ଯାଜପୁର ରୋଡ: ଇଏ କଳିଯୁଗର ସ୍ତ୍ରୀ । ସ୍ୱାମୀକୁ ସିଧା ପଠାଇଦେଲା ଯମପୁର । ସ୍ୱାମୀକୁ ପିଟିପିଟି ମାରିଦେଲା ରାକ୍ଷସୀ ସ୍ତ୍ରୀ । ନିଜେ ପୋଛିଦେଲା ନିଜ ମଥା ସିନ୍ଦୁର । ପାରିବାରିକ କଳହକୁ କେନ୍ଦ୍ର କରି ସ୍ୱାମୀକୁ ଜୀବନରୁ ମାରିଲା ସ୍ୱାମୀହନ୍ତା ସ୍ତ୍ରୀ । ହତ୍ୟା କରିବାପରେ ନିଜେ ଥାନାକୁ ଯାଇ କଲା ଆତ୍ମସମର୍ପଣ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁକିନ୍ଦା ଥାନା ଅନ୍ତର୍ଗତ ସଂସାଇଲୋ ପଞ୍ଚାୟତ ଅଧୀନ ଡୁବିଖାଲ ଗ୍ରାମରେ ।
ସୂଚନା ଅନୁଯାୟୀ, ଡୁବିଖାଲ ଗ୍ରାମର ମୋରା ଦେଓଗମଙ୍କ ଝିଅ ଦୂମାରୀ ମୁଣ୍ଡା । ନିଜ ସ୍ଵାମୀ ବାବୁଲି ମୁଣ୍ଡାଙ୍କୁ ଜୀବନରୁ ମାରି ବାଡ଼ି ପଛପଟ ଜଙ୍ଗଲରେ ପୋତି ଦେବା ପରେ ନିଜେ ସୁକିନ୍ଦା ଥାନାରେ ଆତ୍ମସମର୍ପଣ କରିଥିବା ଘଟଣା ଏବେ ସମଗ୍ର ଅଞ୍ଚଳରେ ଖେଳିଯାଇଛି ଚାଞ୍ଚଲ୍ୟ । ଏ ସମ୍ପର୍କରେ ନିଜେ ସୂଚନା ଦେଇଛନ୍ତି ଥାନା ଅଧିକାରୀ । ପାରିବାରିକ ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବାବେଳେ ଜଣେ ସ୍ତ୍ରୀ ନିଜ ସ୍ୱାମୀକୁ ଜୀବନରୁ ମାରି ପୋତିଦେଇଥିବା ଘଟଣାକୁ କେହି ସହଜରେ ବିଶ୍ୱାସ କରିପାରୁନାହାନ୍ତି । ଏ ନେଇ ସ୍ଥାନୀୟ ସରପଞ୍ଚ ମଧ୍ୟ ସୁକିନ୍ଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୁକିନ୍ଦା ପୋଲିସ ୪୮/୨୦୨୫ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ମୃତ ବାବୁଲିଙ୍କ ଘର ବାଲେଶ୍ଵର ଅଞ୍ଚଳରେ । ସେ ୭ ବର୍ଷ ତଳେ ବିବାହ କରିଥିଲେ । ତେବେ ଭଦ୍ରକରେ ରାଜମିସ୍ତ୍ରୀ କାମ କରୁଥିବାବେଳେ ବାବୁଲି ଓ ଦୁମାରି ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା । ସମୟ କ୍ରମେ ଉଭୟ ପ୍ରେମ ବିବାହ କରି ଦୁମାରିର ଘର ସୁକିନ୍ଦା ଥାନା ଡୁବିଖାଲ ଗାଁରେ ବାବୁଲି ଘର ଜୋଇଁଆଁ ହୋଇ ରହି ଆସୁଥିଲେ । ଉଭୟଙ୍କ ମଧ୍ୟରେ ପ୍ରାୟତଃ ସମୟରେ ବିଭିନ୍ନ କଥାକୁ ନେଇ ଝଗଡା ଲାଗି ରହୁଥିଲା ।
ତେବେ ଯାହା ଖବର ମିଳିଛି କି, ଗତ ଗୁରୁବାର ଦିନ ସକାଳେ ଘରେ କେହି ନଥିବାବେଳେ ବାବୁଲି ନିଶା ସେବନ କରି ଦୁମାରିଙ୍କୁ ମାଡ଼ମାରିବା ସହ ଗାଳି ଗୁଲଜ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସ୍ତ୍ରୀ ଦୁମାରି ଏକ ଠେଙ୍ଗା ସାହାଯ୍ୟରେ ସ୍ୱାମୀ ବାବୁଲିଙ୍କୁ ଅତର୍କିତ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ବାବୁଲିଙ୍କର ମୃତ୍ୟୁ ଘଟିଥିଲା । ଦିନ ତମାମ ମୃତଦେହ ଘରେ ପଡିରହିଥିଲା । ସନ୍ଧ୍ୟାରେ ଦୁମାରିଙ୍କ ବାପା ଓ ମାଆ ହାଟରୁ ଫେରି ଏହି ଘଟଣା ଜାଣିବା ପରେ ସମସ୍ତେ ମିଶି ବାବୁଲିଙ୍କ ମୃତଦେହକୁ ବାଡ଼ି ପଛପଟ ଜଙ୍ଗଲରେ ପୋତି ଦେଇଥିଲେ । ଏହି ଘଟଣା ଗ୍ରାମବାସୀ ଜାଣିବା ପରେ ଘଟଣା ସମ୍ପର୍କରେ ସୁକିନ୍ଦା ଥାନାରେ ଜଣାଇବା ସହ ଦୁମାରିଙ୍କ ପରିବାରକୁ ପରାମର୍ଶ ଦେଇଥିଲେ ।
ଯାହାପରେ ଗତକାଲି ରାତ୍ରିରେ ସ୍ୱାମୀ ହତ୍ୟାକାରୀ ସ୍ତ୍ରୀ ଦୁମାରି, ସୁକିନ୍ଦା ଥାନାକୁ ଯାଇ ଆତ୍ମସମର୍ପଣ କରିଥିଲା । ଆଜି ସୁକିନ୍ଦା ପୋଲିସ୍ ସାଇଣ୍ଟିଫିକ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ସୁକିନ୍ଦା ତହସିଲଦାର ଓ କଳିଙ୍ଗ ନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତିରେ ମାଟି ଖୋଳି ଗଳିତ ମୃତଦେହ ଉଦ୍ଧାର କରିଛନ୍ତି । ପରେ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି ସୁକିନ୍ଦା ପୋଲିସ୍ । ଏ ସଂପର୍କରେ ପୋଲିସ୍ କ୍ୟାମେରା ସମ୍ମୁଖରେ ପ୍ରତିକ୍ରିୟା ରଖିବାକୁ ମନା କରିଛି ।
କଳିଯୁଗ ସ୍ତ୍ରୀର କାରନାମା । ସାମାନ୍ୟ କଥାକୁ ନେଇ ଜୀବନ ନେଇଗଲା ନିଜ ସ୍ୱାମୀର । ଆଉ ନିଜ ଦୋଷ ଲୁଚାଇବାକୁ ବାଡ଼ି ପଛପଟ ଜଙ୍ଗଲରେ ଯାଇ ପୋତି ଦେଲା ସ୍ୱାମୀକୁ । ଘଟଣାର ପର୍ଦ୍ଦାଫାଶ ପରେ ଏବେ ଥାନାରେ ହତ୍ୟାକାରୀ ସ୍ତ୍ରୀ ।
Also read: ସ୍ବାମୀକୁ ହତ୍ୟା କରି ପକେଟରେ ଶକ୍ତିବର୍ଦ୍ଧକ କ୍ୟାପସୁଲ ରଖିଦେଲା ସ୍ତ୍ରୀ, ପୋଲିସକୁ କହିଲା ଓଭରଡୋଜ ଯୋଗୁଁ ଚାଲିଗଲା…