅବଶ୍ୟ ପରବର୍ତ୍ତୀ ସମୟରେ ଆଉ ଏକ ନଦୀ ବନ୍ଧ ଦଶପଲା କୁଆଁରୀଆ ଠାରେ ବନ୍ଧାଯାଇ ଦଶପଲା ଓ ଖଣ୍ଡପଡା ବ୍ଲକର କିଛି ଅଞ୍ଚଳକୁ ପାଣି ମଡାଯାଇଥିଲା। ଏହି କୁଆଁରିଆ ବନ୍ଧ ନିର୍ମାଣ କାର୍ଯ୍ଯ ୧୯୭୫ ମସିହାରେ ଆରମ୍ଭ କରାଯାଇ ୧୯୮୪ରେ ସରିଥିଲା। ଦଶପଲା ବ୍ଲକ ସରିଗଣ୍ଡା ପଞ୍ଚାୟତର ପାଖାପାଖି ୪/୫ ଖଣ୍ଡ ଗାଁ ଓ କେତେକ ପଡା ଅଞ୍ଚଳର ୬୦୦ରୁ ଅଧିକ ପରିବାର ବିସ୍ଥାପିତ ହୋଇଥିଲେ। ବିସ୍ଥାପିତ ଲୋକମାନଙ୍କୁ ସରକାର ବିଭିନ୍ନ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ଆଜି ପର୍ଯ୍ଯନ୍ତ ପୂରଣ ହୋଇପାରି ନାହିଁ। ଯାହାର ପ୍ରଭାବ ପଡିଛି ବୃତ୍ତଙ୍ଗ ନଦୀ ବନ୍ଧ ବିସ୍ଥାପିତଙ୍କ ଉପରେ । ୪ଟି ପଞ୍ଚାୟତର ୨୨ ଖଣ୍ଡ ଗାଁ ଓ କେତେକ ପଡା ଅଞ୍ଚଳର ଲୋକ ପ୍ରଭାବିତ ହୋଇଛନ୍ତି । ବୃତ୍ତଙ୍ଗ ନଦୀବନ୍ଧ ନିର୍ମାଣ ହେଲେ, ଟାକରା, କୁଲୁରୁକୁମ୍ପା, ଦୁଡା ଓ ବାଣିଗୋଛା ପଞ୍ଚାୟତର ୨୨ ଖଣ୍ଡ ଗାଁ ସହ ଅନେକ ଛୋଟ ଛୋଟ ପଦର ଲୋକ ବିସ୍ଥାପିତ ହେବେ। ତେବେ ଏହି ନଦୀବନ୍ଧ ହେଲେ ପାଖାପାଖି ୩୫୫୨ ହେକ୍ଟର ଅଞ୍ଚଳ ସମ୍ପୂର୍ଣ ଜଳ ମଗ୍ନ ହୋଇଯିବ।

ଏହି ଅଞ୍ଚଳ ପରିସୀମା ଭିତରେ ଆସୁଥିବା ୪ଟି ପଞ୍ଚାୟତର ଚାଷ ଜମି ସହ ଘର, ରାସ୍ତା ସମ୍ପୂର୍ଣ ବୁଡ଼ିଯିବ । ହଜାର ହାଜର ପରିବାର ବିସ୍ଥାପିତ ହେବେ। ତେଣୁ ବିସ୍ଥାପିତ ହେବାକୁ ଥିବା ଗ୍ରାମବାସୀ ବୃତ୍ତଙ୍ଗ ନଦୀବନ୍ଧ ଯୋଜନାକୁ ବିରୋଧ କରି ଆସୁଛନ୍ତି। ସାତ ପୁରୁଷର ଭିଟାମାଟିକୁ ଛାଡି ଅନ୍ଯ ଅଞ୍ଚଳରେ ଯାଇ ଘରଦ୍ୱାର କରି ରହିବାକୁ ରାଜି ନୁହନ୍ତି ଲୋକେ। ତେଣୁ ସେମାନେ ବିଭିନ୍ନ ସମୟରେ ଆନ୍ଦୋଳନ କରିବା ସହ ମହାମେଳି ମଧ୍ୟ କରି ଆସୁଛନ୍ତି। କାରଣ ଆଖି ସାମ୍ନାରେ କୁଆଁରିଆ ନଦୀବନ୍ଧ ବିସ୍ଥାପିତ ଲୋକଙ୍କ ଦୁର୍ଦ୍ଦଶା ସେମାନଙ୍କ ପାଇଁ ଏକ ନକାରାତ୍ମକ ଉଦାହରଣ ପାଲଟିଛି । ଅନ୍ଯପଟେ ଏହି ପ୍ରକଳ୍ପ କାର୍ଯ୍ଯକାରୀ ହେଲେ ନୟାଗଡ ଜିଲ୍ଲାର ଖଣ୍ଡପଡ଼ା, ଭାପୁର, ଦଶପଲା, ନୂଆଗାଁ, ନୟାଗଡ଼ ଓ ରଣପୁର, ଗଣିଆ ଅଞ୍ଚଳର ପାଖାପାଖି ୨୩ ହଜାର ହେକ୍ଟର ଚାଷ ଜମିକୁ ବର୍ଷ ସାରା ଜଳ ଯୋଗାଣ ହୋଇ ପାରିବ । ଏଥି ସହ ବୃତ୍ତଙ୍ଗ ଓ କୁଆଁରିଆ ନଦୀକୁ ମଧ୍ୟ ଜଳ ସଂଯୋଗ କରିହେବ ।

BRUTANGA-2

୨୦୦୬ ମସିହାରୁ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ପରିବେଶ ମଞ୍ଜୁରୀ ମିଳି ସାରିଛି। ଦ୍ୱିତୀୟ ପର୍ଯ୍ୟାୟ ପରିବେଶ ମଞ୍ଜୁରୀ ନିମନ୍ତେ କେନ୍ଦ୍ର ସରକାରଙ୍କ ତରଫରୁ ୩୪ଟି ସର୍ତ୍ତାବଳିକୁ ପୂରଣ କରି ଆବେଦନ କରିବାକୁ ୫ ବର୍ଷ ସମୟ ଦିଆଯାଇଥିଲା । ମାତ୍ର ଏଥିରେ ଆହେତୁକ ବିଳମ୍ବ ହୋଇଛି । ଜଳ ସମ୍ପଦ ବିଭାଗ ଏ ନେଇ କୌଣସି ଆନ୍ତରିକତା ଦେଖାଉ ନଥିବା ଅଭିଯୋଗ ହୋଇଛି ।

ସେହିଭଳି ଏହି ପ୍ରକଳ୍ପ ୨୦୦୦ ମସିହାରୁ କେନ୍ଦ୍ର ସରକାରଙ୍କ ଟିଏସସିରେ ମଧ୍ୟ ଅନୁମୋଦିତ ହୋଇ ସରିଛି। ତଥାପି କାହିଁକି କେଜାଣି ଉଭୟ ରାଜ୍ଯ ଓ କେନ୍ଦ୍ର ସରକାର ଏହି ନଦୀବନ୍ଧ ଯୋଜନା ପ୍ରତି ଆଗ୍ରହ ପ୍ରକାଶ କରୁ ନାହାନ୍ତି । ଅନ୍ଯପଟେ, କୁଆଁରିଆ ବନ୍ଧ ନିର୍ମାଣ ହେବା ପରେ ବିସ୍ଥାପିତ ହୋଇଥିବା ଲୋକମାନଙ୍କୁ କାହିଁକି ଆଜି ଯାଏ ସରକାରୀ ସହାୟତା ମିଳିପାରି ନାହିଁ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଆଦିବାସୀ ସଂପ୍ରଦାୟର ଲୋକେ।

କଥାରେ ଅଛି ଯାହା ପୁଅକୁ ସାପ କାମୁଡ଼େ ତା ମା ପାଳ ଦୁଉଡ଼ି ଦେଖିଲେ ଡରେ । ତେଣୁ ପୂର୍ବ ବିସ୍ଥାପିତଙ୍କ ଅବସ୍ଥା ଦେଖି ବୃତ୍ତଙ୍ଗକୁ ବିରୋଧ କରାଯାଉଛି । ଆଉ ଯଦି ଏଥିରେ କିଛି ରାଜନୀତି ରହୁଛି ତେବେ ତ ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ ।

ଉତ୍ପଳ କୁମାର ସାହୁ, ନୟାଗଡ଼, କେନ୍ୟୁଜ୍‌ ଓଡ଼ିଶା

 

Leave A Reply

Your email address will not be published.