ବାହାଘରିଆଙ୍କ ମୁଣ୍ଡରେ ସୁନା ଚିନ୍ତା, ୧ ଲକ୍ଷ ୩୦ ହଜାର ଛୁଇଁବ ସୁନା ଦର

ସୁନା ବଜାରରେ ନିଆଁ । ଦିନକୁ ଦିନ ନୂଆ ରେକର୍ଡ କରୁଛି ସୁନା ଦର । ଆଉ ଏହାରି ଭିତରେ ସାମ୍ନାକୁ ଆସିଛି ଏକ ନୂତନ ତଥ୍ୟ । ଆଗକୁ ୧ଲକ୍ଷ ୩୦ ହଜାର ଛୁଇଁବ ଅନୁମାନ କରିଛି ବିଦେଶୀ ନିବେଶକ ବ୍ୟାଙ୍କ ଗୋଲଡମ୍ୟାନ୍ ସାଚ୍ ସ । ଯାହାକୁ ନେଇ ଚିନ୍ତାରେ ଲୋକେ । ସେ ବିବାହ ହେଉ କି ବ୍ରତଘର ଭାରତରେ ସୁନାର ଚାହିଦା ବେଶ ଅଧିକ । ଯେହେତୁ ବିବାହ କାର୍ଯ୍ୟରେ ଗହଣା କିଣା ଖର୍ଚ୍ଚର ଭାଗ ସବୁଠୁ ଅଧିକ ରହିଥାଏ ତେଣୁ ଲୋକଙ୍କୁ ବାହାଘର ଲାଗି ଅଧିକ ଟଙ୍କା ଯୋଗାଡ଼ କରିବାକୁ ପଡୁଛି ।
ବିବାହ ଋତୁରେ ଚିନ୍ତା ବଢାଇଛି ସୁନା ଦର । କମିବାର ନାଁ ନେଉନି, ଦିନକୁ ଦିନ ଦର ବଢିବାରେ ଲାଗିଛି । ସୁନା ଦରରେ ଏଭଳି ବୃଦ୍ଧି ଗ୍ରାହକଙ୍କୁ ଚିନ୍ତାରେ ପକାଇଛି । ଚମକୁଛି ସୁନା, ବଢୁଛି ଦର । ବିଶ୍ବ ବଜାରରେ ଅସ୍ଥିରତା ଓ ଅନିଶ୍ଚତତା ମଧ୍ୟରେ ସୁନାର ଚମକ ବଢ଼ିଚାଲିଛି । ଆମେରିକା-ଚୀନ ମଧ୍ୟରେ ବଢୁଥିବା ବାଣିଜ୍ୟ ଯୁଦ୍ଧ ଏବଂ ମାନ୍ଦାବସ୍ଥା ଆଶଙ୍କା ମଧ୍ୟରେ ଏ ବର୍ଷ ସୁନା ଦର ନୂଆ ରେକର୍ଡ କରିପାରେ । ଅନ୍ତର୍ଜାତୀୟ ବଜାରରେ ଏହା ଆଉନ୍ସ ପିଛା ୪,୫୦୦ ଡଲାର ପର୍ଯ୍ୟନ୍ତ ଯାଇପାରେ ।
ଅନ୍ତର୍ଜାତୀୟ ଦର ହିସାବରେ ଭାରତରେ ୧୦ ଗ୍ରାମକୁ ୧ଲକ୍ଷ ୩୦ ହଜାର ଟଙ୍କା ହୋଇପାରେ । ଆମେରିକାର ଟାରିଫ୍ ନୀତି ଯୋଗୁ ବାଣିଜ୍ୟ ଯୁଦ୍ଧ ବଢିବାର ଆଶଙ୍କା ରହିଛି । ଫଳରେ ବିଶ୍ବରେ ଆର୍ଥିକ ମାନ୍ଦାବସ୍ଥାର ସମ୍ଭାବନା ରହିଛି । ସେପଟେ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଦ୍ୱାରା ବି ସୁନା ଦର ବଢୁଛି । ବର୍ତ୍ତମାନ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୮୭ ହଜାର ୫୫୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ ସୁନା ଦର ୯୫ ହଜାର ୫୧୦ ଟଙ୍କା ରହିଛି ।
ତେବେ ସୁନା ଦର ଏପରି ବଢ଼ୁଥିବା ନେଇ ସାଧାରଣରେ ଅନେକ ପ୍ରଶ୍ନ ଉଠିଛି । ଆମ ଦେଶରେ କାହିଁକି ବଢ଼ୁଛି ସୁନାଦର? ଆଉ କେତେ ଦିନ ଲାଗି ରହିବ ଏଭଳି ସ୍ଥିତି? ବଜାର ବିଶେଷଜ୍ଞଙ୍କ ମତ ଅନୁସାରେ ସୁନା ଦରବୃଦ୍ଧି ପଛରେ ରହିଛି ଅନେକ କାରଣ । କହିରଖୁଛୁ, ଆମ ଦେଶ ସୁନା ପାଇଁ ଆନ୍ତର୍ଜାତିକ ବଜାର ଉପରେ ନିର୍ଭର କରିଥାଏ । ଯେହେତୁ ଆନ୍ତର୍ଜାତିକ ବଜାରରେ ସୁନା ଦାମ୍ ବଢ଼ିବାରେ ଲାଗିଛି । ସେଥିପାଇଁ ଭାରତରେ ବି ତାହାର ପ୍ରଭାବ ଦେଖିବାକୁ ମିଳୁଛି ।
ସେପଟେ ଆମେରିକାର ଟ୍ରମ୍ପ୍ ପ୍ରଶାସନର କଟକଣା ନିଷ୍ପତ୍ତି ଷ୍ଟକ୍ ମାର୍କେଟକୁ ପ୍ରଭାବିତ କରୁଛି । ତେଣୁ ନିବେଶକମାନେ ଷ୍ଟକ୍ ମାର୍କେଟ୍ ବଦଳରେ ସୁନାରେ ପୁଞ୍ଜିନିବେଶକୁ ଅଧିକ ସୁରକ୍ଷିତ ମଣୁଛନ୍ତି । ସେହିପରି ଭାରତ ସମେତ ବହୁ ବଡ଼ ରାଷ୍ଟ୍ରର କେନ୍ଦ୍ରୀୟ ବ୍ୟାଙ୍କ ସୁନା କିଣି ମହଜୁଦ ରଖୁଛନ୍ତି । ଏସବୁ କାରଣ ଯୋଗୁ ଦିନକୁ ଦିନ ହୁ ହୁ ହୋଇ ବଢ଼ିଚାଲିଛି ସୁନା ଦର । ତେବେ ଯଦି ଏଭଳି ସ୍ଥିତି ଲାଗି ରହିବ, ସୁନାଦର ଆଗାମୀ ଦିନରେ ଲକ୍ଷେ ୩୦ ହଜାର ଛୁଇଁବ ବୋଲି ଅନୁମାନ କରାଯାଉଛି ।
Also read: ୯୫ ହଜାର ଟପିଲାଣି ସୁନା ଦର, ଆଉ ଅଳ୍ପ ଦିନରେ ଛୁଇଁବ ଲକ୍ଷେ