ଋଷ ଝିଅ ଓ ଚୀନ ପୁଅର ଅଧୁରା ପ୍ରେମ କାହାଣୀ, ୩ ବର୍ଷ ପରେ ଦେଖା ହେଲା କିନ୍ତୁ ହୃଦ୍ଘାତରେ ଚାଲିଗଲା ପତ୍ନୀର ଜୀବନ

କେନ୍ୟୁଜ୍ ବ୍ୟୁରୋ: ପ୍ରେମ ଏମିତି ଏକ ଶବ୍ଦ ଯାହାର ସଂଜ୍ଞା ନିରୂପଣ କରିବା ପାଇଁ ଅନେକ କବି ଏବଂ ଲେଖକ ହାରମାନିଛନ୍ତି। ଆମ ପାଖରେ ଅନେକ କିମ୍ବଦନ୍ତୀ କାହାଣୀ ଅଛି ଯାହା ଆମକୁ ପ୍ରେମର ତ୍ୟାଗ ବିଷୟରେ କହେ । ଆମେ ଆଜି ଆପଣଙ୍କୁ ସେମିତି ଏକ ସତ୍ୟ ଘଟଣା ବିଷୟରେ କହିବାକୁ ଯାଉଛୁ, ଯେଉଁ କାହାଣୀ ଶୁଣିଲେ ଲୈଲା-ମଜ୍ନୁ, ରୋମିଓ-ଜୁଲିଏଟ୍ ଏବଂ କେଦାର-ଗୌରୀର ପ୍ରେମ କାହାଣୀକୁ ଭୁଲି ଯିବେ। ସମସ୍ତେ କହନ୍ତି ଲଭ୍ ଷ୍ଟୋରୀରେ ଯଦି ସୁଖଦ ସମାପ୍ତି ନଥାଏ ତେବେ କାହାଣୀଟି ସମସ୍ତେ ମନେ ରଖନ୍ତି । କେହି କେହି ଏହାକୁ ଅଧୁରା କାହାଣୀ ମଧ୍ୟ କହିଥାଆନ୍ତି ।
ଆଜି ଆମେ ସେହିପରି ଏକ ଅଧୁରା ପ୍ରେମ କାହାଣୀ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣଙ୍କ ଆଖିରୁ ଲୁହ ଝରି ପଡ଼ିବ । କାହାଣୀ ହେଉଛି ପଡ଼ୋଶୀ ଦେଶ ଋଷିଆ ଏବଂ ଚୀନର ୨ ଜଣ ପୁଅ-ଝିଅଙ୍କର । ଦୁଇ ଜଣ ପରସ୍ପରକୁ ଭଲ ପାଇ ବସିଲେ ଏବଂ ବାହା ହୋଇଗଲେ । ବାହାଘର ପରେ ଲକ୍ଡାଉନ ଯୋଗୁ ଦୁଇ ଜଣ ନିଜ ନିଜ ଦେଶରେ ଫସିଗଲେ ଏବଂ ୩ବର୍ଷ ପରେ ଦୁଇ ଜଣଙ୍କର ଦେଖା ହେଲା । ସେମାନେ ବହୁତ ଖୁସି ହେଲେ କିନ୍ତୁ ସେହି ଦିନ ପତ୍ନୀ ପତିଙ୍କୁ ଛାଡ଼ି ଚାଲିଗଲେ ସବୁଦିନ ପାଇଁ ।
ହଁ ଆଜ୍ଞା, ସେମାନେ ହେଉଛନ୍ତି ଋଷିଆର ୩୦ ବର୍ଷର ଝିଅ ନିକ୍ ଏବଂ ଚୀନର ୩୮ ବର୍ଷର ପୁଅ ଓୟାଙ୍ଗ । ଏହି ଦୁଇ ଜଣଙ୍କର ଚୀନରେ ୨୦୧୮ରେ ଦେଖା ହୋଇଥିଲା, ଦୁଇ ଜଣ ମ୍ୟୁଜିକ ଇଣ୍ଡଷ୍ଟ୍ରିରେ କାମ କରୁଥିଲେ । ଦେଖା ହେବା ପରେ ଦୁଇ ଜଣଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଲା, ତା ପରେ ଦୁହେଁ ୨୦୧୯ରେ ବିବାହ କରିଥିଲେ । କିଛି ଦିନ ପରେ ଦୁହେଁ ନିକ୍ର ମାଙ୍କୁ ଦେଖିବା ପାଇଁ ଋଷ ଯାଇଥିଲେ । ସେଠାରୁ କିଛି ଦିନ ପରେ ଓୟାଙ୍ଗ ନିଜ ଦେଶ ଚୀନକୁ ଆସି ଯାଇଥିଲେ,ହେଲେ ନିକ୍ ୩ ମାସ ପରେ ଆସିବେ ବୋଲି କହିଥିଲେ । କିନ୍ତୁ ନିକ୍ କୋଭିଡ୍ ପାଇଁ ଆସି ପାରି ନ ଥିଲେ । ସେ ଲକ୍ଡାଉନରେ ଫସି ଯାଇଥିଲେ । ଏମିତି ଏମିତିରେ ଦୀର୍ଘ ୩ ବର୍ଷ ବିତି ଯାଇଥିଲା, ଦୁହେଁ ଦୁହିଁଙ୍କୁ ଦେଖା କରିପାରିଲେ ନାହିଁ । ୩ ବର୍ଷ ପରେ ଗତ ଅକ୍ଟୋବରରେ ନିକ୍ ଚୀନକୁ ଆସିଲେ ଏବଂ ଓୟାଙ୍ଗ ସହିତ ଦେଖା ହେଲା । ୩ ବର୍ଷର ବିରହ ଯନ୍ତ୍ରଣା ପରେ ଦୁହେଁ ବହୁତ ଖୁସି ହୋଇଯାଇଥିଲେ । ଓୟାଙ୍ଗ କହିଥିଲେ, ଯେତେବେଳେ ଆମେ ଦୁହେଁ ଦେଖା ହେଲୁ ଦୁହେଁ ଦୁହିଁଙ୍କୁ ଜାବୁଡ଼ି ଧରି ୫ ମିନିଟ୍ ପର୍ଯ୍ୟନ୍ତ କାନ୍ଦିଥିଲୁ,ଖୁସିର ଲୁହ ଧାରା ଶ୍ରାବଣ ପରି ବହି ଚାଲିଥିଲା ।
କିନ୍ତୁ ଏହି ଖୁସି ଅଧିକ ଦିନ ରହି ନଥିଲା। ସେହି ଦିନ ଘରକୁ ଫେରିବା ରାସ୍ତାରେ ନିକ୍ ହୃଦ୍ଘାତରେ ଶିକାର ହେଲେ । ଓୟାଙ୍ଗ ତୁରନ୍ତ ନିକ୍ଙ୍କୁ ହସ୍ପିଟାଲ ନେଇଯାଇଥିଲେ । କିନ୍ତୁ ଡାକ୍ତର ସଫା ସଫା କହିଥିଲେ ସେ ଆଉ ବଞ୍ଚିବେ ନାହିଁ। ହେଲେ ଓୟାଙ୍ଗ ନିଜର ଧର୍ଯ୍ୟ ହରାଇ ନ ଥିଲେ । ସେ ନିକ୍ଙ୍କୁ ୧୫୦ କି.ମି. ଦୂର ଅନ୍ୟ ଏକ ହସ୍ପିଟାଲକୁ ନେଇଯାଇଥିଲେ । କିନ୍ତୁ କିଛି ଲାଭ ହୋଇ ନଥିଲା, ସେତେ ବେଳକୁ ନିକ୍ କୋମାକୁ ଚାଲି ଯାଇଥିଲେ । ଓୟାଙ୍ଗ କହିଥିଲେ ପିଲାବେଳୁ ତାଙ୍କ ପତ୍ନୀଙ୍କର ସ୍ୱାସ୍ଥ୍ୟ ସମନ୍ଧୀୟ ସମସ୍ୟା ଥିଲା । ସେ ଚୀନ ଆସିବା ଫ୍ଲାଇଟ୍ରେ ମଧ୍ୟ ଅସୁସ୍ଥତା ଅନୁଭବ କରିଥିଲେ । ଓୟାଙ୍ଗ କହିଛନ୍ତି ମୃତ୍ୟୁ ପୂର୍ବରୁ ସେ ଦୁଇ ଜଣ ଅଙ୍ଗ ଦାନ କରିବେ ବୋଲି ନିଷ୍ପତି ନେଇଥିଲେ । ତା ପରେ ନିକ୍ଙ୍କର ମୃତ୍ୟୁ ପରେ ତାଙ୍କର ଶରୀରର ଅଙ୍ଗକୁ ଦାନ କରିଦିଆ ଗଲା । ଏହି ସୁନ୍ଦର ଚିନ୍ତିଧାରା ପାଇଁ ମୃତ୍ୟୁ ପରେ ମଧ୍ୟ ନିକ୍ଙ୍କୁ ସମସ୍ତେ ଭୂରି ଭୂରି ପ୍ରଶଂସା କରିଥିଲେ । ତା ପରେ ଓୟାଙ୍ଗଙ୍କର ସ୍ୱପ୍ନର ରାଜ କୁମାରୀ ତାଙ୍କୁ ଛାଡ଼ି ଚାଲି ଗଲେ । ତାଙ୍କର ଦୁନିଆ ଉଜୁଡ଼ି ଗଲା । ତା ପରେ ପରିସମାପ୍ତି ହୋଇଥିଲା ଏହି ଅଧୁରା ପ୍ରେମ କାହାଣୀର, ଯାହା ଏକ ଦମ ସତ୍ୟ । ସୋସିଆଲ ମିଡିଆରେ ଏହି ଘଟଣାକୁ ଦେଖି ଅନେକ ଭାବ ବିହ୍ଵଳହୋଇ ପଡ଼ିଛନ୍ତି ।
ଓୟାଙ୍ଗ କହିଛନ୍ତି, ‘ମୋର ପତ୍ନୀ ମୋତେ ଏତେ ବହୁତ ଭଲ ପାଉଥିଲେ ଯେ, ନିଜ ଜୀବନକୁ ଖାତିର ନ କରି ରୋଗୀଣା ଦେହକୁ ନେଇ ମୋ ପାଖକୁ ଚାଲି ଆସିଥିଲେ । ଚୀନର ସୋସିଆଲ ମିଡିଆର ୟୁଜରର୍ସ ନିକ୍- ଓୟାଙ୍ଗଙ୍କର ଏହି କାହାଣୀକୁ ଦେଖି ବହୁତ ଇମୋଶନାଲ ହୋଇ ଯାଇଛନ୍ତି । ଜଣେ ୟୁଜର ଲେଖିଛନ୍ତି, ଆଶା କରୁଛି ‘ ଏହି ମହିଳାଙ୍କୁ ସ୍ୱର୍ଗରେ ଅସୁମାରି ପ୍ରେମ ମିଳୁ’ , ତାଙ୍କ ପରେ ଅନ୍ୟ ଜଣେ ଲେଖିଛନ୍ତି ,‘ଚୀନ ଲୋକ ତୁମକୁ କେବେ ଭୁଲି ପାରିବେ ନାହିଁ’, ତୃତୀୟ ବ୍ୟକ୍ତି ଜଣକ ଲେଖିଛନ୍ତି, ‘ୟେ କି ଦୁଃଖଦ କାହାଣୀ – ଏହାର ପରିସମାପ୍ତିକୁ ସହଜରେ ଗ୍ରହଣ କରି ହେଉନି’ । ଏହି ହେଉଛି ସେହି ପ୍ରେମ କାହାଣୀ ଯାହାର ‘ହେପି ଏଣ୍ଡିଙ୍ଗ୍ ’ ନାହିଁ ।