Winter Solstice 2024: ଆଜି ବର୍ଷର ସବୁଠାରୁ ଛୋଟ ଦିନ, ମାତ୍ର ଏତିକି ଘଣ୍ଟାରେ ଅସ୍ତ ହୋଇଯିବ ସୂର୍ଯ୍ୟ
ଆଜି ଶୀଘ୍ର ଦିନ ସରିଯିବ । ଆଉ ରାତି ଲମ୍ବା ହୋଇଯିବ । ଜାଣିବାକୁ ଚାହୁଁଛନ୍ତି କି ଦର୍ଶକ ବନ୍ଧୁ ଏମିତି କାହିଁକି ହୁଏ? ତେବେ ଆଜି ଦିନଟିକୁ ଭଲ ଭାବେ ଲକ୍ଷ୍ୟ କରନ୍ତୁ ଠିକ୍ ବୁଝିଯିବେ । …ଭାରତରେ ନଭେମ୍ବର ମଧ୍ୟଭାଗରୁ ଫେବୃଆରୀ ମଧ୍ୟରେ ଶୀତ ଋତୁ ଅନୁଭୂତ ହୋଇଥାଏ, କାରଣ ଏହି ସମୟରେ ସବୁଠାରୁ ଅଧିକ ଥଣ୍ଡା ପଡିଥାଏ । ଆପଣମାନେ ନିଶ୍ଚୟ ଜାଣିଥିବେ ସାଧାରଣତଃ ଶୀତ ଋତୁରେ ଦିନ ଛୋଟ ଏବଂ ରାତି ଲମ୍ବା ହୋଇଥାଏ ।
ଆଜି ଅର୍ଥାତ ୨୧ ଡିସେମ୍ବର ୨୦୨୪ ବର୍ଷର ସବୁଠାରୁ ଛୋଟ ଦିନ ଏବଂ ଲମ୍ବା ରାତି । ଏହି ଭୌଗଳିକ ଘଟଣାକୁ Winter solstice କୁହାଯାଏ । ସୂର୍ଯ୍ୟ ଏହି ଦିନ କର୍କଟ ରେଖାରୁ ମକର ରେଖା ଆଡ଼କୁ ଉତ୍ତରାୟଣରୁ ଦକ୍ଷିଣାୟନ ଆଡ଼କୁ ଅନୁପ୍ରବେଶ କରିଥାଏ । ଏହା ହେଉଛି ସେହି ସମୟ ଯେତେବେଳେ ସୂର୍ଯ୍ୟଙ୍କ କିରଣ ବହୁତ କମ୍ ସମୟ ପାଇଁ ପୃଥିବୀରେ ରହିଥାଏ । ଏହି ଦିନ ସୂର୍ଯ୍ୟ କିରଣର ଉପସ୍ଥିତି ପ୍ରାୟ ୮ ଘଣ୍ଟା ରହିଥାଏ ଓ ଅସ୍ତ ହେବାପରେ ପ୍ରାୟ ୧୬ ଘଣ୍ଟା ରାତି ରହିଥାଏ ।
ଏହି ସବୁ ଭୌଗଳିକ ଅବସ୍ଥାନକୁ ଦୃଷ୍ଟିରେ ରହି ଆଜି ହେଉଛି ବର୍ଷର ସବୁଠୁ ଛୋଟ ଦିନ । ରାଜଧାନୀ ଭୁବନେଶ୍ବର ପାଇଁ ଆଜି ସବୁଠାରୁ ଛୋଟ ଦିନ ପ୍ରାୟ ୧୦ ଘଣ୍ଟା ୫୪ ମିନିଟ ୨୪ ସେକେଣ୍ଡ ହେବ । ଅର୍ଥାତ ଦୀର୍ଘତମ ରାତି ପ୍ରାୟ ୧୩ ଘଣ୍ଟା ୫ ମିନିଟ ୩୬ ସେକେଣ୍ଡ ହେବ । କିନ୍ତୁ ଭୁବନେଶ୍ବରରେ ଡିସେମ୍ବର ୧୫ରୁ ଡିସେମ୍ବର ୨୭ ଯାଏ ପ୍ରାୟ ୧୨ ଦିନ ଧରି ୧୦ ଘଣ୍ଟା ୫୪ ମିନିଟ ଓ ରାତି ପ୍ରାୟ ୧୩ ଘଣ୍ଟା ୫ ମିନିଟ ହୁଏ । ଆଜି ସୁନ୍ଦରଗଡ଼ ଓ ମାଲକାନଗିରିରେ ଦିନର ଅବଧି ଯଥାକ୍ରମେ ମାତ୍ର ୧୦ ଘଣ୍ଟା ୪୭ ମିନିଟ ଓ ୧୧ଘଣ୍ଟା ୧ ମିନିଟ ହେବ ।
ଦିଲ୍ଲୀ ଓ କନ୍ୟାକୁମାରୀ ଠାରେ ଦିନର ଲମ୍ବା ଯଥାକ୍ରମେ ମାତ୍ର ୧୦ ଘଣ୍ଟା ୧୯ ମିନିଟ ଓ ୧୧ଘଣ୍ଟା ୩୯ ମିନିଟ ହେବ । ପ୍ରତିବର୍ଷ ଆମେ ଡିସେମ୍ବର ୨୫ ତାରିଖକୁ ବଡ଼ ଦିନ ରୂପେ ପାଳନ କରୁ । କିନ୍ତୁ ଆପଣ କେବେ ଭାବିଛନ୍ତି କି ଏହି ନାମ ଏକ ମହାଜାଗତିକ ଘଟଣାରୁ ଆସିଛି । ଠିକ ସେହିଭଳି ପ୍ରତିବର୍ଷ ଡିସେମ୍ବର ୨୧ ତାରିଖ କିମ୍ବା ୨୨ ତାରିଖରେ ଉତ୍ତର ଗୋଲାର୍ଦ୍ଧରେ ଏହା ସବୁଠାରୁ ଛୋଟ ଦିନ ହୋଇଥାଏ । ଜ୍ୟୋତିର୍ବିଜ୍ଞାନୀଙ୍କ ମତରେ ବର୍ଷର ଏହି ସବୁଠୁ ଛୋଟ ଦିନରୁ ହିଁ ଶୀତଦିନ ଆରମ୍ଭ ହୋଇଥାଏ । ଏଥିସହ ଧୀରେ ଧୀରେ ଦିନ ଗୁଡ଼ିକ ଅଧିକ ଅଧିକରୁ ଅଧିକ ଲମ୍ବା ହୁଏ ।