ବେଦମନ୍ତ୍ର ଉଚ୍ଚାରଣରେ ଉଡ଼ିଲା ଧର୍ମଧ୍ବଜା । ଜୟ ଶ୍ରୀରାମ ଧ୍ବନିରେ କମ୍ପିଲା ଅଯୋଧ୍ୟା । ଅଯୋଧ୍ୟାର ଶ୍ରୀ ରାମ ଜନ୍ମଭୂମି ମନ୍ଦିର ଚୂଡ଼ାରେ ସ୍ଥାପନ ହୋଇଯାଇଛି ଧର୍ମଧ୍ୱଜା । ଏହା ସହିତ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ରାମଲାଲାଙ୍କ ଗର୍ଭଗୃହରେ ପ୍ରଧାନମନ୍ତ୍ରୀଙ୍କ ପୂଜାର୍ଚ୍ଚନା ପରେ ଶିଖରରେ ଉଡ଼ିଛି ଧର୍ମଧ୍ୱଜା । ଭଗବାନ ରାମଙ୍କ ଭକ୍ତିରେ ବୁଡ଼ିଲା ସମଗ୍ର ଭାରତ । ୧୬୧ ଫୁଟ ଉଚ୍ଚ ଶ୍ରୀରାମଙ୍କ ମନ୍ଦିର ଚୂଡ଼ାରେ ଉଡୁଛି ଗେରୁଆ ରଙ୍ଗର ପତାକା । ଯାହାର ଅର୍ଥ ମନ୍ଦିର ନିର୍ମାଣ ସଂପୂର୍ଣ୍ଣ ହୋଇଛି । ମାର୍ଗଶିର ମାସ ଶୁକ୍ଳପକ୍ଷ ପଞ୍ଚମୀରେ ହୋଇଛି ଧ୍ବଜାରୋହଣ । ରାମସୀତାଙ୍କ ବିବାହ ପଞ୍ଚମୀରେ ଧର୍ମଧ୍ବଜା ସ୍ଥାପନା କରାଯାଇଛି । ଧର୍ମଧ୍ବଜାର ଉଚ୍ଚତା ୧୦ ଫୁଟ୍ ଓ ଲମ୍ବ ୨୦ ଫୁଟ୍ ଥିବାବେଳେ ଦକ୍ଷିଣ କୋଣ ତ୍ରିକୋଣୀୟରେ ସ୍ୱତନ୍ତ୍ର ପତାକା ତିଆରି କରାଯାଇଛି । ପତାକାରେ ରହିଛି ଉଜ୍ଜ୍ୱଳ ସୂର୍ଯ୍ୟ ଓ ଲେଖାଯାଇଛି ‘ଓମ୍’ । ଧର୍ମଧ୍ବଜାରେ ରହିଛି କାଞ୍ଚନ ଗଛର ପ୍ରତିଛବି ।
ଅଯୋଧ୍ୟାର ସନ୍ଥମାନଙ୍କ କହିବା ଅନୁସାରେ, ତ୍ରେତୟା ଯୁଗରେ ପ୍ରଭୁ ରାମ ଏବଂ ଜାନକୀ ମାତାଙ୍କ ବିବାହ ମାର୍ଗଶୀର ମାସର ଶୁକ୍ଳ ପକ୍ଷର ପଞ୍ଚମ ଦିନରେ ହୋଇଥିଲା । ଆଜି ହେଉଛି ସେହି ଦିନ, ତେଣୁ ଆଜି ଭଳି ପବିତ୍ର ଦିନରେ ଧର୍ମଧ୍ୱଜା ସ୍ଥାପନ ହୋଇଛି । ତେବେ ଏହି ଧର୍ମ ଧ୍ୱଜା କାହିଁକି ସ୍ୱତନ୍ତ୍ର ଆସନ୍ତୁ ଜାଣିବା । ରାମ ମନ୍ଦିର ଚୂଡ଼ାରେ ଉଡ଼ୁଥିବା ଏହି ଧ୍ବଜାର ରଙ୍ଗ ଗେରୁଆ ରହିଛି । ୨୦ ଫୁଟ ଲମ୍ବା ଏବଂ ୧୦ ଫୁଟ ଚଉଡ଼ା ହେବ ଏହି ଧ୍ବଜା । ଧ୍ବଜାଟି ୪୨ ଫୁଟ ଉଚ୍ଚ ହେବ । ଏହି ଧ୍ବଜା ସୂର୍ଯ୍ୟ ଦେବତାଙ୍କ ପ୍ରତୀକ ବୋଲି କୁହାଯାଉଛି ।
ସନାତନ ପରମ୍ପରାରେ ଗେରୁଆ ରଙ୍ଗକୁ ତ୍ୟାଗ, ବୀରତା ଏବଂ ଭକ୍ତିର ପ୍ରତୀକ ଭାବରେ ବିଶ୍ବାସ କରାଯାଏ । ରଘୁବଂଶ ରାଜବଂଶର ରାଜତ୍ୱ ସମୟରେ ମଧ୍ୟ ଏହି ରଙ୍ଗ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲା । ଗେରୁଆ ହେଉଛି ଜ୍ଞାନ, ବୀରତ୍ୱ, ସମର୍ପଣ ଏବଂ ସତ୍ୟର ବିଜୟକୁ ପ୍ରତିନିଧିତ୍ୱ କରୁଥିବା ରଙ୍ଗ।
ଧ୍ବଜାରେ ଖୋଦିତ ପବିତ୍ର ପ୍ରତୀକ ବିଷୟରେ ଜାଣି ରଖନ୍ତୁ । ଧ୍ବଜାରେ କାଞ୍ଚନ ଗଛ ଏବଂ ‘ଓମ୍’ର ପ୍ରତିଛବି ଅଛି । କାଞ୍ଚନ ଗଛ ବିଷୟରେ ଅନେକ ପ୍ରାଚୀନ ଗ୍ରନ୍ଥରେ ଉଲ୍ଲେଖ କରାଯାଇଛି ଏବଂ ଏହାକୁ ପାରିଜାତ ଏବଂ ମନ୍ଦାରର ଦିବ୍ୟ ମିଳନ ଦ୍ୱାରା ସୃଷ୍ଟି ହୋଇଥିବା ଏକ ବୃକ୍ଷ ବୋଲି ବିଶ୍ୱାସ କରାଯାଏ । କାଞ୍ଚନ ଗଛର ଔଷଧୀୟ ଗୁଣ ଅଛି ଏବଂ ଏହାକୁ ଖାଦ୍ୟ ଭାବରେ ମଧ୍ୟ ବ୍ୟବହାର କରାଯାଏ । ରଘୁବଂଶ ପରମ୍ପରାରେ କାଞ୍ଚନ ଗଛକୁ ଅତ୍ୟନ୍ତ ଖାସ୍ ବୋଲି ମାନୁଥିଲେ, ତେଣୁ ଧ୍ବଜାରେ ଏହି ଗଛକୁ ସ୍ଥାନ ଦିଆଯାଇଛି ।
ଶତାବ୍ଦୀ ଧରି ସୂର୍ଯ୍ୟବଂଶ ରାଜାମାନଙ୍କ ଧ୍ବଜାରେ ଏହି ଗଛର ପ୍ରତୀକ ଚିତ୍ରିତ ହୋଇଆସୁଛି । ବାଲ୍ମୀକି ରାମାୟଣରେ ମଧ୍ୟ ଭରତଙ୍କ ଧ୍ବଜାରେ କାଞ୍ଚନ ଗଛକୁ ଚିତ୍ରିତ କରାଯାଇଥିବା କଥା ଉଲ୍ଲେଖ ରହିଛି । ସେହିପରି ସମସ୍ତ ମନ୍ତ୍ରର ଆତ୍ମା ‘ଓମ୍’ ପ୍ରତୀକ ଧ୍ବଜାରେ ଲେଖାଯାଇଛି । ଏହା ସହିତ ଧ୍ବଜାରେ ସୂର୍ଯ୍ୟ ଦେବତାଙ୍କୁ ମଧ୍ୟ ଚିତ୍ରିତ କରାଯାଇଛି, ଯାହାକୁ ବିଜୟର ପ୍ରତୀକ ଭାବରେ ବିବେଚନା କରାଯାଏ ।
ମନ୍ଦିରରେ ଧ୍ବଜା ସ୍ଥାପନ କରିବାର ପରମ୍ପରା ହିନ୍ଦୁ ଧର୍ମରେ ବହୁତ ପ୍ରାଚୀନ ଏବଂ ଗୁରୁତ୍ୱପୂର୍ଣ୍ଣ । ଗରୁଡ଼ ପୁରାଣ ଅନୁସାରେ ମନ୍ଦିରରେ ଲଗାଯାଇଥିବା ଧ୍ବଜା ଦେବତାଙ୍କ ଉପସ୍ଥିତିକୁ ଦର୍ଶାଏ । ଧ୍ବଜା ଉଡ଼ିବା କ୍ଷଣି ମନ୍ଦିର ପରିସର ପବିତ୍ରତାରେ ଭରିଯାଏ । ଯେପରି ସମସ୍ତ ଦେବାଦେବୀଙ୍କର ନିଜସ୍ୱ ବାହନ ଏବଂ ଅସ୍ତ୍ରଶସ୍ତ୍ର ଥାଏ, ସେହିପରି ସେମାନଙ୍କର ଧ୍ବଜା ମଧ୍ୟ ଭିନ୍ନ ଥାଏ । ଦୂରରୁ ଆପଣ ଏହି ଧ୍ବଜାକୁ ଦେଖିଲେ ପବିତ୍ର ଧାମ ବିଷୟରେ ସ୍ବତଃ ଜାଣିପାରିବେ । ମନ୍ଦିର ଉପରେ ଲାଗିଥିବା ଧ୍ବଜା ଦିବ୍ୟ ଶକ୍ତିର ପ୍ରତୀକ । ହିନ୍ଦୁ ବିଶ୍ୱାସ ଅନୁସାରେ, ଯଦି କୌଣସି କାରଣରୁ ଆପଣ ମନ୍ଦିରକୁ ଯାଇ ସ୍ଥାପିତ ଦେବତାଙ୍କୁ ଦର୍ଶନ କରିପାରୁ ନାହାନ୍ତି, ତେବେ ଆପଣ ଏହାର ଧ୍ବଜାକୁ ଦର୍ଶନ କରି ପୂଣ୍ୟ ଲାଭ କରିପାରିବେ ।
Also Read: ଶ୍ରୀରାମ ମନ୍ଦିର ଶିଖରରେ ଉଡ଼ିଲା ଧର୍ମଧ୍ୱଜା, ସ୍ଥାପନ କଲେ ପ୍ରଧାନମନ୍ତ୍ରୀ