ଓହୋ…କି କଷ୍ଟ: ବାପା, ପୁଅଙ୍କ ଆଖି ସାମ୍ନାରେ ଚାଲିଗଲା ମାଆର ଜୀବନ

କେନ୍ଦ୍ରାପଡ଼ା : ଓହୋ…କି କଷ୍ଟ । ହେ ନାରାୟଣ କଣ ଘଟିଗଲା । ଏ କି ନିଷ୍ପତ୍ତି ତୁମର ପ୍ରଭୁ । ଏମିତି କଣ କାହାର ଜୀବନ ଚାଲିଯାଏ । ଆଜି ଥିଲା ପୁଅର ମାଟ୍ରିକ ପରୀକ୍ଷା । ସେଥିପାଇଁ ମାଆ ହିସାବରେ ତାଙ୍କର ଭାରି ଚିନ୍ତା । ରାତିରେ ପୁଅ ପାଠ ପଢୁଥିବା ସମୟରେ ସେମିତି ପାଖରେ ବସି ରହିଥିଲେ । ଆଉ ସକାଳୁ ଉଠି କାମ ଧନ୍ଦା ସବୁ ସାରି ବାହାରିପଡିଥିଲେ ପୁଅକୁ ପରୀକ୍ଷା ସେଣ୍ଟରରେ ଛାଡିବା ପାଇଁ । ଉଭୟ ବାପା ମାଆ ଗେହ୍ଳା ପୁଅକୁ ସ୍କୁଟି ବସାଇ ଯାଉଥିଲେ ପରୀକ୍ଷା ସେଣ୍ଟର ଅଭିମୁଖେ । ହେଲେ କିଏ ଜାଣିଥିଲା ବାଟରେ ଜଗି ବସିଥିଲା ଜମ । ଆଉ ଦେଖୁ ଦେଖୁ ଆଖି ପିଛୁଳାକେ ଘଟିଗଲା ଏତେ ବଡ ଅଘଟଣ ଯାହାକୁ ଭାବିଲାବେଳକୁ ବି ଛାତି ଥରିଉଠୁଛି ।

କେନ୍ଦ୍ରାପଡ଼ାରେ ହାଇୱା ଧକ୍କାରେ ମହିଳାଙ୍କ ମୃତ୍ୟୁ ହୋଇଛି । ତିନି ମୁହାଣୀ ଛକରେ ଏହି ସଡ଼କ ଦୁର୍ଘଟଣା ସମସ୍ତଙ୍କ ଆଖିରେ ଅଶ୍ରୁ ଆଣିଦେଇଛି । ଘଟଣାସ୍ଥଳରେ ଜଣେ ମହିଳାଙ୍କପ୍ରାଣ ବାୟୁ ଉଡିଯାଇଛି । ଯାହାଫଳରେ ବିଚ୍ ରାସ୍ତାରେ ଦେଖିବାକୁ ମିଳିଥିଲା ପ୍ରବଳ ଉତ୍ତେଜନା । ଆଉ ଉତ୍ୟକ୍ତ ଲୋକେ ହାଇୱାକୁ ଅଟକ ରଖିବା ସହ ଡ୍ରାଇଭରକୁ ନିସ୍ତୁକ ମାଡ଼ ମାରିଥିବା ଖବର ମିଳିଛି ।

ଯାହା ସୂଚନା ମିଳିଛି, ସ୍କୁଟିରେ ସ୍ଵାମୀ, ସ୍ତ୍ରୀ ଓ ପୁଅ ଯାଉଥିବା ବେଳେ ଘଟିଥିଲା ଭୟଙ୍କର ଦୁର୍ଘଟଣା । ଏକ ସ୍କୁଟିରେ ଯାଉଥିବା ବେଳେ ଦ୍ରୁତଗତିରେ ଆସୁଥିବା ଏକ ହାଇୱା ପଛ ପଟୁ ଆସି ଧକ୍କା ଦେଇଥିଲା । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ସ୍ଵାମୀ ଓ ପୁଅ ଗୁରୁତର ଆହତ ହୋଇଛନ୍ତି । ମୃତ ମହିଳାଙ୍କ ଘର ଟାଉନ ଥାନା ଅନ୍ତର୍ଗତ ବଣିଆମାଳରେ । ତାଙ୍କ ନାଆ ଶ୍ରଦ୍ଧାଞ୍ଜଳି ପୃଷ୍ଟି ବୋଲି ଜଣାପଡିଛି । ମାଟ୍ରିକ୍ ପରୀକ୍ଷା ପାଇଁ ଯାଉଥିବା ପୁଅର ହାତ ଭାଙ୍ଗିଯାଇଥିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବବେଳେ ଏପଟେ ସ୍ଵାମୀ ରାଜା ସାହୁଙ୍କର ମଧ୍ୟ ଚିକିତ୍ସା ଚାଲିଛି ।

ତେବେ ଘଟଣାପରେ ଉତ୍ୟକ୍ତ ଲୋକେ ରାସ୍ତାରେ ଟାୟାର ଜାଳି ଆନ୍ଦୋଳନ କରିଥିଲେ । ରାସ୍ତା ଅବରୋଧ ଫଳରେ ବହୁ ସମୟ ଧରି ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ଏନେଇ ଖବର ପାଇ ଘଟାସ୍ଥଳରେ ପୋଲିସ୍ ପ୍ରଶାସନ ତୁରନ୍ତ ପହଞ୍ଚି ବୁଝା ସୁଝା କରିଥିଲା । ପ୍ରଶାସନ ପକ୍ଷରୁ ୩୫ ହଜାର ଓ ହାଇୱା ମାଲିକଙ୍କ ପକ୍ଷରୁ ୬୫ ହଜାର ଟଙ୍କା ମୋଟ ଏକ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପରେ ହଟିଥିଲା ରାସ୍ତା ଅବରୋଧ । ଏହା ସହିତ ସହର ମଧ୍ୟରେ ଆଉ ଭାରୀ ଜାନ ତଥା ବାଲି ବୋଝୋଇ ହାଇୱା ଯିବାଆସିବା କରିବ ନାହିଁ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି ।

ସବୁଦିନ ପାଇଁ ପୁଅ ହରାଇଲା ମାଆକୁ, ଆଉ ସ୍ଵାମୀ ହରାଇ ବସିଲା ନିଜ ସ୍ତ୍ରୀକୁ । ମଥାରେ ସିନ୍ଦୁର ହାତରେ ଶଙ୍ଖା ପିନ୍ଧି ଅହିସୁଲକ୍ଷଣୀ ହୋଇ ଅକାଳରେ ଚାଲିଗଲେ ଶ୍ରଦ୍ଧାଞ୍ଜଳି । ବେପରୁଆ ଗାଡି ଚାଳନା ପୁଣି ଭାସାଇ ଦେଲା ଜଣଙ୍କ ସଂସାର । ମାଆ ଛେଉଣ୍ଡ କରିଦେଲା ଗୋଟେ ଛୋଟ ପିଲାକୁ ।

Also read: ପ୍ରେମରେ ବିଫଳ ପ୍ରେମିକ ନେଲା ଭୟଙ୍କର ପ୍ରତିଶୋଧ, ଘରେ ପଶି ମାରିଦେଲା ଯୁବତୀଙ୍କୁ