ସାବିତ୍ରୀ ପୂଜା ସାରି ସ୍ୱାମୀଙ୍କ ପାଖକୁ ଯାଉଥିବା ବେଳେ ଘଟିଲା ଦୁର୍ଘଟଣା, ସବୁଦିନ ପାଇଁ ଚାଲିଗଲେ ସତ୍ୟଭାମା

ଶିଶୁପାଳଗଡ଼ରୁ ପିପିଲି ଯାଉଥିଲେ ସତ୍ୟଭାମା। ହେଲେ ସ୍ୱାମୀଙ୍କ ପାଖରେ ପହଞ୍ଚି ପାରିଲେ ନାହିଁ । ପିପିଲି ନିକଟ ବାଇପାସ ଜାତୀୟ ରାଜପଥ ରାସ୍ତାରେ ଏକ ବସ୍ ତାଙ୍କ ସ୍କୁଟି ପଛପଟୁୁକୁ ଧକ୍କା ଦେଇଥିଲା । ସତ୍ୟଭାମା ଛିଟିକି ବସ୍ ଚକ ତଳେ ପଡ଼ିଗଲେ । ଘଟଣା ସ୍ଥଳରେ ସତ୍ୟଭାମାଙ୍କ ଜୀବନ ଚାଲିଗଲା ।

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଶବ ବ୍ୟବଚ୍ଛେଦ ଗୃହ । ସେଇଠାରୁ ଅଳ୍ପ ଦୂରରେ ଦୁଇ ଜଣ ମହିଳା କାନ୍ଦି କାନ୍ଦି ଅଥୟ ହେଉଥାନ୍ତି । କହୁଥାନ୍ତି ଛାଡ଼ ଆମକୁ ଆମେ ଆମ ମାଆକୁ ଦେଖିବୁ । କେତେଜଣ ସେମାନଙ୍କୁ ଅଟକାଉଥାନ୍ତି । ମହିଳା ଦୁଇ ଜଣ କିନ୍ତୁ ସେମାନଙ୍କ ଠାରୁ ହାତ ଛଡାଇ ଦୌଡ଼ି ଗଲେ ଶବ ସଂରକ୍ଷଣ ଗୃହ ଗେଟ ପାଖକୁ । ଏତିକି ଭିତରେ ହସପିଟାଲ କର୍ମଚାରୀ ଘର ଭିତରୁ ବୋହି ଆଣିଲେ ଜଣେ ବୟସ୍କ ମହିଳାଙ୍କ ମୃତଦେହ । ଗୋଡ଼ରେ ଅଳତା ଦେହରେ ନୂଆ ନାଲି ଲୁଗା । ଏଇ କେଇଘଣ୍ଟା ତଳେ ସାବିତ୍ରୀ ପୂଜା ସାରିଥିଲେ। ପରିବାର ଲୋକଙ୍କ ସହିତ କଥା ହୋଇଥିଲେ । ହେଲେ ଏବେ ସବୁ ଚୁପ୍‌ ନିରବ । ସ୍ୱାମୀଙ୍କୁ କହିଥିଲେ, ହେଇଟି ଶୁଣୁଛ ମୁଁ ସାବିତ୍ରୀ ଦିନ ତୁମ ପାଖକୁ ଯିବି । ଦୁଇ ଦିନ ତୁମ ପାଖରେ ରହିକି ଆସିବି । ପୁଅ ତୁ କଣ ଖାଇଛୁ, ଆଉ ଶୁଣୁ ଡିଉଟି ସାରି ସଅଳ ଘରକୁ ପଳାଇ ଆସିବୁ । ମୁଁ ତୋ ବାପା ପାଖକୁ ଯାଉଛି ସାବିତ୍ରୀରେ ଆଶୀର୍ବାଦ ଟିକେ ପାଇକି ଦୁଇ ଦିନ ରହିକି ଆସିବି । ଏସବୁ କଥା କହି କାନ୍ଦି ପକାଉଥିନ୍ତି ଦୁଇ ଝିଅ ଓ ପୁଅ ।

ମା ଗଲା ବେଳେ କହିଥିଲା, ଝିଅ ତୋ ବାପା ପାଖକୁ ଯାଉଛି ଆଉ ତୋ ବାପା ଆମ୍ବ ଭଲ ପାଆନ୍ତି । ଦିଇଟା ଆମ୍ବ ତୋ ବାପା ପାଇଁ ଆଉ ଭୋଗ ନେଇ ଯାଉଛି । ବାପା ପାଖରେ ପହଞ୍ଚି ଫୋନ କରିବି । ଏଇ କେଇ ପଦ ଶେଷ କଥା ଥିଲା ପୁଅ ଝିଅମାନଙ୍କ ପାଇଁ ମାଆ ସତ୍ୟଭାମାଙ୍କର । ସ୍ୱାମୀ ପାଖରେ ପହଂଚିବାକୁ ଅଳ୍ପ ବାଟ ଅଛି ଫୋନ୍‌ କଲେ ସ୍ୱାମୀଙ୍କୁ । ହେଇଟି, ଆମେ ପିପିଲି ପାର ହେଲୁଣି ତୁମେ ଆସି ରାସ୍ତା ଉପରେ ଥାଅ । ଏମିତି କିଛି କଥା ବୋଧେ ସତ୍ୟଭାମାଙ୍କ ତାଙ୍କ ସ୍ୱାମୀ ଯୁଧିଷ୍ଠିର ନାୟକଙ୍କୁ କହିଥିଲେ ଶେଷଥର । ତେବେ କଥା ସରିନି କାହିଁ କେଉଁଆଡୁ ବସ୍‌ଟିଏ ଆସିଲା ଧକ୍କା ଦେଲା ସତ୍ୟଭାମା ବସି ଥିବା ସ୍କୁଟିକୁ । ସେ ତଳେ ପଡ଼ି ଯାଇଥିଲେ । ଆଉ ବସ ତାଙ୍କ ଉପରେ ଚଢ଼ିଗଲା । ଘଟଣା ସ୍ଥଳରେ ହିଁ ସତ୍ୟଭାମାଙ୍କ ଜୀବନ ଚାଲିଗଲା ।

woman

ଏଇ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଗଲା ପିପିଲି ବାଇପାସ ଜାତୀୟ ରାଜପଥ ନିକଟରେ । ପରିବାର ଲୋକଙ୍କ ଠାରୁ ଯାହା ଖବର ମିଳିଥିଲା କି ସତ୍ୟଭାମା ନାୟକଙ୍କ ଘର ହେଉଛି ନୟାଗଡ଼ ଜିଲ୍ଲା ବାଲୁଗାଁରେ । ସ୍ୱାମୀ ଯୁଧିଷ୍ଠିର ନାୟକ ପିପିଲି ଦାଣ୍ଡମକୁନ୍ଦପୁର ନିକଟରେ ରହି ଦିନ ମଜୁରିଆ ଭାବରେ କାମ କରନ୍ତି । ସତ୍ୟଭାମା ଭୁବନେଶ୍ୱରର ଉପକଣ୍ଠ ଶିଶୁପାଳଗଡ଼ ଗାଁରେ ଜଣକ ଘରେ ରହି କାମ କରନ୍ତି । ସାବିତ୍ରୀ ଅମାବାସ୍ୟା ଦିନ ବ୍ରତ ପୂଜା ସାରି ଭୋଗ ଓ ସ୍ୱାମୀ ଭଲ ପାଉଥିବା ଆମ୍ବ ଆଦି ଧରି ବାହାରିଥିଲେ ପିପିଲି । ନୂଆ ଲୁଗା ସାଙ୍ଗକୁ ମଥାରେ ଚନ୍ଦନ ଆଉ ଦାଉ ଦାଉ ହୋଇ ଜଳୁଥିଲା ସଧବା ସିନ୍ଦୂର । ସତ୍ୟଭାମାଙ୍କ ପୁଅ ଯିଏ କି ନନ୍ଦନକାନରେ ସିକ୍ୟୁରିଟି ସୁପରଭାଇଜର ଭାବେ କାମ କରନ୍ତି ତାକୁ କହିଥିଲେ ବାପାଙ୍କ ପାଖକୁ ଯାଉଛି ।

ଯେଉଁ ବାବୁଆଣୀଙ୍କ ଘରେ କାମ କରୁଛି ତାଙ୍କ ଡ୍ରାଇଭରଙ୍କ ସହିତ ସ୍କୁଟିରେ ଶିଶୁପାଳଗଡ଼ରୁ ପିପିଲି ଯାଉଛି । ହେଲେ ସତ୍ୟଭାମା ଆଉ ସ୍ୱାମୀଙ୍କ ପାଖରେ ପହଞ୍ଚି ପାରିଲେ ନାହିଁ । ପିପିଲି ନିକଟ ବାଇପାସ ଜାତୀୟ ରାଜପଥ ରାସ୍ତାରେ ଏକ ବସ ତାଙ୍କୁ ପଛ ପଟୁ ଅସି ସେ ବସିଥିବା ସ୍କୁଟିକୁ ଧକ୍କା ଦେଇଥିଲା । ସତ୍ୟଭାମା ଛିଟିକି ବସ୍ ଚକ ତଳେ ପଡ଼ିଗଲେ । ଘଟଣା ସ୍ଥଳରେ ସତ୍ୟଭାମାଙ୍କ ଜୀବନ ଚାଲିଗଲା । ପିପିଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ଭୁବନେଶ୍ୱର କ୍ୟାପିଟାଲକୁ ଆଣି ଥିଲେ । ତାପରର ଦୃଶ୍ୟ ଥିଲା ଅତି ହୃଦୟ ବିଦାରକ । ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ସାବିତ୍ରୀ ବ୍ରତ କରିଥିବା ସତ୍ୟଭାମା ଯେମିତି ସବୁ ଆୟୁଷ ତାଙ୍କ ପରିବାରକୁ ଦେଇ ଚାଲିଗଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.