‘ଜଲ୍‌ଦି ବନ୍ଦ କରି ଦିଅନ୍ତୁ ଓ୍ଵାର୍କ ଫ୍ରମ୍‌ ହୋମ୍‌, ନ ହେଲେ ଭାଙ୍ଗିଯିବ ଆମ ବିବାହ’; ଜାଣନ୍ତୁ ସ୍ୱାମୀଙ୍କ ବସ୍‌ଙ୍କୁ କାହିଁକି ଏମିତି ଚିଠି ଲେଖିଲେ ସ୍ତ୍ରୀ

ସୋସିଆଲ ମିଡିଆରେ ଏକ ଚିଠି ଖୁବ୍‌ ଭାଇରାଲ ହେଉଛି, ଯାହାକୁ ଜଣେ ସ୍ତ୍ରୀ ନିଜ ସ୍ୱାମୀଙ୍କ ବସ୍‌ଙ୍କ ପାଖକୁ ଲେଖିଛନ୍ତି। ଏହି ଚିଠିରେ ସ୍ତ୍ରୀ, ସ୍ୱାମୀଙ୍କ ବସ୍‌ଙ୍କୁ ଅନୁରୋଧ କରିଛନ୍ତି କି, ସେ ତାଙ୍କ ସ୍ୱାମୀଙ୍କ ଓ୍ଵାର୍କ ଫ୍ରମ୍‌ ହୋମ୍‌କୁ ଶେଷ କରି ତୁରନ୍ତ ତାଙ୍କୁ ଅଫିସ୍‌ ଡକାନ୍ତୁ। ବାସ୍ତବ କଥା ହେଉଛି, ଲମ୍ବା ସମୟରୁ ଚାଲିଥିବା ଓ୍ଵାର୍କ ଫ୍ରମ୍‌ ହୋମ୍‌ କାରଣରୁ ସ୍ତ୍ରୀ, ସ୍ୱାମୀଙ୍କର ଅନେକ ବଦଭ୍ୟାସରେ ଅତିଷ୍ଠ ହୋଇପଡ଼ିଥିଲେ, ଯେଉଁଥିପାଇଁ ସ୍ତ୍ରୀ ଏମିତି ଚିଠି ଲେଖିଥିଲେ। ଚିଠିରେ ସେ ଆହୁରି ଲେଖିଥିଲେ କି, ଯଦି ଓ୍ଵାର୍କ ଫ୍ରମ୍‌ ହୋମ୍‌ ବନ୍ଦ ନ ହୁଏ, ତେବେ ତାଙ୍କ ବିବାହ ଅଧିକ ସମୟ ପର୍ଯ୍ୟନ୍ତ ଚାଲିପାରିବ ନାହିଁ।

ଏହି ଚିଠିକୁ ବ୍ୟବସାୟୀ ହର୍ଷ ଗୋୟନକା ନିଜ ଟ୍ଵିଟରରେ ସେୟାର କରିଛନ୍ତି। ଏଥିରେ ସେ କ୍ୟାପସନ ଲେଖିଛନ୍ତି, ‘ବୁଝିପାରୁନି କି, ତାଙ୍କୁ କେମିତି ଉତ୍ତର ଦେବି’। ତାଙ୍କର ଏହି ଟ୍ଵିଟ୍‌ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି, ଯାହାକୁ ଏ ପର୍ଯ୍ୟନ୍ତ ୮ ହଜାରରୁ ଅଧିକ ଲାଇକ୍ସ ମିଳିସାରିଲାଣି।

ସ୍ତ୍ରୀ ଜଣକ ଚିଠିରେ ଲେଖିଛନ୍ତି, ‘ପ୍ରିୟ ସାର, ମୁଁ ଆପଣଙ୍କ କର୍ମଚାରୀ ମନୋଜଙ୍କ ସ୍ତ୍ରୀ। ଆପଣଙ୍କୁ ବିନମ୍ର ନିବେଦନ କି, ଏବେ ତାଙ୍କୁ ଓ୍ଵାର୍କ ଫ୍ରମ୍‌ ଅଫିସ୍‌ର ଅନୁମତି ଦେଇ ଦିଅନ୍ତୁ। ସେ ଭ୍ୟାକ୍ସିନ୍‌ର ଦୁଇଟି ଡୋଜ୍‌ ନେଇ ସାରିଛନ୍ତି। ସେ ସମସ୍ତ କୋଭିଡ୍‌ ନିୟମ ପାଳନ ମଧ୍ୟ କରିବେ। ଯଦି ଅଧିକ ସମୟ ପର୍ଯ୍ୟନ୍ତ ଓ୍ଵାର୍କ ଫ୍ରମ୍‌ ହୋମ୍‌ ଜାରି ରୁହେ, ତା’ହେଲେ ନିଶ୍ଚିତ ରୂପେ ଆମ ବିବାହ ଚାଲି ପାରିବ ନାହିଁ’।

ସେ ଆଗକୁ ଲେଖିଛନ୍ତି ଯେ ‘ଏହି ଲୋକ ଦିନରେ ୧୦ ଥର କଫି ପିଉଛନ୍ତି। ଅଲଗା ଅଲଗା ରୁମ୍‌ରେ ବସି ସେଠି ଅପରିଷ୍କାର ସୃଷ୍ଟି କରୁଛନ୍ତି ଏବଂ ବାରମ୍ବାର କିଛି ନା କିଛି ଖାଇବା ପାଇଁ ମାଗୁଛନ୍ତି। ଏପରି କି, ସେ କାମ ମଝିରେ ଶୋଇ ମଧ୍ୟ ଯାଉଛନ୍ତି। ମୋତେ ଦୁଇଟି ଛୁଆଙ୍କର ଦେଖାଶୁଣା ବି କରିବାକୁ ପଡ଼ୁଛି। ଏମିତିରେ ଆପଣଙ୍କ ସହଯୋଗ ଚାହୁଁଛି, ଯେପରି ମୋ ମାନସିକ ଶାନ୍ତି ଫେରି ଆସୁ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.