ପେନ୍‌କିଲର ବଟିକା ବଦଳରେ ଭୁଲରେ ଇୟରଫୋନ୍‌ ଗିଳିଦେଲେ ମହିଳା, ପରେ ପେଟରେ ବାଜିଲା ଗୀତ

ବର୍ତ୍ତମାନ ଦୁନିଆରେ ଏମିତି ଅନେକ ଅଜବ ଘଟଣା ଘଟୁଛି, ଯାହା ଆମ ଭାବନା ବାହାରେ। ସୋସିଆଲ ମିଡିଆ ଯୋଗୁ ଏସବୁ ଘଟଣା ସାମ୍ନାକୁ ଆସୁଛି। କେତେବେଳେ କିଏ ମୋବାଇଲ ଗିଳି ଦେଉଛି ତ କେତେବେଳେ କାହା ପେଟରୁ ଇୟରଫୋନ୍‌ ବାହାରୁଛି। ତେବେ ବର୍ତ୍ତମାନ ପୁଣିଥରେ ସେଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ଚର୍ଚ୍ଚାରେ ରହିଛି। ରିପୋର୍ଟ ମୁତାବକ, ଆମେରିକାର ଜଣେ ମହିଳା ପେନ୍‌କିଲର ଭାବି ଇୟରପୋଡ୍‌ ଖାଇ ଦେଇଛନ୍ତି। ମୋବାଇଲରେ କଲ୍‌ କରିବାରୁ ଏହି ଇୟରପୋଡ୍‌ ତାଙ୍କ ପେଟ୍‌ରେ ରିଂ ହୋଇଥିବା ଜଣାଯାଇଛି। ମହିଳା ଜଣକ ନିଜ ସହ ଘଟିଥିବା ଏହି ଘଟଣା ସମ୍ପର୍କରେ ସୋସିଆଲ ମିଡିଆରେ ଭିଡିଓ ସେୟାର କରି ସୂଚନା ଦେଇଛନ୍ତି।

karley
Image Credit: News18

ଆମେରିକାରେ ରହୁଥିବା ଏହି ମହିଳାଙ୍କ ନାଁ କାର୍ଲି। କାର୍ଲି କିଛି ଦିନ ତଳେ ତାଙ୍କର ଜଣେ ବନ୍ଧୁଙ୍କ ଘରକୁ ଯାଇଥିଲେ। ସେଠାରେ ହଠାତ୍‌ ତାଙ୍କ ପେଟ କାମୁଡ଼ିଥିଲା। ଏଣୁ ସେ ବନ୍ଧୁଙ୍କୁ ପେନ୍‌କିଲର ମାଗିଥିଲେ। ବନ୍ଧୁ ତାଙ୍କ ପାଇଁ ପେନ୍‌କିଲର ଆଣି ଖଟ ପାଖରେ ଥିବା ଟେବୁଲ ଉପରେ ଥୋଇ ଦେଇଥିଲେ।  କାର୍ଲି ଖଟରେ ଶୋଇ ଶୋଇ ଏହି ଟାବ୍‌ଲେଟ୍‌କୁ ଖାଇ ଦେଇଥିଲେ। କିଛି ସମୟ ପରେ ସେ ଇୟରପୋଡ୍‌ରେ ଗୀତ ଶୁଣିବାକୁ ଚାହିଁଥିଲେ। କିନ୍ତୁ ତାଙ୍କୁ କେବଳ ଡାହାଣ କାନର ଇୟରପୋଡ୍‌ ହିଁ ମିଳିଥିଲା। ବହୁ ଖୋଜାଖୋଜି ପରେ ମଧ୍ୟ ସେ ବାମ କାନର ଇୟରପୋଡ୍‌ ପାଇନଥିଲେ। ଏଣୁ ମୋବାଇଲରେ ଇୟରପୋଡ୍‌ର ଲୋକେସନ୍‌ ସର୍ଚ୍ଚ କରିଥିଲେ। କିନ୍ତୁ ତାଙ୍କ ଇୟରପୋଡ୍‌ର ଲୋକେସନ୍‌ ତାଙ୍କ ଘର ହିଁ ଶୋ’ କରିଥିଲା। ଏଣୁ ଅନ୍ୟ ବାଟ ନପାଇ ସେ ଗୀତ ବଜାଇଥିଲେ। ତେବେ ଆଶ୍ଚର୍ଯ୍ୟ ଜନକ ଭାବେ ଏହି ଗୀତ ତାଙ୍କ ପେଟ ଭିତରୁ ହିଁ ଶୁଣାଯାଇଥିଲା। ପେଟରୁ ଗୀତ ବାଜୁଥିବା ଦେଖି ସେ ଜାଣିଗଲେ ଯେ ପେନ୍‌କିଲର ନୁହେଁ, ବରଂ ସେ ଇୟରପୋଡ୍‌କୁ ଗିଳି ଦେଇଛନ୍ତି।

ସେଦିନ ବହୁତ ରାତି ହୋଇଯାଇଥିବାରୁ ସେ ଆଉ ଡାକ୍ତର ପାଖକୁ ଯାଇପାରିନଥିଲେ। ସକାଳୁ ନିତ୍ୟ କର୍ମ ସାରି ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଡାକ୍ତର ସବୁ କଥା ଶୁଣିବା ପରେ ତାଙ୍କ ପେଟ ସ୍କାନ୍‌ କରିଥିଲେ। କିନ୍ତୁ ପେଟରେ କିଛି ଇଲେକ୍ଟ୍ରୋନିକ୍‌ ଜିନିଷ ନଥିବା ଡାକ୍ତର କହିଥିଲେ। ଏଥିସହ ଡାକ୍ତର ତାଙ୍କୁ ଆଶ୍ୱସ୍ତି କରି କହିଥିଲେ ଯେ ସେ ଭୁଲରେ ଗିଳି ଦେଇଥିବା ଇୟରପୋଡ୍‌ ପ୍ରାକୃତିକ ଉପାୟରେ ଝାଡ଼ାରେ ହିଁ ବାହାରି ଯାଇଛି। ଡାକ୍ତରଙ୍କ ଠାରୁ ଏହା ଶୁଣିବା ପରେ କାର୍ଲି ଟିକେ ଶାନ୍ତିରେ ନିଃଶ୍ୱାସ ମାରିଥିଲେ। ଏହା ଦ୍ୱାରା ତାଙ୍କର କୌଣସି ଆଭ୍ୟନ୍ତରୀଣ ଅଙ୍ଗ ମଧ୍ୟ ପ୍ରଭାବିତ ହୋଇନଥିବା ଡାକ୍ତର କହିଥିଲେ। ନିଜ ସହ ଘଟିଥିବା ଏହି ଘଟଣାକୁ କାର୍ଲି ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏଥିସହ ସେ ସମୟରେ ସେ କେତେ ଯନ୍ତ୍ରଣାରେ ଥିଲେ, ତାହା ମଧ୍ୟ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.