ବୋହୂ ଟଙ୍କା ଚୋରି କରୁଥିଲା, ଦେଖିଦେବାରୁ ଶାଶୁ ଦେହରେ ନିଆଁ ଲଗାଇଦେଲା

ଅଭିଯୋଗ ବଡ଼ ଭୟଙ୍କର । ଟଙ୍କା ଚୋରି କରୁଥିଲା ବୋହୂ । ଶାଶୂର ନଜର ପଡ଼ିଗଲା। ନିଜକୁ ବଞ୍ଚାଇବାକୁ ଯାଇ ଶାଶୂର ଜୀବନ ନେବାକୁ ବି ପଛାଇଲାନି । ଏମିତି କାଣ୍ଡ କରି ବସିଲା ଯେ ଆଜି ଶାଶୂ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି । ମେଡିକାଲରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଏହି କାଣ୍ଡ କରିବା ପରେ ନିଜ ପୁଅକୁ ନେଇ ବାପ ଘରକୁ ପଳାଇଛି ଅଭିଯୁକ୍ତ ବୋହୂ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ ।

ଚୋରଣୀ ବୋହୂର କାଣ୍ଡ କାରଖାନା ଜାଣିଲେ ମୁଣ୍ଡରେ ହାତ ଦେବେ । ଟଙ୍କା ଚୋରି କରୁଥିବା ବେଳେ ଧରା ପଡିବା ପରେ ଶାଶୁ କାହାକୁ କହି ଦେବେ ସେହି ଭୟରେ ଶାଶୁଙ୍କୁ ନିଆଁ ଲଗାଇ ପୋଡି ଦେଲା ବୋହୂ । ମାଲକାନଗିରି ଥାନା ଅନ୍ତର୍ଗତ ଏମଭି ୧୮ ଗାଁର ରେଣୁକା ବୈଦ୍ୟ ନିଜ ଘରେ ଶୋଇଥିବା ବେଳେ ବୋହୁ ଜୟା ତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ସେ ଅଭିଯୋଗ କରିଛନ୍ତି । ପରେ ଘରର କବାଟ ବନ୍ଦ କରି ନିଜ ଚାରି ମାସର ପୁଅକୁ ଧରି ବାପ ଘରକୁ ଚାଲି ଯାଇଛି ବୋହୁ । ଏପଟେ ପୋଡ଼ା ଯନ୍ତ୍ରଣାରେ ଚିତ୍କାର କରୁଥାନ୍ତି ଶାଶୁ । ତାଙ୍କ ପାଟି ଶୁଣି ଧାଇଁ ଆସିଥିଲେ ଗାଁ ଲୋକେ । ଗୁରୁତର ଅବସ୍ଥାରେ ଶାଶୁ ରେଣୁକାଙ୍କୁ ଗାଁ ଲୋକେ ପ୍ରଥମେ ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ରେଣୁକାଙ୍କ ଶରୀରର ୬୦ ପ୍ରତିଶତ ପୋଡି ଯାଇଥିବାରୁ ତାଙ୍କୁ ଛତିଶଗଡ ରାୟପୁରର ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଏନେଇ ଖୋଦ୍ ଜୟାଙ୍କ ସ୍ବାମୀ ଅଭିଯୋଗ କରିଛନ୍ତି । ଶୋଇଥିବା ବେଳେ ନିଆଁ ଲଗାଇବା ସହ ବାହାର ପଟୁ କବାଟ କିଳି ଜଗି ରହିଥିଲା ବୋହୂ । ଘଟଣା ଜଣାପଡ଼ିବା ପରେ ଗାଁ ଲୋକ ପରିବାର ଲୋକେ ପହଞ୍ଚି ରେଣୁକାଙ୍କୁ ଉଦ୍ଧାର କରିବା ସହ ମେଡିକାଲ ନେଇଥିଲେ । ଏହି ଘଟଣାକୁ ନେଇ ଜୟାଙ୍କ ସ୍ବାମୀ ଅବିନାଶ ବୈଦ୍ୟ ମାଲକାନଗିରି ଥାନାରେ ଏତଲା ଦେଇଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।ତେବେ ଅଭିଯୋଗ ସମ୍ପର୍କରେ ବୋହୂ ଜୟାଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ । ପୋଲିସ ତଦନ୍ତ ପରେ ହିଁ ସାମ୍ନକୁ ଆସିବ ସତ ? ଆଉ ଯଦି ଅଭିଯୋଗ ସତ୍ୟ ହୋଇଥାଏ ତେବେ ନିଶ୍ଚୟ ସାଂଘାତିକ ଘଟଣା ।

Also Read:ପୋଲିସ କବଜାରେ ଅନଲାଇନ୍ ଟ୍ରେଡିଂ ଠକେଇ ରାକେଟ୍ , ୬ ସାଇବର ଠକ ଗିରଫ