ବାହାଘରର ମାତ୍ର ୩୫ ଦିନରେ ଆଖିବୁଜିଲେ ନବବଧୂ

ପଦ୍ମପୁର: ମମତା ସହିତ ଧ୍ରୁବଙ୍କ ଶୁଭ ପରିଣୟ । ବାହାଘରର ମାତ୍ର ୩୫ ଦିନ ବିତି ଥିଲା । ହେଲେ ମମତା ଓରଫ ପ୍ରତିମା ଏ ଦୁନିଆରେ ନାହାନ୍ତି । କଣ ହେଲା ମମତାଙ୍କର ? କିଏ ମାରି ଦେଲା ନା ସେ ନିଜେ ମରିଗଲେ ? ଏବେ ଏଇ ପ୍ରଶ୍ନ ସମସ୍ତଙ୍କ ମନରେ । ହେଲେ ମମତାଙ୍କ ବାପଘର ଲୋକ ସିଧାସଳଖ କହୁଛନ୍ତି, ଆମ ଝିଅକୁ ମାରି ଦେଇଛନ୍ତି । ଖୁବ୍ ଧୁମ୍ ଧାମ୍ ରେ ସରିଥିଲା ବିବାହ । କିନ୍ତୁ ତିଷ୍ଠିଲାନି । ବିବାହର ମାତ୍ର ୩୫ ଦିନରେ ସରିଗଲା ମମତା ଓରଫ ପ୍ରତିମାଙ୍କ ଜୀବନ ଯାତ୍ରା । ଏମିତି ଏକ ଘଟଣା ଏବେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଲହଙ୍ଗୀର ଗାଁରେ ଖେଳାଇ ଦେଇଛି ଚାଞ୍ଚଲ୍ୟ ।

ସତରେ ଭଗବାନ କଣ ଭାଗ୍ୟରେ ଏଇଆ ଲେଖିଥିଲେ ? ଇଏ କଣ ବିଧାତାର ବିଚାର? ଏସବୁ କଣ ଘଟିଗଲା ? ସମସ୍ତେ ସ୍ଥାଣୁ ପାଲଟି ଯାଇଛନ୍ତି । ନୂଆ ବାହା ହୋଇଥିବା ଝିଅଟି ଏବେ ଖୁସିରେ ଦିନ କାଟିବା କଥା ହେଲେ ଡାକ୍ତରଖାନାରେ ତାର ଦେହ କଟା ଚାଲିଛି । ପୋଷ୍ଟମର୍ଟମ ହେଉଛି ତା ମରଶରୀରର । ମାତ୍ର ମାସଟିଏ ପୂରି ଥିଲା ହେଲେ କୁଆଡେ ନବବଧୂକୁ ତଣ୍ଟି ଚିପି ମାରି ଦେଲେ ଶାଶୁଘର ଲୋକେ । ଯୌତୁକ ପାଇଁ ନବ ବଧୂଙ୍କୁ ହତ୍ୟା କରାଯାଇଥିବା ନେଇ ପୁଣି ଆସିଛି ସାଙ୍ଘାତିକ ଅଭିଯୋଗ ।

ମୃତ ନବବଧୂଙ୍କ ନାଁ ପ୍ରତିମା ବରିହା । ଗତ ମାର୍ଚ୍ଚ ୨୬ ତାରିଖରେ ଲହଙ୍ଗୀ ଗାଁର ଗୁଣନିଧି ବେଣ୍ଟକାରଙ୍କ ପୁଅ ଧ୍ରୁବ ବେଣ୍ଟକରଙ୍କ ସହ ଯାମପାଲିର ଜଗତରାମ ବରିହାଙ୍କ ଝିଅ ପ୍ରତିମାଙ୍କ ବିବାହ ହୋଇଥିଲା । ଝିଅକୁ ଯଥା ଶକ୍ତି ମୁତାବକ ଯାନି ଯୌତୁକ ଦେଇ ବାହାଘର କରାଇଥିଲେ ବାପ ଘର ଲୋକ । ହେଲେ ବିବାହ ପରଠୁ ହିଁ ଯୌତୁକ ପାଇଁ ବାରମ୍ବାର ଶାଶୁ ଘର ଲୋକେ ଝିଅକୁ ହଇରାଣ କରିବା ଆରମ୍ଭ କରୁଥିଲେ । ଏହି ଅଭିଯୋଗ କରିଛନ୍ତି ପ୍ରତିମାଙ୍କ ବାପ ଘର ଲୋକ ।

ଯାହା ସୂଚନା ମିଳିଛି, ଗତ ବୁଧବାର ପ୍ରତିମା ବାପ ଘରୁ ଶାଶୁ ଘରକୁ ଯାଇଥିଲେ । ଏହାର ପରଦିନ ଅର୍ଥାତ ଗୁରୁବାର ପ୍ରାୟ ଦିନ ଗୋଟେ ବେଳେ ତାଙ୍କର ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ ପରିବାର ଲୋକେ । ଗୋଟିଏ ପଟେ ଯୌତୁକ ପାଇଁ ଝିଅକୁ ହତ୍ୟା କରାଯାଇଥିବା ଝିଅର ଭାଇ ଅଭିଯୋଗ କରୁଥିବା ବେଳେ, ପ୍ରତିମାଙ୍କ ଶ୍ୱଶୁର ଘର ଲୋକ ଏହାକୁ ଖଣ୍ଡନ କରିଛନ୍ତି । ଏପଟେ, ପ୍ରତିମା ନିଜେ ଜୀବନ ହାରିଥିବା ନେଇ କହିଛନ୍ତି ତାଙ୍କ ଦେଢଶୁର ।

ତେବେ ଏହି ଘଟଣା ନେଇ ଜଗଦଳପୁର ପୋଲିସ୍ ଏକ ମାମଲା ରୁଜୁ କରି ପ୍ରତିମାଙ୍କ ସ୍ୱାମୀଙ୍କୁ ଅଟକ ରଖିଛି । ଏହା ଏକ ହତ୍ୟା ନା ଘଟଣା ପଛରେ ଆଉ କିଛି ରହିଛି ରହସ୍ୟ ସେନେଇ ପୋଲିସ୍ ତଦନ୍ତ ଚଳାଇଛି । ଘଟଣା ନେଇ ପୋଲିସ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ । ତେବେ ସାଂସାରିକ ଜୀବନ ଆରମ୍ଭ ହେଉ ହେଉ ଆଜି ଭୁଶୁଡ଼ି ପଡ଼ିଲା ହସଖୁସିର ସଂସାର । ମମତାଙ୍କୁ ଝୁରୁଛନ୍ତି ପରିବାର ଆତ୍ମୀୟ ସ୍ଵଜନ । ଏଇ କିଛି ଦିନ ତଳେ ଝିଅରୁ ବଧୂ ସାଜିଥିଲେ, ହେଲେ ଦାମ୍ପତ୍ୟ ଜୀବନ ଆରମ୍ଭ କରୁଥିବା ଲିଭିଗଲା ତାଙ୍କ ଜୀବନ ଦୀପ । ତେଣୁ ଘଟଣା ପଛର କାରଣ ଖୋଜି ଯଦି କିଛି ଅପରାଧ ହୋଇଛି ତେବେ ଦୋଷୀକୁ ଦଣ୍ଡ ଦିଆଯିବା ଦରକାର ।

ଆହୁରି ପଢନ୍ତୁ: ପ୍ରେମ ବ୍ୟାପାରକୁ ନେଇ ଆକ୍ରମଣ, ଯୁବତୀଙ୍କୁ ଛୁରାମାଡ଼