ମତେ କ୍ଷମା କରିଦବୁ ମମି, ମୁଁ ଆଉ ସମ୍ଭାଳି ପାରୁନି….

ଭୁବନେଶ୍ୱର : ମମି ସରି..ସମସ୍ତଙ୍କୁ ସରି । ମୁଁ ଆଉ ସମ୍ଭାଳି ପାରୁନି । ଦୁନିଆରେ ଏତେ ଫ୍ରଡ୍ ଲୋକ ଅଛନ୍ତି ମୁଁ ଜାଣିନଥିଲି । ତେବେ ଏଭଳି ଭିଡିଓ କରିବା ପରେ ଏ ଯୁବତୀ ଜଣଙ୍କ ନେଇଥିଲେ ଚରମ ନିଷ୍ପତ୍ତି । ଦର୍ଶକବନ୍ଧୁ ଏହି ଯୁବତୀ ଜଣକ ହେଉଛନ୍ତି ଜଣେ ସାମ୍ବାଦିକା । ଯିଏ ପ୍ରତିଦିନ ଜନସାଧାରଣଙ୍କୁ ଦେଇ ଆସୁଥିଲେ ଦେଶ ଦୁନିଆର ଖବର, ଯିଏ ସମାଜକୁ ଦେଉଥିଲେ ସଚେତନତାର ବାର୍ତ୍ତା । ସେ ପୁଣି ନେଇଗଲେ ନିଜ ଜୀବନକୁ ନେଇ ଏତେ ବଡ ନିଷ୍ପତ୍ତି । ତାହେଲେ ଥରେ ଚିନ୍ତା କରନ୍ତୁ ତ, ତାଙ୍କର ମାନସିକ ସ୍ଥିତି କେମିତି ଥିବ । ତାଙ୍କୁ କେତେ କଷ୍ଟ ସହିବାକୁ ପଡିଥିବ । ଯେଉଁଥିପାଇଁ ସେ ଏଭଳି ଚରମ ପଦକ୍ଷପ ନେବା ପୂର୍ବରୁ ଟିକେ ବି ପଛଘୁଞ୍ଚା ଦେଲେନି ।
ସାମ୍ବାଦିକା ଜଣଙ୍କ ହେଉଛନ୍ତି ମଧୁମିତା ପରିଡା । ଯାହାଙ୍କ ମୃତ୍ୟୁକୁ ନେଇ ଏବେ ସବୁଠି ଚର୍ଚ୍ଚା । ଯିଏ ନିଜେ ଖବର କରୁଥିଲେ ସେ ଆଜି ଖବର ପାଲଟିଯାଇଛନ୍ତି । ତାଙ୍କ ଜୀବନ ଦୀପ ସବୁଦିନ ପାଇଁ ଲିଭିଯାଇଛି । ସୂଚନା ଅନୁସାରେ ସାମ୍ବାଦିକା ମଧୁସ୍ମିତାଙ୍କ ଘର ଗଞ୍ଜାମ ବେଲଗୁଣ୍ଠାରେ । ଗତ ୪ ମାସ ତଳେ ବିବାହ କରିଥିଲେ ମଧୁମିତା । ବିବାହ ପରେ ରାଜଧାନୀର ଇନ୍ଦିରା କଲୋନୀ ନୂଆ ଗାଁରେ ରହୁଥିଲେ । ବିବାହ ପରେ ପରିବାରରେ ତାଙ୍କ ସ୍ୱାମୀଙ୍କ ସହ ଅନେକ ତିକ୍ତତା ଥିବା ଜଣାପଡିଛି ।
ସେପଟେ ମୃତ୍ୟୁ ପୂର୍ବରୁ ସାମ୍ବାଦିକାଙ୍କ ଯେଉଁ ଭିଡିଓ ବାର୍ତ୍ତା ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି, ସେହି ଭିଡିଓରେ ସେ ନିଜ ମାଙ୍କୁ କ୍ଷମା ମାଗୁଥିବା ବେଳେ ତାଙ୍କ ସ୍ୱାମୀ ତାଙ୍କୁ ଧୋକା ଦେଇଥିବା କଥା ବାରମ୍ବାର କହୁଥିବା ଲକ୍ଷ୍ୟ କରାଯାଇଛି । ସ୍ୱାମୀ ଆଉ ଜଣକ ସହ ସମ୍ପର୍କରେ ଅଛନ୍ତି । ତାଙ୍କ ସହ ଆଉ ରହିବେନି ବୋଲି କହୁଛନ୍ତି । ତାଙ୍କୁ ସମସ୍ତେ ବୁଝାଇଲେ ହେଲେ ସେ ବୁଝୁନାହାନ୍ତି । ଛୁଟିରେ ରହିଲେ ଆମର ଝଗଡା ହେଉଛି । ଏସବୁ ବିଷୟରେ ମଧୁସ୍ମିତା ନିଜ କଷ୍ଟ ବଖାଣିଛନ୍ତି ।
ଏହାସହ କିଭଳି ୫ବର୍ଷ ହେଲା ସମ୍ପର୍କ ରହିବା ପରେ ଶେଷରେ ୪ ମାସ ତଳେ ବିବାହ କରିଥିଲେ ଏବଂ ଏବେ ସ୍ୱାମୀ ତାଙ୍କୁ ଛାଡପତ୍ର ଦେବାକୁ ଯୋଜନା କରୁଥିବା କଥା ସେ କାନ୍ଦି କାନ୍ଦି କହିବା ସହିତ ଶେଷରେ ସେ ଆଉ ଏହିସବୁ କଷ୍ଟ ସହିପାରୁନଥିବା ଭିଡିଓରେ କହୁଥିବା ଶୁଣିବାକୁ ମିଳିଛି । ଅନ୍ୟପଟେ ମଧୁମିତାଙ୍କ ସ୍ୱାମୀ ଏକ ଭିଡିଓରେ କହିଛନ୍ତି, ‘ମୋର କୌଣସି ଝିଅ ସହ ସମ୍ପର୍କ ନାହିଁ । ମୁଁ ତାକୁ ଧୋକା ଦେଇନାହିଁ ।’
ତେବେ ବାପୁଜୀନଗର ରେଳ ଧାରଣାରେ ସାମ୍ବାଦିକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ୍ । ଗତକାଲି ସନ୍ଧ୍ୟା ୯ଟା ସମୟରେ ତାଙ୍କର ଶରୀରକୁ ବାପୁଜୀ ନଗର ଭେନସ ଇନ୍ କଡ଼ର ଟ୍ରେନ ଲାଇନ କଡ଼ରୁ ଠାବ କରିଛି ଜିଆରପି ପୋଲିସ୍ । ଟ୍ରେନ୍ ସାମ୍ନାରେ ନିଜର ଜୀବନ ହାରିଥିଲେ ସାମ୍ବାଦିକା । ତେବେ ଘଟଣାସ୍ଥଳରେ ଜିଆରପି ଓ କ୍ୟାପିଟାଲ ଥାନା ପୋଲିସ ତଦନ୍ତ କରିଥିବା ଜଣାପଡିଛି ।