ଘରର ମୁରବୀ ଶଯ୍ୟାଶାୟୀ, ବେସାହାରା ହୋଇପଡ଼ିଛି ପୂରା ପରିବାର

ଘରର ମୁରବି ଶଯ୍ୟାଶାୟୀ । ଦୁର୍ଘଟଣା ପରେ ହଜିଯାଇଛି ପରିବାର ମୁହଁରୁ ହସ । ଦୁଇ ଝିଅ ପୁଅ, ରୋଗୀଣା ବୃଦ୍ଧା ଶାଶୁ ଓ ଶଯ୍ୟାଶାୟୀ ସ୍ୱାମୀଙ୍କ ମୁହଁରେ ଦିଓଳି ଦିମୁଠା ଖାଇବା ଦେବା ପାଇଁ ସଂଘର୍ଷ କରୁଛନ୍ତି ସ୍ତ୍ରୀ । ସ୍ୱାମୀଙ୍କ ଚିକିତ୍ସାରେ ସମସ୍ତ ସ୍ଥାବର ଅସ୍ଥାବର ସମ୍ପତି ସରିଯାଇ ଥିବାବେଳେ ଏବେ ଭରଷା କେବଳ ସରକାରୀ ସହାୟତା ।
ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଖୁଣ୍ଟସମଲାଇ ଗ୍ରାମପଞ୍ଚାୟତ ଦଲପାଲି ଗାଁ ର ଶତ୍ରୁଘ୍ନ ବିଶି ଗତ ବର୍ଷ ଜୁନ ୪ ତାରିଖରେ ବାଇକ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ଶତ୍ରୁଘ୍ନଙ୍କ ସ୍ପାଇନାଲକର୍ଡରେ ଆଘାତ ଲାଗିଥିବା ବେଳେ ପାଟଣାଗଡ଼, ବଲାଙ୍ଗିର, ବୁର୍ଲା ଓ ରାୟପୁରରେ ଚିକିତ୍ସା କରାଇ ସର୍ବସ୍ବାନ୍ତ ହୋଇପଡିଲେଣି ପରିବାର। ବିଏସକେୱାଇ କାର୍ଡରୁ ଦେଢ଼ଲକ୍ଷ ଟଙ୍କା ଖର୍ଚ୍ଚରେ ରାୟପୁରରେ ଅପରେସନ ହୋଇଥିବା ବେଳେ ଆଉ ଅଧିକ ଚିକିତ୍ସା ପାଇଁ ପରିବାର ପାଖରେ ପଇସା ନାହିଁ । ଶତ୍ରୁଘ୍ନ ଭଲ ଥିଲାବେଳେ ନିଜେ ଲୁଗା ବୁଣୁଥିଲେ, ଭଲ ଦୁଇପଇସା ମଧ୍ୟ ରୋଜଗାର କରୁଥିଲେ ଫଳରେ ପରିବାର ହସଖୁସିରେ ଚଳୁଥିଲା । ଦୁର୍ଘଟଣା ପରେ ପରିବାରକୁ ଘୋଟିଆସିଛି ପରିବାର ପାଇଁ ଦରିଦ୍ରତାର କଳା ବାଦଲ ।
ଦୁର୍ଘଟଣା ପରେ ସମସ୍ତ ସ୍ଥାବର ଅସ୍ଥାବର ସମ୍ପତି ବିକ୍ରି କରିସାରିଥିବା ବେଳେ ପୁଅର ପାଠପଢ଼ା ସହିତ ପରିବାର ଚଳାଇବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଶତ୍ରୁଘ୍ନଙ୍କ ସ୍ତ୍ରୀ । ସରକାରୀ ସହାୟତା ଭାବରେ ଶତ୍ରୁଘ୍ନଙ୍କ ନାମରେ କେବଳ ୫ କିଲୋ ଚାଉଳ ମିଳୁଥିବା ବେଳେ ସ୍ତ୍ରୀ ଓ ପିଲାମାନଙ୍କ ନାଁ ଯୋଡ଼ା ହୋଇପାରିନାହିଁ । ବିଏସକେୱାଇ ରୁ ଅପରେସନ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଔଷଧ କିଣିବା ପାଇଁ ପଇସା ନାହିଁ । ଏଣୁ ଚିକିତ୍ସା ପାଇଁ ଆର୍ଥିକ ସହାୟତା, ପିଲାମାନଙ୍କୁ ପାଠ ପଢ଼ାଇବା ଓ ପରିବାରକୁ ଅନ୍ତୋର୍ଦୟ ଯୋଜନାରେ ସାମିଲ କରିବା ସହିତ ତାଙ୍କୁ ଭିନ୍ନକ୍ଷମ ଭତ୍ତା ପ୍ରଦାନ ପାଇଁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ପରିବାର । ପାଟଣାଗଡ଼ ଉପଜିଲ୍ଲାପାଳ ସୁନୀଲ ମେହେର ପରିବାର ବିଷୟରେ ଜାଣିବା ପରେ ଦୁଃଖପ୍ରକାଶ କରିବା ସହିତ ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ଦେଇଛନ୍ତି ପ୍ରତିଶୃତି।
ଘରର ମୁରବି ଶଯ୍ୟାଶାୟୀ ହୋଇ ପଡିରହିଥିବା ବେଳେ ପରିବାର ହୋଇ ଯାଇଛି ବେସାହାରା । ଏଣୁ ପ୍ରଶାସନ ଏହି ବେସାହାରା ପରିବାରକୁ ସହାୟତାର ହାତ ବଢ଼ାନ୍ତୁ ବୋଲି ନିବେଦନ କରିଛନ୍ତି ଅଞ୍ଚଳବାସୀ ।