ଅଚାନକ ସ୍ବାମୀର ମୃତ୍ୟୁରେ ସ୍ତବ୍ଧ ହୋଇ ଯାଇଛି ସ୍ତ୍ରୀ, ହସପିଟାଲ ବାରଣ୍ଡାରେ ବସି ଲୁହ ଗଡ଼ାଉଛି

ଭୁବନେଶ୍ବର: ରାତି ପ୍ରାୟ ସେତେବେଳକୁ ସାଢେ ଦଶଟା । ଗୋଟିଏ ପାଖରେ ଅନେକ ଲୋକ ରୁଣ୍ଡ ହୋଇଥାନ୍ତି । ଆଉ ଗୋଟିଏ ପାଖରେ ଦୁଇଜଣ ମହିଳା ଗୋଟିଏ ମୃତ ଶରୀର ନିକଟରେ ବସି କାନ୍ଦି ଚାଲିଥାନ୍ତି । ଏତେ ରାତିରେ ମୃତ ଶରୀରଟିକୁ ନେଇ କେବଳ ମହିଳା ଦୁଇ ଜଣ ବସିଥିବା କଥାରେ ପୋଲିସ୍ ସେମାନଙ୍କୁ ପଚାରୁଥାଏ । କଣ କେହି ପୁରୁଷ ଲୋକ ଆସିନାହାନ୍ତି କି ବୋଲି ପଚାରୁ ଥାଏ ପୋଲିସ l ଦୁଇ ମହିଳାଙ୍କ ଭିତରୁ ଜଣେ କୋହଭରା ଛଳ ଛଳ ଆଖିରେ ଚାହିଁଥାନ୍ତି l ଖୋଲିକି କାନ୍ଦିବାକୁ ଇଚ୍ଛା କରି ବି କାନ୍ଦି ପାରୁ ନଥାନ୍ତି l ….
ସାମ୍ନାରେ ମୃତ ଶରୀରରକୁ ଦୁଇଜଣ ଶଵ ବାହକ ଏପଟ ସେପଟ କରି ଗୋଟିଏ ଷ୍ଟ୍ରେଚରରୁ ଅନ୍ୟ ଗୋଟିଏ ଷ୍ଟ୍ରେଚରରେ ନେଇ ରଖିଲେ l ତାପରେ ଏହାକୁ ନେଇଗଲେ ଶବ ସଂରକ୍ଷଣ ଗୃହକୁ l ଏପଟେ ମହିଳା ଦୁଇଜଣ ସେମିତି ଚାପା କଣ୍ଠରେ କାନ୍ଦି କାନ୍ଦି କ୍ୟାପିଟାଲ ହସପିଟାଲ ଶବଗୃହ ବାରଣ୍ଡାରେ ବସିଥାନ୍ତି l କିଛି ଲୋକ ସେମାଙ୍କୁ କହୁଥାନ୍ତି ଆଜି ଆଉ ହେଇ ପାରିବନି, କାଲି ଆସିବ ଯାଅ l ମହିଳା ଦୁଇଜଣ ସେମତି କୋହ ଫଟେଇ କାନ୍ଦୁଥାନ୍ତି l
ପାଖରେ ଗୋଟିଏ ବ୍ୟାଗ ଆଉ ତା ଭିତରେ କିଛି କପଡାଲତା l ଦୁଇ ମହିଳା ପରସ୍ପରକୁ ଚାହିଁ ଭୋଭୋ ହୋଇ କାନ୍ଦି ଉଠିଲେ l ଜଣେ ମହିଳା କାନ୍ଦି କାନ୍ଦି କହୁଥାନ୍ତି ମୃତକ ହେଉଛନ୍ତି ତାଙ୍କ ସ୍ୱାମୀ ଶଙ୍କର୍ଷଣ ଭୋଳ l ଘର ଗଞ୍ଜାମ ଜିଲ୍ଲାରେ । ଦୀର୍ଘ ବର୍ଷ ହେବ ସେମାନେ ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳରେ ହୋଟେଲରେ କାମ କରୁଥିଲେ । ବାସନ କୁସନ ମାଜିବା ସହ ବୋଲହାକ ଭଳି କାମ କରି ଦିନ ମଜୁରିଆ ଭାବରେ ପେଟ ପୋଷୁଥିଲେ l ସ୍ତ୍ରୀ ମଧ୍ୟ ମୂଲ ଲାଗି କିଛି ରୋଜଗାର କରୁଥିଲେ l ଘଟଣା ଦିନ ରାତି ପ୍ରାୟ ଆଠଟା କି ସାଢେ ଆଠ ହେବ ଶଙ୍କରଷଣ ଗୋଟିଏ ହୋଟେଲରୁ କାମ ସାରି ଅନ୍ୟ ଏକ ସ୍ଥାନକୁ ଯିବା ପାଇଁ ତରବରିଆ ଭାବରେ ବାହାରିଥିଲେ । ଅନ୍ୟମନସ୍କ ହୋଇ ସେହି ହୋଟେଲ ପାଖ ଇଲେଟ୍ରିକ ତାରକୁ ଲାଗି ଶୁଖାଇ ଥିବା ପ୍ୟାଣ୍ଟକୁ ଧରି ପକାଇଲେ l ଆଉ ଲାଗିଲା ବିଦ୍ୟୁତ୍ ଝଟକା । ବିଦ୍ୟୁତ ଆଘାତରେ ଘଟଣା ସ୍ଥଳରେ ହିଁ ଜଳି ଗଲେ ଶଙ୍କର୍ଷଣ l
ଯେତେବେଳେ ଘବର ପାଇ ସ୍ତ୍ରୀ ଆସି ଦେଖିଲେ ସତେ ଯେମିତି ଆକାଶଟା ମୁଣ୍ଡ ଉପରେ ଖସି ପଡିଲା l ପରେ ସ୍ବାମୀର ମୃତଦେହ କ୍ୟାପିଟାଲ ହସପିଟାଲକୁ ନିଆଯାଇଥିଲା । ଆଉ ତାରି ପଛେ ପଛେ ସ୍ତ୍ରୀ ଆସିଲେ ହସପିଟାଲ । ପୋଷ୍ଟମର୍ଟମ ପାଇଁ ଶଙ୍କର୍ଷଣଙ୍କ ମୃତ ଶରୀରକୁ ଶଵ ସଂରକ୍ଷଣ ଗୃହରେ ରଖାଗଲା । ହେଲେ ସ୍ୱାମୀର ଶଵ ଛାଡି ଯିବାକୁ ଇଛା ହେଉନଥିଲା ସ୍ତ୍ରୀ ମଞ୍ଜୁଳାର l ସେହି ଠାରେ ଅନ୍ୟ ଜଣେ ମହିଳା ସହିତ ବସି ରହି ଭାରି ଡହଳ ବିକଳ ହେଉଥାନ୍ତି । କାହାକୁ ଫୋନ୍ କରି କଥା ହେବା ପରେ ପୁଣି କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲେ l ଏତେବଡ଼ ସହରରେ ସ୍ୱାମୀ ବିନା ତାଙ୍କର ଆଉ କେହି ନାହିଁ । ସେ ଆଜି ତାଙ୍କୁ ଏକୁଟିଆ କରି ଚାଲିଗଲେ ।
ଏଭଳି ଭାବେ ମଝି ନଈରେ ହାତ ଛାଡି ଆରପାରିକୁ ଚାଲି ଯିବେ ସ୍ୱାମୀ ଏକଥା କେବେ ସ୍ବପ୍ନରେ ବି ଭାବି ନଥିଲେ ମଞ୍ଜୁଳା । ଏବେ କରିବେ କଣ କାହା ସାହାରାରେ ବଞ୍ଚିବେ ସେକଥା ଭାବି ଭାବି ଥୟ ଧରୁ ନଥାନ୍ତି । ପେଟପାଟଣା ପାଇଁ ଆସିଥିଲେ ରାଜଧାନୀକୁ ହେଲେ ସ୍ବାମୀ ସହ ଏତିକି ଦିନ ସାଙ୍ଗ ହୋଇ ରହିବାର ଥିଲା ଜାଣିଥିଲେ ଗାଁରୁ ଗୋଡ଼ କାଢ଼ି ନଥାନ୍ତେ । ଆଗକୁ କଣ ହେବ କଣ କରିବେ ଏଇ ଚିନ୍ତାରେ ଲୁହ ଖାଲି ଧାର ଧାର ବହି ଯାଉଥାଏ ମଞ୍ଜୁଳାଙ୍କ ଆଖିରୁ l … ସତରେ ଏଭଳି ଅସହାୟଙ୍କ ପାଇଁ କିଏ ବା ସହାୟକ ହେବ ? କଣ ହେବ ଏମାନଙ୍କ ଭବିଷ୍ୟତ ? କେହି ବୁଝିବାକୁ ନାହିଁ କି ବାଟ କଢ଼ାଇବାକୁ ନାହିଁ । ନିଜେ ହିଁ ନିଜର ରାସ୍ତା କରି ଜୀବନ ସଂଘର୍ଷ ଭିତରେ ଜିଇବାକୁ ହେବ ମଞ୍ଜୁଳାଙ୍କ ଭଳି ଅନେକଙ୍କୁ ।
Also read;ଟ୍ରମ୍ପଙ୍କୁ ହତ୍ୟା କରି ସରକାର ଭାଙ୍ଗିବାକୁ ଚାହୁଁଥିଲେ ୧୭ ବର୍ଷୀୟ ଯୁବତୀ, ବାପା ମା’ଙ୍କୁ ହତ୍ୟା କରି ଟଙ୍କା ନେଇ…